ମିଲର୍ସ- ଅଧିକାରୀ ମଧୁଚନ୍ଦ୍ରିକା: ଅରୁଆକୁ ଉସୁନା ଭରସା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଧାନ ନେଇ ଚାଉଳ ଫେରସ୍ତରେ କୁନ୍ଥକୁନ୍ଥ ହୁଅନ୍ତି ମିଲର। ଆଉ ବିଭାଗୀୟ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ସରକାରୀ ଟଙ୍କାରେ ଧାନ ନେଇ ନିମ୍ନମାନର ଚାଉଳ ଦେବାର ନଜିର ଅନେକ ଅଛି। ଗତ ମାସ ୨୯ ତାରିଖରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହେଲାଣି। କିନ୍ତୁ ପୂର୍ବ ବର୍ଷର ଧାନ ନେଇ ଚାଉଳ ଦେଇ ନାହାନ୍ତି ଚାରି ଅରୁଆ ମିଲର୍ସ। ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଅଧିକ କୁଇଣ୍ଟାଲ ଅରୁଆ ଚାଉଳ ଡେଲିଭରି ଦେଇ ନାହାନ୍ତି ତୁଷୁରାର ସମଲେଶ୍ୱରୀ ଆଗ୍ରୋ, ବାଲାଜୀ ରାଇସ ମିଲ, ପରମ ହଂସ ଏଗ୍ରୋ ଓ ବଲାଙ୍ଗୀରର ସୁରେଶ ଟ୍ରେଡର୍ସ। ସମଲେଶ୍ୱରୀ ଏଗ୍ରୋ ପାଖାପାଖି ୪ ହଜାର କୁଇଣ୍ଟାଲ, ବାଲାଜୀ ରାଇସ ମିଲ ୮ ହଜାରରୁ ଅଧିକ କୁଇଣ୍ଟାଲ, ପରମହଂସ ଏଗ୍ରୋ ୫ ହଜାରରୁ ଅଧିକ କୁଇଣ୍ଟାଲ, ସୁରେଶ ଟ୍ରେଡର୍ସ ୧୦ ହଜାରରୁ ଅଧିକ କୁଇଣ୍ଟାଲ ଚାଉଳ ଦେଇ ନାହାନ୍ତି।

ହେଲେ ମିଳିଥିବା ସୂଚନା ଅନୁସାରେ, ଏବେ ଅରୁଆ ମିଲରଙ୍କୁ ଅଧିକାରୀ ସାହା। ପ୍ରତି ମିଲ୍‌ ପାଇଁ ଜଣେ ଜଣେ ଯୋଗାଣ ନିରୀକ୍ଷକଙ୍କୁ ନିଯୁକ୍ତି କରାଯାଇଥିଲା। ହେଲେ ବର୍ଷତମାମ ମିଲରଙ୍କ ସହିତ ଅଧିକାରୀଙ୍କ ମଉଜ ଯୋଗୁଁ ଏବେ ବାକି ପଡ଼ିଛି ୩୦ ହଜାରରୁ ଅଧିକ କୁଇଣ୍ଟାଲ ଚାଉଳ। ଏବେ ମିଲ୍‌ଗୁଡ଼ିକରେ ସେତେ ପରିମାଣର ଧାନ ନାହିଁ। ଯେତିକି ଅଛି, ତାର ମାନ ବି ନାହିଁ। ତେଣୁ ନିଜର ଭୁଲ ଲୁଚାଇବାକୁ ଏବେ ଯୋଗାଣ ବିଭାଗର ଚାଲାକି। କିଛି ଉସୁନା ମିଲରଙ୍କୁ ନାଲି ଆଖି ଦେଖାଇ ଅରୁଆ ମିଲର ଧାନ ନେଇ ମିଲିଂ କରିବା ପାଇଁ କାଗଜପତ୍ର କରି ସାରିଛନ୍ତି।

ଆଉ ଜିଲ୍ଲାପାଳଙ୍କୁ କିଛି ତଥ୍ୟ ଲୁଚାଇ ଫାଇଲ ଦସ୍ତଖତ କରିବାକୁ ମସୁଧା କରୁଛନ୍ତି ଯୋଗାଣ ବିଭାଗର କିଛି ଅଧିକାରୀ। କାରଣ ନୂଆ ଧାନ କିଣା ହେଲାଣି। ପୁରୁଣା ଚାଉଳ ଦେଇନଥିବା ବେଳେ ଏବେବି ବିନଦାସ ମିଲ ମାଲିକ। ଆଉ ମିଲ ମାଲିକଙ୍କ ପାଇଁ ରାତି ଅନିଦ୍ରା ଯୋଗାଣ ବିଭାଗର ହାତଗଣତି କିଛି ଅଧିକାରୀ। ହେଲେ ନୂଆ ନୂଆ ଯୋଗଦେଇଥିବା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି, ମିଲର ଓ ତଦାରଖ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର