ମଣ୍ଡି ଖୋଲିବା ପୂର୍ବରୁ ମିଲରଙ୍କ ଗୋଦାମ ଭର୍ତ୍ତି

କୁଇଣ୍ଟାଲ ପିଛା ୧୩୦୦ ଟଙ୍କାରେ କିଣୁଛନ୍ତି ଦଲାଲ, ଟ୍ୟାସ୍କଫୋର୍ସ କାହା ସ୍ବାର୍ଥରେ?

ଯାଜପୁର : ଆକାଶରେ ମେଘ ଦେଖି ଚାଷୀ ଛାତିରେ କମ୍ପନ। ହେଲେ ବର୍ଷା ଯୋଗୁଁ ମିଲର୍‌ ଓ ଦଲାଲଙ୍କ ଖୁସି କହିଲେ ନସରେ। ପ୍ରକୃତି ଦେଇଥିବା ସୁଯୋଗରୁ ଫାଇଦା ଉଠାଇବା ପାଇଁ ଗାଁ ଗାଁରେ ଡେରା ପକାଇଛନ୍ତି ମିଲର୍‌ଙ୍କ ଦଲାଲ। କୁଇଣ୍ଟାଲ ପିଛା ଧାନ ୧୩୦୦ରୁ ୧୪୦୦ ଟଙ୍କାରେ କିଣି ୭ଶହ ଟଙ୍କା ମୁନାଫା ପାଇଁ ସମସ୍ତେ ଲାଗିପଡ଼ିଛନ୍ତି। ବିଳମ୍ବିତ ମଣ୍ଡି ଖୋଲାହେବା ମଧ୍ୟ ମିଲରଙ୍କୁ ସୁହାଉଛି। ଯାଜପୁର ଜିଲ୍ଲାରେ ଆସନ୍ତା ୪ ତାରିଖରୁ ଧାନକିଣା ହେବ। ହେଲେ ଏହାପୂର୍ବରୁ ମିଲରଙ୍କ ଗୋଦାମ ଭର୍ତ୍ତି ହୋଇଗଲାଣି। ହେଲେ ଏହି ଧାନ କେଉଁଠୁ ଆସିଲା ସେ ନେଇ ପ୍ରଶାସନ ତରଫରୁ କୌଣସି ତଦନ୍ତ ହୋଇଥିବାର ନଜିର ନାହିଁ। ଅବଶ୍ୟ ଜିଲ୍ଲା ପ୍ରଶାସନ ଧାନକିଣା କେଳେଙ୍କାରୀକୁ ରୋକିବା ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାର ଟାସ୍କଫୋର୍ସ ଗଠନ କରିଛି। ହେଲେ ଏହି ଟାସ୍କଫୋର୍ସ କିନ୍ତୁ ଚାଷୀଙ୍କୁ ଶୋଷଣରୁ ରକ୍ଷା କରିପାରୁ ନାହିଁ।

ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ ମଧ୍ୟରୁ ସୁକିନ୍ଦା, ଦାନଗଦୀ, ଧର୍ମଶାଳା, ବଡ଼ଚଣା, ରସୁଲପୁର, କୋରେଇ, ଯାଜପୁର ପ୍ରଭୃତିରେ ଉପର ଜମିରୁ ଧାନ ଅମଳ ଆରମ୍ଭ ହୋଇଯାଇଛି। ଚାଷୀମାନେ ମେସିନରେ ଧାନ ଅମଳ କରୁଛନ୍ତି। ଧାନ ରଖିବା ପାଇଁ ସେପରି ସୁବିଧା ନ ଥିବାରୁ ଶହ ଶହ ଚାଷୀ ଧାନ ଅମଳ କରି ବିଲରୁ ବିକ୍ରି କରିଦେଉଛନ୍ତି। ଦଲାଲମାନେ ମଧ୍ୟ ସରକାରୀ ଧାର୍ଯ୍ୟ କରିଥିବା ୨୦୪୦ଟଙ୍କା ବଦଳରେ ୧୩୦୦ ରୁ ୧୪୦୦ ଟଙ୍କା ମଧ୍ୟରେ କୁଇଣ୍ଟାଲ ଧାନ କିଣୁଛନ୍ତି। ଦଲାଲମାନେ ଧାନ କିଣି ନିଜ ନିଜ ଗୋଦାମରେ ରଖୁଛନ୍ତି। କେତେକ ମିଲରଙ୍କ ଗୋଦାମକୁ ପଠାଇ ଦେଉଛନ୍ତି। ଏବେ ସୁଦ୍ଧା ଧାନମଣ୍ଡି ଖୋଲି ନଥିବାରୁ କାଗଜପତ୍ର କରାଯାଉନାହିଁ। ଆସନ୍ତା ୪ତାରିଖକୁ ଅପେକ୍ଷା।

ଧାନମଣ୍ଡି ଖୋଲିଲେ କାଗଜପ୍ରତ କାରବାର ହେବ। ଯେପରିକି ଗତବର୍ଷ ୧୦ଟି ପ୍ୟାକ୍ସ ଓ ଗୋଟିଏ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଧାନ କିଣାବିକା କେଳେଙ୍କାରୀ ଧରାପଡ଼ିଥିଲା। ପ୍ରାୟ ୪କୋଟି ଟଙ୍କାର ଧାନ କେଳେଙ୍କାରୀ ରାଜ୍ୟସ୍କ୍ବାଡ୍‌ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସଙ୍କୁ ‌ବାରମ୍ବାର ନିର୍ଦ୍ଦେଶ ଦେବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଅପରପକ୍ଷରେ ହେରଫେର କରିଥିବା ସେହି ୧୧ଟି ସଂସ୍ଥାକୁ ଏଥର ମଧ୍ୟ ଧାନ କିଣା ପ୍ରକ୍ରିୟାରେ ସାମିଲ କରାଯାଇଛି।

ଦୁର୍ନୀତିକୁ ‌ରୋକିବା ପାଇଁ ସରକାର ଯୋଜନା କରୁଛନ୍ତି। ତେବେ ଯାଜପୁର ଜିଲ୍ଲାରେ କେତେକ ପ୍ରଭାବଶାଳୀ ମିଲ୍‌ ମାଲିକଙ୍କ ପାଇଁ ସରକାରୀ ‌ନୀତିନିୟମକୁ ପ୍ରହସନରେ ପରିଣତ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର