ଭୁବନେଶ୍ବର : ଖାଦ୍ୟ ପ୍ରଦର୍ଶନୀ ଜରିଆରେ ମିଲେଟ୍ର ଗ୍ରହଣୀୟତା ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମାଇକେଲ କିଚେନ ସହଯୋଗରେ ଆୟୋଜିତ ମିଲେଟ୍ ଖାଦ୍ୟ ପ୍ରଦର୍ଶନୀର ଅନ୍ତିମ ଦିନରେ ଏହା କହିଛନ୍ତି ରାଜ୍ୟ କୃଷି ବିଭାଗ ଯୁଗ୍ମ ନିର୍ଦେଶକ ଶୈଳେନ୍ଦ୍ର କୁମାର ମହାନ୍ତି। ଏହି ଅବସରରେ ଆୟୋଜିତ ମିଲେଟ୍ ଖାଦ୍ୟ ପ୍ରତିଯୋଗିତାରେ ୨୫ ଜଣ ଅଂଶଗ୍ରହଣ କରିଥିଲେ। ଭେଜ୍ ଓ ଚିକେନ ରାଗି ମୋମୋ, ଗୁପଚୁପ, କୋଦ ଚିକେନ ବିରିୟାନି ଭଳି ପୁଷ୍ଟିକର ଏବଂ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା।
‘ମିକ୍ସ ମିଲେଟ୍ ଥଣ୍ଡାଇ’ ପ୍ରସ୍ତୁତ କରିଥିବା ଧରିତ୍ରୀ ସାହୁଙ୍କୁ ବିଜେତା ଘୋଷଣା କରାଯାଇଥିଲା। ତାଙ୍କୁ ପୁରସ୍କାର ସ୍ୱରୂପ ମାଇକେଲ କିଚେନରେ ଏକ ମାସ ପାଇଁ ବୃତ୍ତିଗତ ତାଲିମ ପ୍ରଦାନ ଏବଂ ଓଡ଼ିଶା ମିଲେଟ୍ ମିସନ ଓ ମିଲ୍କ ମନ୍ତ୍ରା ତରଫରୁ ଗିଫ୍ଟ ହ୍ୟାମ୍ପର ପ୍ରଦାନ କରାଯାଇଥିଲା। ଏଥିରେ ବିଚାରକ ଭାବରେ ମାଇକେଲ, ଓଡ଼ିଶା ମିଲେଟ୍ ମିସନ ପକ୍ଷରୁ ରତିକାନ୍ତ ଏବଂ ନିହାରିକ ଦାଶ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ମେ’ ୫ରୁ ଏହି ଖାଦ୍ୟ ପ୍ରଦର୍ଶନୀ ଆରମ୍ଭ ହୋଇଥିଲା।