ଭୁବନେଶ୍ବର : ୨୦୧୭ ମସିହାରେ ଓଡ଼ିଶା ମିଲେଟ୍ ମିସନ୍ ଆରମ୍ଭ ହୋଇଥିଲା। ଏବେ ଏହାର ୧୪ଟି ଜିଲ୍ଲାର ୭୨ ବ୍ଲକ୍ରେ କାର୍ଯ୍ୟକାରୀ ହେଉଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ୍ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ଜାତୀୟ ମିଲେଟ୍ ମିସନ୍ ୨୦୧୮ ମସିହାରେ ଆରମ୍ଭ ହେଲା ପରେ ଓଡ଼ିଶାରେ ମିଲେଟ୍ ମିସନ୍କୁ ଏହା ସହାୟକ ହେଲା। ମାଣ୍ଡିଆ ଉତ୍ପାଦନ ଓ ବ୍ୟବହାରର ମୁଖ୍ୟ ଅଂଶୀଦାର ହେଲେ ଚାଷୀ। ତେଣୁ ମିସନ୍ର ସମସ୍ତ କାର୍ଯ୍ୟ ଚାଷୀ କେନ୍ଦ୍ରିକ କରାଯାଇ ସେମାନଙ୍କ ଆୟ ବୃଦ୍ଧି କରାଯିବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି।
ବିଶ୍ବ ଖାଦ୍ୟ ଦିବସ ଅବସରରେ ଆଜି କୃଷି ଭବନରେ ପୁଷ୍ଟିଯୁକ୍ତ ଶସ୍ୟ ସଂକ୍ରାନ୍ତୀୟ ଜାତୀୟ କର୍ମଶାଳା ଆୟୋଜନ କରାଯାଇଥିଲା। ଏହାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଉଦ୍ଘାଟନ କରିିଥିଲେ। ଖାଦ୍ୟ ଉତ୍ପାଦନ କମିସନର୍ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ, ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ମିଲେଟ୍ ମିସନ୍ ଏକ ଅଭିନବ ପଦକ୍ଷେପ। ଏହା ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ୍ ପାଲଟିଛି। କେନ୍ଦ୍ର ସରକାର ମଧ୍ୟ ଏ କ୍ଷେତ୍ରରେ ଓଡ଼ିଶାର ମଡେଲ୍କୁ ଅନୁକରଣ କରିବାକୁ ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କହିଲେ, ସରକାର, ବିଶେଷଜ୍ଞ, ସ୍ବେଚ୍ଛାସେବୀ ସଂସ୍ଥା ଓ କୃଷକ ଉତ୍ପାଦନ ସଂଗଠନ ମିଳିତ ଭାବେ ମିଲେଟ୍ ମିସନ୍ର ଅଂଶୀଦାର ହୋଇ ମିସନ୍ର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରୁଛନ୍ତି। ଏହି ମିସନ୍ ମାଧ୍ୟମରେ ପ୍ରାୟ ୫୦ ହଜାର ଚାଷୀଙ୍କୁ ମାଣ୍ଡିଆ ଚାଷ ପାଇଁ ସଚେତନ କରାଯାଇଛି। ଚାଷୀଙ୍କ ଠାରୁ ବଳକା ମାଣ୍ଡିଆ ସଂଗ୍ରହ ପ୍ରକ୍ରିୟା ମଧ୍ୟ ସରକାର ଆରମ୍ଭ କରିଛନ୍ତି। ଚଳିତ ବର୍ଷ ମାଣ୍ଡିଆ ସଂଗ୍ରହ ୧ ଲକ୍ଷ ଟନ୍ ଧାର୍ଯ୍ୟ କରାଯାଇଛି। ଆଇସିଡିଏସ୍, ଏମ୍ଡିଏମ୍ ଓ ପିଡିଏସ୍ରେ ମାଣ୍ଡିଆକୁ ସାମିଲ କରିବା ପାଇଁ ସରକାର ଯୋଜନା କରୁଛନ୍ତି।
ଏହି ଦିନିକିଆ କର୍ମଶାଳାେର ୫ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଇକ୍ରିସାଟ୍ର ନିର୍ଦ୍ଦେଶକ ଅରବିନ୍ଦ ପାଢ଼ୀ, ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ଟୋମିଓ ସିଚିରି, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, େଯାଗାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ ଓ ମିଲେଟ୍ ମିସନ୍ର ନିର୍ଦ୍ଦେଶକ ସୁବାସ ଚନ୍ଦ୍ରଙ୍କ ସମେତ କୃଷି ବିଶେଷଜ୍ଞ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ବେଚ୍ଛାସେବୀ ସଂସ୍ଥାର ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରେର ଓଡ଼ିଶା ମିଲେଟ୍ ମିସନ୍ ଅନ୍ତର୍ଗତ ୧୪ଟି ଜିଲ୍ଲାର ୧୪ ଜଣ ମାଣ୍ଡିଆ ଚାଷୀ ଓ ଦୁଇଟି ସ୍ବେଚ୍ଛାସବୀ ସଂସ୍ଥାର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାର କର୍ମଶାଳାକୁ ସଂଯୋଜନା କରିଥିଲେ।