ଭୁବନେଶ୍ବର: ଖୁବ ଶୀଘ୍ର ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି)ରେ ମିଳିବ ମାଣ୍ଡିଆର ମଣ୍ଡା, କାକରା ଏବଂ ସୁପ, କାଙ୍ଗୁର ଉପମା ଏବଂ ଇଟିଲି, ସୁଆଁର ଦୋସା ଏବଂ ବରା ଭଳି ମିଲେଟ୍ ରେ ତିଆରି ବିଭିନ୍ନ ପ୍ରକାର ସ୍ବାଦିଷ୍ଟ କିନ୍ତୁ ପୁଷ୍ଟିକର ଖାଦ୍ୟ। ଏଥିସଂକ୍ରାନ୍ତରେ ଓଡ଼ିଶା ମିଲେଟ ମିସନ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ବର ସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି(ଆଇଏଚଏମ) ଏବଂ ପ୍ରୟୋଗ ପୁଷ୍ଟିକର ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟରେ ସ୍ଥିତ ବିଭିନ୍ନ ଓଟିଡିସିର ୧୮ ଜଣ ସେଫ୍ ଭାଗ ନେଇଥିଲେ। ସୂଚନା ଅନୁଯାୟୀ, ମିଲେଟ କହିଲେ ମାଣ୍ଡିଆ, କୁଦୋ, ଗୁର୍ଜି, ରକ୍ସି, କାଙ୍ଗୁ, ବାଜରା, ସୁଆଁ, କ୍ଷୀରା, ଜବାର ସମେତ ୯ଟି ପୋଷଣଯୁକ୍ତ ଖାଦ୍ୟ ଶସ୍ୟକୁ ବୁଝାଏ।

Advertisment

ଓଡ଼ିଶା ମିଲେଟ ମିସନରେ ୪ ଶସ୍ୟକୁ ସାମିଲ କରାଯାଏ। ପୂର୍ବରୁ ମିଲେଟ୍ କହିଲେ କେବଳ ମାଣ୍ଡିଆ ବୁଝାଉଥିଲା। ଯାହା ସ୍ବାଦିଷ୍ଟ ଏବଂ ପୁଷ୍ଟିକର। କିନ୍ତୁ ସେଥିରେ ଆହୁରି ବିଭିନ୍ନ ପ୍ରକାର ଖାଦ୍ୟ ତିଆରି ହୋଇ ପାରିବ ସେଥିପାଇଁ ମିଲେଟ ମିସନ ପକ୍ଷରୁ ପ୍ରସ୍ତୁତି ଜାରି ରଖିଛି। ଏଥି ଅନ୍ତର୍ଗତରେ ମିଲେଟ୍ ବିସ୍କୁଟ, ମିକ୍ସଚର, ନିମିକି, ଲଡୁ ତିଆରି ହୋଇ ପାରୁଛି। ଗତକାଲି ପ୍ରଧାନମନ୍ତ୍ରୀ ମନକି ବାତ କାର୍ଯ୍ୟକ୍ରମରେ ମିଲେଟ୍ ମିସନ ଏବଂ ମିଲେଟ ବିସ୍କୁଟକୁ ପ୍ରଶଂସା କରିଥିଲେ।

ମିଲେଟ୍ କୁ ଆହୁରି ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ନୂଆଁ ପ୍ରକାର ଖାଦ୍ୟ ତିଆରି କରାଯାଉଛି। ଆଇଏଚଏମ ସଂସ୍ଥାନର ଅଧ୍ୟାପକ କୁମାର ଗୌରବ ଓଟିଡିସି ସେଫମାନଙ୍କୁ ଖାଦ୍ୟ ପ୍ରସ୍ତୁତି ପଦ୍ଧତିକୁ ପରିବର୍ତ୍ତନ ନକରି କିପରି ମିଲେଟକୁ ସାମିଲ କରି ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ପାରିବ ସେ ପାକ ପଦ୍ଧତି କହିଥିଲେ। ମିଲେଟ ମିସନର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଓଡ଼ିଶା ମିଲେଟ ମିସନର ମାର୍କେଟିଂ ବିଶେଷଜ୍ଞ ଐଶିକାନ୍ତ ମହାପାତ୍ର, କାର୍ଯ୍ୟକ୍ରମ ସଂଯୋଜକ ସବନମ ଆଫରିନ ପରିଚାଳନା କରିଥିଲେ।