ବଲାଙ୍ଗୀର: ଡିସେମ୍ବର ୨ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଧାନକିଣା ଆରମ୍ଭ ହେବ। ଜିଲ୍ଲାରେ ପାଖାପାଖି ୬୦ ପ୍ରତିଶତ ଧାନ ଅମଳ ହୋଇ ସାରିଥିବାବେଳେ ୩୦ ପ୍ରତିଶତରୁ ଅଧିକ ଧାନ କଟା ସରିଲାଣି। କଟାଧାନ ବିଲରେ କିମ୍ବା ରାସ୍ତା ଉପରେ ଗଡ଼ୁଛି। ବିଳମ୍ବରେ ମଣ୍ଡି ଖୋଲୁଥିବାରୁ ଚାଷୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ, ମଣ୍ଡିଗୁଡ଼ିକର ଭିତ୍ତିଭୂମିରେ ସୁଧାର ହୋଇନଥିବାରୁ ସେହି ପାରମ୍ପରିକ ଢାଞ୍ଚାରେ ଧାନକିଣା ହେବା ସ୍ପଷ୍ଟ। ଚାଷୀ ପାଇଁ ସବୁ କିସମର ଅସୁବିଧା ଥିବା ବେଳେ ମିଲର୍ସମାନେ ଗଳାବାଟ ଖୋଜି ମାଲାମାଲ୍ ହେବାକୁ ଉଦ୍ୟମ ଜାରି ରଖିଛନ୍ତି। ଯେମିତିକି ଜିପିଏସ୍ ବ୍ୟବସ୍ଥା। ଜିପିଏସ୍ ବ୍ୟବସ୍ଥା ଚାଷୀକୁ ଅଡ଼ୁଆ କରୁଥିବା ଚାଷୀନେତାମାନେ ଅଭିଯୋଗ କରିଛନ୍ତି। ମଣ୍ଡିରୁ ମିଲ୍କୁ ଧାନ ପରିବହନ କରୁଥିବା କିଛି ଟ୍ରକ୍କୁ ଜିପିଏସ୍ ମାଧ୍ୟମରେ ଟ୍ରାକିଂ କରାଯାଇଥାଏ। ଗୋଟିଏ ଆପ୍ ଜରିଆରେ ନିର୍ଦ୍ଦିଷ୍ଟ ଟ୍ରକ୍କୁ ସାଟେଲାଇଟ୍ ମାଧ୍ୟମରେ ଟ୍ରାକ୍ କରାଯାଏ। କିନ୍ତୁ ସବୁ ଧାନ ବୋଝେଇ ଟ୍ରକ୍କୁ ଏଥିରେ ସାମିଲ କରାଯାଉନାହିଁ।
କାଁଭାଁ ଶହେରୁ ୮-୧୦ ଟ୍ରକ୍କୁ ଟ୍ରାକିଂ କରି ପ୍ରଶାସନ ନିଜ ପାରିବାପଣିଆ ଦେଖାଇବାକୁ ଉଦ୍ୟମ କରୁଛି। ସୁରୁଖୁରୁରେ ଧାନ ବିକ୍ରି ପାଇଁ ଟୋକନ୍ ବ୍ୟବସ୍ଥାକୁ ସହଜ କରିବା ବଦଳରେ ଜିପିଏସ୍ ଆଳରେ ଚାଷୀର ପ୍ରାପ୍ୟ ସହ ଖେଳ ଖେଳାଯାଉଥିବା ଅଭିଯୋଗ ହୋଇଛି। କାରଣ ଜିପିଏସ୍ ସହ ଚାଷୀର କୌଣସି ସମ୍ପର୍କ ନାହିଁ। ହେଲେ, ଜିପିଏସ୍ ଲାଗିଥିବା ଗାଡ଼ିରେ ମିଲ୍କୁ ଧାନ ନଯିବା ଯାଏ ଚାଷୀ ଟଙ୍କା ପାଇବେ ନାହିଁ। ଜିଲ୍ଲାରେ ୬୭ଜଣ ମିଲର୍ ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ମିଲର୍ମାନଙ୍କୁ କିଛି ଟ୍ରକ୍ରେ ଜିପିଏସ୍ ଲଗାଇବାକୁ କୁହାଯାଇଥାଏ। କିନ୍ତୁ ହାତଗଣତି ମିଲର୍ସ ଗୋଟିଏ କିମ୍ବା ୨ଟି ଟ୍ରକ୍ରେ ଏହି ବ୍ୟବସ୍ଥା କରିଥାନ୍ତି। ବାକି ଟ୍ରକ୍ ସ୍ବାଭାବିକ ଭାବେ ଧାନ ବୋହିଥାଏ। ଧାନକିଣା ଆରମ୍ଭ ହେଲେ ଜିପିଏସ୍ଖଞ୍ଜା ଟ୍ରକ୍ରେ ଧାନ ଲଦା ହୁଏ। ତାକୁ ମିଲ୍କୁ ଯିବା ପର୍ଯ୍ୟନ୍ତ ଟ୍ରାକ୍ କରାଯାଇଥାଏ। ମଣ୍ଡିରେ ଧାନ ପରିମାଣ ବଢ଼ିଲେ ଏସବୁ ବ୍ୟବସ୍ଥା ଠପ୍ ହୋଇଥାଏ। ମିଲର୍ସ ନିଜ ମର୍ଜିରେ ଧାନ କାରବାର କରିଥାନ୍ତି। ଚଳିତ ଖରିଫ୍ ଧାନକିଣା ନିମନ୍ତେ ଜିପିଏସ୍ ପାଇଁ କିଛି ଗାଇଡ୍ଲାଇନ୍ ପହଞ୍ଚି ନ ଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ କହିଛନ୍ତି। ନିର୍ଦ୍ଦେଶାନାମା ଆସିବା ପରେ ଏହାକୁ ସେହି ହିସାବରେ କାର୍ଯ୍ୟକାରୀ କରାଯିବ। ଜିପିଏସ୍ ଲଗାଇବା ଦାୟିତ୍ବ ମିଲର୍ସଙ୍କର ଏବଂ ଏହାର କାର୍ଯ୍ୟକାରିତା ଯାଞ୍ଚ କରିବା ଯୋଗାଣ ବିଭାଗର ବୋଲି ଶ୍ରୀ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି।