ରାଜ୍ୟର ଅଧା ଅଞ୍ଚଳକୁ ମିଲେଟ୍ ଛୁଇଁପାରିନି

ଭୁବନେଶ୍ବର : ଚଳିତ ବର୍ଷ ୧୯ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ ୨ ଲକ୍ଷ ୫୦ ହଜାର ହେକ୍ଟରର ମିଲେଟ୍ ଚାଷର କାର୍ଯ୍ୟକ୍ରମ କରାଯାଉଛି। ଗତବର୍ଷ ୧୫ଟି ଜିଲ୍ଲାର ୮୪ ବ୍ଲକରେ ୧ ଲକ୍ଷ ୮୩ ହଜାର ହେକ୍ଟର ଏହି ଚାଷ କରାଯାଇଥିଲା। ଆସନ୍ତା ବର୍ଷ ସୁଦ୍ଧା ୩୦ ଜିଲ୍ଲାରେ ମିଲେଟ ଚାଷ ଆରମ୍ଭର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ସତ୍ତ୍ବେ ୮୦ ଦଶକରେ (୧୯୮୩ ମସିହା)ରେ କରାଯାଉଥିବା ୩ ଲକ୍ଷ ୭୧ ହଜାର ହେକ୍ଟର ଚାଷ ପର୍ଯ୍ୟନ୍ତ ପହଞ୍ଚିବାକୁ ଆହୁରି କିଛି ବର୍ଷ ଲାଗିବ।

ମିଲେଟ କହିଲେ ମାଣ୍ଡିଆ, କୁଦୋ, ଗୁର୍ଜି, ରକ୍ସି, କାଙ୍ଗୁ, ବାଜରା, ସୁଆଁ, କ୍ଷୀରା, ଜବାର ସମେତ ୯ଟି ପୋଷଣଯୁକ୍ତ ଖାଦ୍ୟ ଶସ୍ୟକୁ ବୁଝାଏ। ଓଡ଼ିଶା ମିଲେଟ୍ ମିସନରେ ୪ ଶସ୍ୟକୁ ସାମିଲ କରାଯାଏ। ବର୍ତ୍ତମାନ ଏହା ମାଣ୍ଡିଆକୁ କେନ୍ଦ୍ର କରି କରାଯାଉଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଗୋଟିଏ ସମୟରେ ରାଜ୍ୟରେ ୩୦ଟି ଯାକ ଜିଲ୍ଲାରେ ମିଲେଟ୍ କରାଯାଉଥିଲା। ଏପରିକି ୧୯୫୦ ମସିହା ବେଳକୁ ଉପକୂଳବର୍ତ୍ତୀ ଜିଲ୍ଲା ଯାଜପୁର, ଜଗତସିଂହପୁର, ଗଞ୍ଜାମ, ପୁରୀ ଏବଂ ବାଲେଶ୍ବରରେ ହେଉଥିଲା। ମୁଖ୍ୟତଃ ସୁଆଁ ଏବଂ ଜବାର ଚାଷ ଏଠାରେ କରାଯାଉଥିଲା, ଯାହା ପଶୁ ଖାଦ୍ୟ ଭାବରେ ବ୍ୟବହାର ହେଉଥିଲା। କେବିକେ ଅଣଜଳସେଚିତ ଅଞ୍ଚଳରେ ଦୁର୍ଭିକ୍ଷ ସମୟରେ କୁଦୋ, ଗୁର୍ଜି, କାଙ୍ଗୁ ଆଦି ଲୋକଙ୍କ ପେଟ ଭରୁଥିଲା। ସବୁଜ ବିପ୍ଳବ ପ୍ରଭାବରେ ଧାନ ଚାଷର ମାତ୍ରାଧିକ ଗୁରୁତ୍ବ ଏବଂ ଲୋକେ ଚାଉ​ଳ ଏବଂ ଗହମକୁ ଖାଦ୍ୟରେ ବିଶେଷ ଗୁରୁତ୍ବ ଦେବା ପରେ ପୋଷଣଯୁକ୍ତ ମିଲେଟ୍ ବିକ୍ରି ଏବଂ ଚାଷରେ ସମସ୍ୟା ସୃଷ୍ଟି ହେବାକୁ ଲାଗିଲା। ଏଥିଯୋଗୁଁ ଦକ୍ଷିଣ ଓଡ଼ିଶା ଏବଂ ପାହାଡ଼ିଆ ଅଞ୍ଚଳ ବ୍ୟତୀତ ଅନ୍ୟ ଜିଲ୍ଲାରେ ଏହା ପ୍ରାୟତଃ ବନ୍ଦ ହୋଇଗଲା। ୨୦୦୫ ମସିହାରୁ ଜବାର, ବାଜରା ଏବଂ ୨୦୧୦ ମସିହାରୁ ମାଣ୍ଡିଆ ଚାଷ କ୍ରମଶଃ ହ୍ରାସ ପାଇଲା।

The Hans India

ବର୍ତ୍ତମାନ ମିଲେଟ ପ୍ରୋତ୍ସାହନ ପାଇଁ ୨୦୧୭ମସିହାରୁ ମିଲେଟ ମିସନ୍‌ ଗଠନ କରାଯାଇଛି। ଏହା ଅନ୍ତର୍ଗତରେ ୩ବର୍ଷ ପାଇଁ ମିଲେଟ୍ ଚାଷ କଲେ ହେକ୍ଟର ପିଛା ୧୪ ହଜାର ୫୦୦ ଏବଂ ବର୍ତ୍ତମାନ ୫ ବର୍ଷ ପାଇଁ ହେକ୍ଟର ପିଛା ୨୬ ହଜାର ୫୦୦ ଟଙ୍କା ଦିଆଯାଉଛି। ଏସଏଚ୍‌ଜି, ଉତ୍ପାଦନ ଗ୍ରୁପ, ସମାଜସେବୀ ସଙ୍ଗଠନ ଏବଂ ନାଗରିକ ସଙ୍ଗଠନକୁ ମିଲେଟ ଚାଷ ବୃଦ୍ଧି ପାଇଁ ସାମିଲ କରାଯାଇଛି। ମାର୍କେଟିଂ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ମାଣ୍ଡିଆ ସଂଗ୍ରହ କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁଆଁର ଏମଏସପି ଘୋଷଣା କରାଯାଉନଥିବାରୁ ସରକାରୀ ଭାବରେ ଏହାର ବିକ୍ରି ହୋଇପାରୁନାହିଁ। ଏହାର ବିକ୍ରୟ ମୂଲ୍ୟ ଧାର୍ଯ୍ୟ ପାଇଁ ଓୟୁଏଟିର ଏକ ବିଶେଷଜ୍ଞ ଦଳକୁ ନିର୍ଦ୍ଦେଶ ହୋଇଛି। ୨୫ ବର୍ଷ ମଧ୍ୟରେ ଖାଦ୍ୟ ସଂସ୍କୃତିରୁ ମିଲେଟ୍ ଉଭେଇ ଯାଇଥିବାରୁ ତାକୁ ପୁନର୍ବାର କେମିତି ସାମିଲ କରାଯାଇପାରିବ, ଏଥିପାଇଁ ମିଲେଟ୍ ମିକ୍ସଚର, ଲଡ଼ୁ ସମେତ ଇଟଲି, ଦୋସା ସମେତ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଛି।

ବର୍ତ୍ତମାନ ଭୁବନେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼ରେ ମିଲେଟ୍ ଆଉଟଲେଟ୍‌ ରହିଛି। ଏକ ବର୍ଷ ମଧ୍ୟରେ ୧୪ଟି ସ୍ଥାନରେ ମିଲେଟ୍ ଆଉଟଲେଟ୍‌ ହେବ। ପଖାଳ ଭଳି ମିଲେଟ୍ ମାର୍କେଟିଂ ପାଇଁ ହିଁ ନଭେମ୍ବର ମାସ ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବରେ ପାଳନ କରାଯାଉଛି। ମିଲେଟ୍ ଯାହା ଓଡ଼ିଶାର ଖାଦ୍ୟ ସଂସ୍କୃତିରେ ରହିଥିଲା, ତାକୁ ପ୍ରୋତ୍ସାହନ ନଦେଇ ସରକାର ପ୍ରଥମେ ମାରିଦେଲେ ଏବଂ ପୁଣି ଏହି ବ୍ୟବସ୍ଥାକୁ ସାମିଲ ପାଇଁ ଟଙ୍କା ଖର୍ଚ୍ଚ କରିବା ସରକାରଙ୍କ ବିଚିତ୍ର ନୀତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର