ଓଡ଼ିଶାରେ ମିଲେଟ ମିସନ୍‌: ୧୯ ଜିଲ୍ଲାରେ ୮୧ ହଜାର ହେକ୍ଟର ଚାଷ କାର୍ଯ୍ୟକ୍ରମ

ମିଲେଟରେ ହେବ ତ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ?
ଆବଶ୍ୟକ କୃଷି ଯନ୍ତ୍ରପାତିର ସଙ୍କଟ
ଅଣମିଲେଟ ଜିଲ୍ଲାରେ ପିଡିଏସ୍‌ରେ ସାମିଲ କେବେ?

ଭୁବନେଶ୍ବର : ପୋଷଣଯୁକ୍ତ ଖାଦ୍ୟ ଉତ୍ପାଦନ ଲକ୍ଷ୍ୟରେ ୨୦୧୭ ମସିହାରୁ ରାଜ୍ୟରେ ମିଲେଟ ମିସନ କାର୍ଯ୍ୟକାରୀ ହୋଇଛି। ମିଲେଟ ଚାଷ ପାଇଁ ସବୁ ପ୍ରକାର ପ୍ରୋତ୍ସାହନ ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରୁନାହିଁ ରାଜ୍ୟ କୃଷି ବିଭାଗ। ଗତବର୍ଷ ୧୫ଟି ଜିଲ୍ଲାର ୮୪ ବ୍ଲକରେ ୬୨ ହଜାର ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏଥିରୁ ୮୦ ପ୍ରତିଶତ ଅର୍ଥାତ ୫୪ ହଜାର ୪୮୫ ହେକ୍ଟର ମିଲେଟ ଚାଷ ହୋଇ ସମୁଦାୟ ୩ ଲକ୍ଷ ୨୩ ହଜାର କ୍ବିଣ୍ଟାଲ ମିଲେଟ ସଂଗ୍ରହ ହୋଇଛି। ଚାଷୀଙ୍କ ଅନୁସାରେ କାଗଜପତ୍ରରେ ଯେତେ ଚାଷ ହେଉଥିବା କୁହାଯାଏ, ସେତିକି ଚାଷ ହୁଏନାହିଁ। କୃଷି ଯନ୍ତ୍ରପାତିର ଅଭାବ, ମାର୍କେଟିଂ ସମସ୍ୟା ଏହାର ଏକ କାରଣ ହୁଏ। ଚଳିତ ବର୍ଷ ପ୍ରଥମ କରି ୪ ଜିଲ୍ଲାକୁ ସାମିଲ କରିବା ପରେ ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ୮୧ ହଜାର ୬୦୦ ହେକ୍ଟର ମିଲେଟ ଚାଷର ଲକ୍ଷ୍ୟ ରଖାଯାଇଛି।

The Hans India

ମିଲେଟ କହିଲେ ମାଣ୍ଡିଆ, କୁଦୋ, ଗୁର୍ଜି, ରକ୍ସି, କାଙ୍ଗୁ, ବାଜରା, ସୁଆଁ, କ୍ଷୀରା, ଜବାର ସମେତ ୯ଟି ପୋଷଣଯୁକ୍ତ ଖାଦ୍ୟ ଶସ୍ୟକୁ ବୁଝାଏ। ଓଡ଼ିଶା ମିଲେଟ ମିସନରେ ୪ ଶସ୍ୟକୁ ସାମିଲ କରାଯାଏ। ଚଳିତ ବର୍ଷ ୬୧ ହଜାର ହେକ୍ଟରରେ ମାଣ୍ଡିଆ ଏବଂ ୨୦ ହଜାର ୬୦୦ ହେକ୍ଟରରେ କୁଦୋ, ଜୁଆଁର, ସୁଆଁ, କାଙ୍ଗୁ ଭଳି ଅଣ ମାଣ୍ଡିଆ ଚାଷର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ମିଲେଟ ମିସନ ଅଧୀନରେ ପୂର୍ବରୁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁରର ୮୪ ବ୍ଲକ ସାମିଲ ଥିଲା। ଚଳିତ ବର୍ଷ ନୟାଗଡ଼, ବୌଦ୍ଧ, ଝାରସୁଗୁଡ଼ା, ଢେଙ୍କାନାଳ ସାମିଲ କରାଯାଇଛି। କୃଷି ବିଭାଗ ଅନୁସାରେ, ପ୍ରତି ବର୍ଷ ଏକର ପିଛା ୫ରୁ୬ କ୍ବିଣ୍ଟାଲ ଉତ୍ପାଦନ ହୋଇଥାଏ। ରସାୟନିକ ସାର ବ୍ୟବହାର ହେଲେ ୮ରୁ୧୦ କ୍ବିଣ୍ଟାଲ ପର୍ଯ୍ୟନ୍ତ ଉତ୍ପାଦନ ହୋଇପାରେ। କିନ୍ତୁ ଗତବର୍ଷ ମାତ୍ର ୧.୮୮ କ୍ବିଣ୍ଟାଲ ଉତ୍ପାଦନ ହୋଇଥିଲା। ଏଥିପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଥିଲା ବିଭାଗ। ଏହି ଚାଷ ପାଇଁ ଆବଶ୍ୟକ ବିହନର ଅଧିକାଂଶ ଚାଷୀ ନିଜ ପାଖରେ ରଖିଥାଆନ୍ତି। ବାକି କିଛି ଚାଷୀ ବିହନ ନିଗମରୁ ଆଣି ଥାଆନ୍ତି। କମ୍ପାନି ବିହନ ଏତେ ବିକ୍ରି ହେଉନଥିବାରୁ ଚାଷ ଖର୍ଚ ମଧ୍ୟ କମ ହୁଏ। ଉନ୍ନତମାନର ବିହନ ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ଆଇସିଏମଆର ସହିତ ଚୁକ୍ତି ସ୍ବାକ୍ଷରିତ ହେଉଛି। ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହିତ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ପାଇଁ ବର୍ତ୍ତମାନ ମିଲେଟ ମିସନର ୧୫ଟି ଜିଲ୍ଲାରେ ମାଣ୍ଡିଆ ବିତରଣ କରାଯାଉଛି। ୩୦ ଜିଲ୍ଲାର ପିଡିଏସ୍‌ରେ ସାମିଲ ପାଇଁ ଆଉ କେତେ ବର୍ଷ ଲାଗିବ ତାହା ସ୍ପଷ୍ଟ ନାହିଁ। କେବଳ ପିଡିଏସ୍‌ରେ ମିଲେଟ ସାମିଲ ହେଲେ ଚାଷ ଏବଂ ସରକାର ଲାଭରେ ରହିବେ ନାହିଁ। ବାହାରକୁ ରପ୍ତାନି ପାଇଁ ଚାହିଦା ଯୁକ୍ତ ସୁଆଁ, କାଙ୍ଗୁ ଚାଷକୁ ଗୁରୁତ୍ବ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ମିସନ ଶକ୍ତିର ସହାୟତାରେ ମିଲେଟର କେକ୍‌, ମିକ୍ସଚର, ନିମ୍‌କି, ଲଡ଼ୁ, ଛତୁଆ ସମେତ ବିଭିନ୍ନ ପ୍ରକାର ଜଳଖିଆ ପ୍ରସ୍ତୁତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ ଆଉଟ୍‌ଲେଟ ଖୋଲିଛି।

ଚାଷୀଙ୍କ କହିବା ଅନୁସାରେ, ବିଜ୍ଞାପନରେ କୃଷି ବିଭାଗ ପକ୍ଷରୁ ମିଲେଟର ଯେଉଁ ସୁନେଲି ସ୍ବପ୍ନ ଦେଖାଯାଏ ବାସ୍ତବରେ ସେହି ଅନୁସାରେ ଚାଷ ହୁଏ ନାହିଁ। ଏଥିପାଇଁ ଚାଷ ଏବଂ ମିଲେଟ ସଂଗ୍ରହରେ ପରିମାଣର ବଡ଼ ତାରତମ୍ୟ ଦେଖିବାକୁ ମିଳେ। ୧ ଏକର ପିଛା ୧୦ରୁ ୧୫ କ୍ବିଣ୍ଟାଲ ମିଲେଟ ଉତ୍ପାଦନ ହୋଇପାରେ। କିନ୍ତୁ ବିଭିନ୍ନ କାରଣ ଏହାର ଉତ୍ପାଦନ ଏବଂ ଚାଷ ବିଶେଷ ବୃଦ୍ଧି ପାଉନାହିଁ। ଏହାର କାରଣ ହେଲା ମାଣ୍ଡିଆ। ବିଶେଷକରି ମିଲେଟର ଅଣମାଣ୍ଡିଆ ଚାଷ ଏଭଳି ଯେ ଏହାର ଚାଷ ପାଇଁ ଉର୍ବର ଜମି, ପାଣି କିମ୍ବା ସାରର ବିଶେଷ ଆବଶ୍ୟକତା ନାହିଁ। କିନ୍ତୁ ଏହାର ପ୍ରୋସେସିଂରେ ବିଭିନ୍ନ ପ୍ରକାର ସମସ୍ୟା ରହିଛି। ମାଣ୍ଡିଆ ଚାଷ ପାଇଁ ଗୋଟିଏ ଜିଲ୍ଲାରେ ଅନ୍ୟୁନ ୧୦ଟି ଟ୍ରାନ୍ସପ୍ଲାଟିଂ ମେସିନର ଆବଶ୍ୟକତା ରହିଥିବା ଚାଷୀମାନେ କହିଛନ୍ତି। ଗିଲ୍ଡିଂ ମେସିନ, ହାର୍‌ଭେଷ୍ଟିଂ ମେସିନ ଭଳି କୃଷି ଯନ୍ତ୍ରପାତି ଉପଲବ୍ଧ ହେଉନାହିଁ। ଏଥିଯୋଗୁଁ ଚାଷୀ ଏହାକୁ ନେଇ ଆଗ୍ରହ କରୁନାହାନ୍ତି। ମାର୍କେଟିଂରେ ଏମ୍‌ଏସ୍‌ପିରେ ମାଣ୍ଡିଆକୁ ହିଁ ସରକାର ସଂଗ୍ରହ କରୁଛନ୍ତି। କୁଦୋ, ଗୁର୍ଜି, କାଙ୍ଗୁର ପ୍ରକୃତ ମାର୍କେଟ ଚାହିଦା ଥିଲେ ମଧ୍ୟ ଏମ୍‌ଏସ୍‌ପିରେ ମଣ୍ଡିରେ ଏହାର କ୍ରୟ ହେଉନାହିଁ। ଏଥିଯୋଗୁଁ ଚାଷୀ ସହିତ ସରକାର ମଧ୍ୟ କ୍ଷତିଗ୍ରସ୍ତ ହେଉଥିବା ସାମାଜିକ କର୍ମକର୍ତ୍ତାମାନେ କହନ୍ତି। ଗତବର୍ଷ ମଣ୍ଡିରେ ବିକ୍ରି ବେଳେ ନେଟ୍‌ଓ୍ବାର୍କ ସମସ୍ୟା ଯୋଗୁଁ ଅନ୍‌ଲାଇନ ପଞ୍ଜୀକରଣ ପାଇଁ ଏବଂ ଏଥିପୂର୍ବରୁ ପ୍ରାପ୍ୟ ପାଇଁ ଚାଷୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏପରିକି ଥରେ କିଛି ବର୍ଷ ପୂର୍ବରୁ ପ୍ରାପ୍ୟ ପାଇଁ କୋରାପୁଟ ଚାଷୀମାନଙ୍କୁ ଆନ୍ଦୋଳନ ମଧ୍ୟ କରିବାକୁ ପଡ଼ିଥିଲା। ମହତ ଲକ୍ଷ୍ୟ ନେଇ ଆରମ୍ଭ ମିଲେଟ ମିସନରେ ଚାଷ ପାଇଁ ଆବଶ୍ୟକ ଉପକରଣ ଯୋଗାଣକୁ ସରକାର ଗୁରୁତ୍ବ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର