କେନ୍ଦୁଝର: ଫୁଲ ଚାଷ କରି ଜଣେ ଚାଷୀ ଲକ୍ଷପତି ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କେନ୍ଦୁଝର ସଦର ବ୍ଲକ୍‌ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମର ଭରତ ଚନ୍ଦ୍ର ନାୟକ ଜଣେ ଚାଷୀ ହୋଇଥିବା ବେଳେ ପ୍ରତିବର୍ଷ ପାରମ୍ପରିକ ଧାନ ଚାଷ କରୁଥିଲେ। ହେଲେ ସେଥିରେ କିଛି ଲାଭବାନ ହୋଇପାରୁ ନଥିଲେ। ତାଙ୍କ ବଡଭାଇ ଶରତ ଚନ୍ଦ୍ର ନାୟକ ସାନଘାଗରା ଗୋଲାପ ବଗିଚାରେ ଫିଲ୍ଡ ଆସିଷ୍ଟାଣ୍ଟ ଭାବେ ଚାକିରି କରିଥିଲେ। ତାଙ୍କ ପରାମର୍ଶ କ୍ରମେ ଭରତ ଚନ୍ଦ୍ର ନାୟକ ଏବଂ ତାଙ୍କ ପୁତୁରା ମଳୟ କୁମାର ନାୟକ ୮ ବର୍ଷ ପୂର୍ବେ ଫୁଲ ଚାଷ କରିବା ଆରମ୍ଭ କରିଥିଲେ। କଲିକତାରୁ ଗୋଲାପ ଓ ଗେଣ୍ଡୁଫୁଲର ଚାରା ଆଣି ଅଳ୍ପ ଜାଗାରେ ଚାଷ କରିଥିଲେ। ସେଥିରୁ ଭଲ ଦିପଇସା ଲାଭ କରିବା ପରଠାରୁ ଧୀରେଧୀରେ ଫୁଲଚ‌ାଷକୁ ବଢ଼ାଇବା ସହିତ ବର୍ତ୍ତମାନ ୩ ଏକର ଜମିରେ ଫୁଲ ଚାଷ କରୁଛନ୍ତି।  ଆଉ ପ୍ରତିବର୍ଷ ଏହି ଫୁଲ ଚାଷରୁ ୮/୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

Advertisment

ଭରତଙ୍କ କହିବା ଅନୁଯାୟୀ, କେନ୍ଦୁଝରରେ ଗେଣ୍ଡୁ ଫୁଲର ବହୁତ ଚାହିଦା ରହିଛି। ଗେଣ୍ଡୁଫୁଲ ପୂଜାର୍ଚ୍ଚନାଠାରୁ ଆରମ୍ଭ କରି ସାଜସଜା, ବୁକେ, ସଭାସମତି ସବୁଥିରେ ଆବଶ୍ୟକ ପଡ଼ିଥାଏ। ଗେଣ୍ଡୁଫୁଲ ଚାଷକୁ ଅଧିକ ଗୁରୁତ୍ବ ଦିଅନ୍ତି। କୋଲକାତାରୁ ବସ୍‌ରେ ଫୁଲ ଚାରା ମଗାନ୍ତି। ଚାରା ଘରେ ପହଞ୍ଚିବା ପୂର୍ବରୁ ଜମିକୁ ଚାରା ରୋପଣ ପାଇଁ ପ୍ରସ୍ତୁତ କରିଥାଆନ୍ତି। ଚାରା ରୋପଣ ପାଇଁ କିଛି ଶ୍ରମିକଙ୍କୁ ନିୟୋଜିତ କରିବାକୁ ପଡ଼ିଥାଏ। ନଚେତ ଅନ୍ୟ ସମସ୍ତ କାମ ତାଙ୍କ ପରିବାର ଲୋକ କରିଥାଆନ୍ତି।  ଯେପରିକି ଫୁଲ ଗଛରେ ନିୟମିତ ପାଣି ଦେବା, ପୋକ ଲାଗିଲେ ‌ଔଷଧ ପକାଇବା ଏବଂ ଅନ୍ୟାନ୍ୟ ଯତ୍ନ ନେବାକୁ ପଡ଼ିଥାଏ। କହିବାକୁ ଗଲେ ଫୁଲକୁ ଫୁଲ ପରି ଯତ୍ନ ନେବାକୁ ପଡ଼ିଥାଏ।  ପାଖପାଖି ଦେଢମାସରେ ଗେଣ୍ଡୁଫୁଲ ଫୁଟି ଥାଏ। ଏବଂ ତା ପରେ ବିକ୍ରି ଆରମ୍ଭ ହୋଇଥାଏ ।

publive-image image source--mathrubhumi english

ସେହିପରି ଗୋଲାପ ଗଛକୁ ମଧ୍ୟ ଯତ୍ନ ନେବାକୁ ପଡ଼ିଥାଏ। ଗେଣ୍ଡୁ ଫୁଲ ଥରେ ତୋଳା ସରିଲେ ସେଥିରେ ଆଉ ଫୁଲ ଫୁଟେ ନାହିଁ।  ହେଲେ ଗୋଲାପ ‌ଗଛରୁ ପାଖପାଖି ୫/୬ ବର୍ଷ ପର୍ଯ୍ୟନ୍ତ ନିୟମିତ ଫୁଲ ଫୁଟିଥାଏ।  ତାଙ୍କ ବଗିଚାରେ ନାଲି ଗୋଲାପଠାରୁ ଆରମ୍ଭ କରି ହଳଦିଆ, ଧଳା, ଫିଙ୍କ ଏବଂ ଅନ୍ୟାନ୍ୟ ରଙ୍ଗର ଗୋଲାପ ଚାଷ କରିଛନ୍ତି । ମୁଖ୍ୟତଃ ନାଲି ଗୋଲାପର ଚାହିଦା ଅଧିକ ଥିବାରୁ ତାକୁ ବେଶି ପରିମାଣର କରନ୍ତି । ଅନ୍ୟ ରଙ୍ଗର ଗୋଲାପ କେବଳ ବୁକେ ତିଆରି ବ୍ୟବହାର ହେଉଥିବାରୁ ଅଳ୍ପ ପରିମାଣର କରନ୍ତି। ଫୁଲ ତୋଳିବା ପରେ କେନ୍ଦୁଝର ସହର ଥାନା ଛକ ନିକଟରେ ତାଙ୍କର ଦୋକାନ ରହିଛି । ସେଠାରେ ପ୍ରତିଦିନ ଫୁଲ ବିକ୍ରି କରନ୍ତି। ସେଠାରେ ପ୍ରତିଦିନ ଦୁଇରୁ ଅଢେଇ ହଜାର ଟଙ୍କାର ଫୁଲ ବିକ୍ରି କରନ୍ତି। ପୂଜା, ପର୍ବ ପର୍ବାଣୀ ଦିନରେ ୮ରୁ ୧୦ ହଜାର ଟଙ୍କାର ଫୁଲ ବିକ୍ରି କରନ୍ତି। ସେହିପରି ଉତ୍ସବ, ବାହାଘର, ବ୍ରତରେ ମଧ୍ୟ ସାଜସଜା କରନ୍ତି।  ଏପରିକି ବାହାଘର ପାଇଁ ବରଗାଡ଼ି ମଧ୍ୟ ସଜାନ୍ତି। ଏହିପରି ଭାବେ ପ୍ରତିମାସ ୮୦ରୁ ୯୦ ହଜାର ଟଙ୍କାର ରୋଜଗାର ହୋଇଥାଏ ବୋଲି ଭରତ ପ୍ରକାଶ କରିଛନ୍ତି।

କେନ୍ଦୁଝରରେ ଫୁଲର  ଚାହିଦା ରହିଛି । ଆମେ ଯେତିକି ଫୁଲ ବଜାରକୁ ଯାଗାଉଛୁ ତାହା ସମୁଦ୍ରକୁ ଶଙ୍ଖେ। ତେଣୁ ଚାଷୀମାନେ ଫୁଲ ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ଚାଷ କଲେ ଲାଭବାନ ହୋଇପାରିବେ। ଏଥି ପାଇଁ ସରକାରୀ  ଉଦ୍ୟମର ଆବଶ୍ୟକତା ରହିଛି । ତାଙ୍କ ଫୁଲ ଚାଷରେ କୌଣସି ପ୍ରକାର ସରକାରୀ ସହାୟତା ମଳୁନାହିଁ । ତାଙ୍କ ଭାଇଙ୍କ ପରାମର୍ଶ ଏବଂ ନିଜର ଉଦ୍ୟମ ବଳରେ ପ୍ରତିବର୍ଷ ୮ରୁ ୯ ଲକ୍ଷ ଟଙ୍କା ୩ ଏକର ଜମିରୁ ରୋଜଗାର କରୁଛନ୍ତି। ସେହିପରି ଫୁଲ ଚାଷ ସହିତ ପନିପରିବା ଚାଷ ମଧ୍ୟ କରନ୍ତି । ସେଥିରୁ ମଧ୍ୟ ୨/୩ ଲକ୍ଷ ଟଙ୍କା ଲାଭ କରନ୍ତି । ଯାହା ଫଳରେ ସେ ଜଣେ ସଫଳ ଚାଷୀ ହୋଇ ପାରିଛନ୍ତି।