ମିଲର୍ସ ଫାଙ୍କୁଛନ୍ତି ଜଳକର, ମୁଣ୍ଡରେ କୋଟି କୋଟି ଟଙ୍କା ବକେୟା
ବରଗଡ଼: ଜିଲ୍ଲାରେ ମିଲର୍ସଙ୍କ ଔଧତ୍ୟ ସମସ୍ତଙ୍କୁ ଜଣା। ବିନା ମିଲର୍ସଙ୍କ ଇଚ୍ଛାରେ ଧାନ କିଣା ହୁଏନି। ଏପରିକି ମଣ୍ଡିରେ ଧାନର ପାହାଡ଼ ସୃଷ୍ଟି ହେଲେ ବି ମିଲର୍ସଙ୍କ ଉପରେ ଚାପ ପକାଇବାକୁ ପ୍ରଶାସନ ପଛଘୁଞ୍ଚା ମାରେ। ମିଲର୍ସଙ୍କ ଉପରେ ହାତ ମାରିବାକୁ ଯୋଗାଣ ବିଭାଗର ବଳ ନାହିଁ। ଜିଲ୍ଲାରେ ସୃଷ୍ଟି ହେଉଥିବା ଧାନ କିଣା ବିଭ୍ରାଟ ପାଇଁ ମିଲର୍ସମାନେ ଦାୟୀ ବୋଲି କାହାରିକୁ ଅଛପା ନାହିଁ। ଧାନ କିଣା ବାବଦକୁ ମିଲର୍ସ ମାଲାମାଲ୍ ହେଉଥିବା ବେଳେ ଚାଷୀ କଂଗାଳ। କଥା ଏତିକିରେ ସରିନାହିଁ। ଜିଲ୍ଲାର ମିଲର୍ସମାନେ କୋଟି କୋଟି ଟଙ୍କାର ଜଳକର ଫାଙ୍କୁଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାରେ ବର୍ତମାନ ୧୨୭ଟି ଧାନ ମିଲ୍ ରହିଛି। ବରଗଡ଼ ବ୍ଲକ ପରିସୀମାରେ ସର୍ବାଧିକ ୫୫ଟି ରାଇସ୍ ମିଲ୍ ରହିଛି। ଏହା ପଛକୁ ଅତାବିରାରେ ୩୩ଟି ମିଲ୍ ରହିଛି। ଅମ୍ବାଭୋନା ଏବଂ ଝାରବନ୍ଧ ବ୍ଲକକୁ ବାଦ୍ ଦେଲେ ଅନ୍ୟ ସବୁ ବ୍ଲକରେ ରାଇସ୍ ମିଲ୍ ରହିଛି। ବରପାଲିରେ ୯, ଭଟଲିରେ ୩, ଭେଡ଼େନରେ ୧୦, ବିଜେପୁରରେ ୨, ପାଇକମାଳରେ ୫, ପଦ୍ମପୁରରେ ୪, ସୋହେଲାରେ ୫ଟି ମିଲ୍ ରହିଛି। କିନ୍ତୁ ଏଥିରୁ ଅଧିକାଂଶ ମିଲ୍ ଜଳକର ବର୍ଷ ବର୍ଷ ହେଲା ପୈଠ କରୁନାହାନ୍ତି। ପାଖାପାଖି ଶହେରୁ ଅଧିକ ମିଲ୍ ଏହି ତାଲିକାରେ ଅଛନ୍ତି। କେନାଲ୍ ଡିଭିଜନ୍ ଏହି ପରିପ୍ରେକ୍ଷୀରେ ବାରମ୍ବାର ନୋଟିସ୍ ମଧ୍ୟ ଜାରି କରୁଛି। ତୁରନ୍ତ ଟିକସ୍ ନଦେଲେ ଲାଇସେନ୍ସ ରଦ୍ଦ କରିବାକୁ ମଧୢ ଚେତାବନୀ ଦିଆଯାଉଛି। କିନ୍ତୁ ଏହାକୁ ମିଲର୍ମାନେ ପରବାଏ କରୁନାହାନ୍ତି। ସୂଚନା ଅନୁଯାୟୀ, ୨୦୦୨-୦୩ ମସିହାରେ ଜଳସ˚ପଦ ବିଭାଗ ନିୟମିତ ଜଳକର ଆଦାୟ ପାଇଁ ନିଷ୍ପତ୍ତି ନେଇଥିଲା। ସେହିଦିନରୁ ଜଳକର ଆଦାୟ ପାଇଁ ଜିଲ୍ଲାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସୂଚନା ଦିଆଯାଇଛି।
କିଏ ଦୈନିକ କେତେ ପାଣି ବ୍ୟବହାର କରୁଛି, ସେନେଇ ସବିଶେଷ ତଥ୍ୟ ଦେବାକୁ କୁହାଯାଇଥିଲା। ଏହି ନିର୍ଦ୍ଦେଶାନାମା ସତ୍ବେ କେହି ବି ଜଳକର ଦେଉ ନାହାନ୍ତି। ଫଳରେ ଟିକସ ବାବଦକୁ କୋଟି କୋଟି ଟଙ୍କା ବକେୟା ପଡ଼ିଥିବା ବରଗଡ଼ କେନାଲ୍ ଡିଭିଜନ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ହଜାରେ ଲିଟର୍ ପାଣି ପାଇଁ ଜଳକର ୩.୪୦ ଟଙ୍କା ରହିଛି। ଶିଳ୍ପାନୁଷ୍ଠାନ ପାଇଁ ଏହା ୬.୮୦ ଟଙ୍କା ଧାର୍ଯ୍ୟ ହୋଇଛି। ଭୂତଳ ଜଳସ୍ତର କ୍ଷେତ୍ରରେ ହଜାରେ ଲିଟର ପାଇଁ ୭.୪୮ ଟଙ୍କା ଧାର୍ଯ୍ୟ ରହିଛି। କିନ୍ତୁ ନିୟମିତ ଭାବେ ଟିକସ୍ ଦାଖଲ ହେଉନଥିବାରୁ ଏହାର ପରିମାଣ କୋଟି କୋଟି ଟଙ୍କାକୁ ଟପି ଯାଇଛି। ଜଳକର ଫାଙ୍କୁଥିବା ତାଲିକାରେ ଗୁଡ଼ାଏ ଲଘୁ ଉଦ୍ୟୋଗ, ସ୍କୁଲ ଏବଂ ନାମୀଦାମୀ ହୋଟେଲ ତଥା ରେଷ୍ଟୁରାଣ୍ଟ ମଧ୍ୟ ରହିଥିବା ଜଣାପଡ଼ିଛି। ଏସବୁ ସ୍ଥାନରେ ଡିପ୍ ବୋରୱେଲ୍ ଖୋଳି ଦୈନିକ ଲକ୍ଷାଧିକ ଲିଟର୍ ପାଣି ଉତ୍ତୋଳନ କରାଯାଉଛି। କିନ୍ତୁ ଜଳକର ଦେଲା ବେଳକୁ ଏମାନେ ପଛଘୁଞ୍ଚା ଦେଉଛନ୍ତି। ମାତ୍ରାଧିକ ଡିପ୍ ବୋରୱେଲ୍ ଖନନ ଯୋଗୁ ଜିଲ୍ଲା ବ୍ୟାପୀ ଭୂତଳ ଜଳସ୍ତର ଖସିବାକୁ ଲାଗିଛି। ଏସବୁ ଅସୁବିଧା ସତ୍ବେ ଜଳକର ଆଦାୟ ଉପରେ କାହାରି ନିଘା ନାହିଁ।