ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଖୋଲିଲା ମିଲେଟ୍ ଶକ୍ତି କାଫେ

ପୁରୀ : ମିସନ୍‌ ଶକ୍ତି ପକ୍ଷରୁ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଖୋଲିଛି ‘ମିଲେଟ ଶକ୍ତି କାଫେ’। ମାଣ୍ଡିଆ ଦିବସ ଅବସରରେ ଏହି ମାଣ୍ଡିଆ କାଫେ ଉଦ୍‌ଘାଟିତ ହୋଇଛି। ମାଣ୍ଡିଆକୁ ସୁସ୍ବାଦୁ ଖାଦ୍ୟ ରୂପେ ଭେଟି ଦେବା ଉଦ୍ଦେଶ୍ୟରେ ଓଡ଼ିଶା ମିଲେଟ୍‌ ମିସନ୍‌ ଓ ମିସନ ଶକ୍ତି ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।

ମସିନ୍‌ ଶକ୍ତି ବିଭାଗ, କୃଷି ନିର୍ଦେଶାଳୟ, ଏନ୍‌ସିଡିଏସ୍‌ ଓ ଡବ୍ଲୁଏଏସ୍‌ଏସ୍‌ଏଏନ ସହଭାଗିତାରେ ଖୋଲିଥିବା ଏହି କାଫେରେ ମାଣ୍ଡିଆ ଚାଓମିନ, ମାଣ୍ଡିଆ କରଞ୍ଜି ପିଠା, ସୁପ୍‌, ମାଣ୍ଡିଆ ରୋଜ ରୋଜ କେକ୍‌, ମାଣ୍ଡିଆ ଆରିସା ପିଠା, ବାଦାମ ପକୋଡ଼ା, ମାଣ୍ଡିଆ ମଣ୍ଡାପିଠା, ମାଣ୍ଡିଆ ଗୁପ୍‌ଚୁପ୍‌, ମାଣ୍ଡିଆ ସେଉ, ନିମିକି, ମାଣ୍ଡିଆ ଲଡ଼ୁ, ଖୁରୁମା, ମାଣ୍ଡିଆ ମିକ୍ସଚର, ବିସ୍କୁଟ, ମାଣ୍ଡିଆ ମଫିନ, ଛତୁଆ, ମାଣ୍ଡିଆ ଚୂନା, ବାଜରା ଚୂନା, ସୁଆଁ ଚାଉଳ, କାଙ୍ଗୁ ଚାଉଳ, ବ୍ରାଉନ ଟପ୍‌ ମିଲେଟ୍‌ ଚାଉଳ ଆଦି ଉପଲବ୍ଧ ହେବ।

ପୁରୀ ପୌରାଞ୍ଚଳ ମିସନ ଶକ୍ତି ମହାସଂଘ ପକ୍ଷରୁ ଏହି କାଫେ ପରିଚାଳିତ ହେବ। ୧୦ ଜଣ ମହିଳା ଏହା ଜରିଆରେ କର୍ମ ସଂସ୍ଥାନ ପାଇବେ ବୋଲି ପୁରୀ ପୌରାଞ୍ଚଳ ମିସନ୍‌ ଶକ୍ତି ମହାସଂଘ ସଭାନେତ୍ରୀ ଦୀପ୍ତିରେଖା ରାଉତରାୟ କହିଛନ୍ତି। ଏହି ଅବସରରେ ପିପିଲିରେ ମଧ୍ୟ ଏକ ମିଲେଟ୍‌ ସ୍ନାକ୍‌ସ ସେଣ୍ଟର ଆରମ୍ଭ ହୋଇଛି। ଏହା ଲକ୍ଷ୍ମୀନାରାୟଣପୁରର ଶିରିଡି ସାଇ ସ୍ବୟଂସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ହେବ। ବିଡିଓଙ୍କୁ ଏହାର ଦାୟିତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର