ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଖୋଜାପଲ୍ଲୀ ବଡ଼ଦାଣ୍ତ ସାହିର କୋଟିପତି ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକର କୋଟି କୋଟି ଟଙ୍କାର ଅମାପ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ କେନ୍ଦ୍ରୀୟ ଅର୍ଥନୈତିକ ସଂସ୍ଥା ବାଜ୍ୟାପ୍ତ କରିଛି। ଏନେଇ ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ଗତବର୍ଷ ଅକ୍ଟୋବର ୨୨ ତାରିଖରେ ଖଲ୍ଲିକୋଟ ପୁଲିସ ରଜନୀକାନ୍ତର ଘରେ ଚଢ଼ଉ କରି ୭୫ ଲକ୍ଷ  ୯ହଜାର ଟଙ୍କା, ସାଢ଼େ ୮ କିଲୋ ୫୯୬ ଗ୍ରାମ୍ ସୁନା ଗହଣା, ବିପୁଳ ରୁପା ଅଳଙ୍କାର ସହିତ ୧୦ କିଲୋ ଅଫିମ ଓ ୩୪ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଜବତ ସମ୍ପ ତ୍ତିର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏନେଇ କେସ୍ ନମ୍ବର ୬୪୫ ଅନୁସାରେ ମାମଲା ରୁଜୁ ସହ ରଜନୀକାନ୍ତକୁ ଗିରଫ କରାଯାଇଥିଲା।

Advertisment

ଏହାପରେ ତା’ର ସମ୍ପତ୍ତି ବିଷୟରେ ଅଧିକ ତଦନ୍ତ ପାଇଁ କେନ୍ଦ୍ରୀୟ ଅର୍ଥନୈତିକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। କୋଲକାତାସ୍ଥିତ କେନ୍ଦ୍ର ଅର୍ଥନୈତିକ ମନ୍ତ୍ରାଳୟ (ରାଜସ୍ବ) ଅଧୀନରେ ଥିବା ବିଭିନ୍ନ ତଦନ୍ତକାରୀ ସଂସ୍ଥା ଜରିଆରେ  ତଦନ୍ତ କରାଯାଇଥିଲା। ଏହିକ୍ରମ‌ରେ ରଜନୀକାନ୍ତ ଏବଂ ତା’ର ଦୁଇଭାଇ କମଳାକାନ୍ତ  ଓ ସରୋଜକାନ୍ତ ପଟ୍ଟନାୟକ ଏବଂ ଅନ୍ୟ ଦୁଇଜଣଙ୍କ ନାମରେ ଥିବା ଅଚଳାଚଳ ସମ୍ପତ୍ତି ମଧ୍ୟରୁ ୩୨ ଲକ୍ଷ ୭ହଜାର ୮୨୯ ଟଙ୍କା ଓ ବିଭିନ୍ନ ବ୍ୟାଙ୍କ୍‌ରେ ନଗଦ ଆକାରରେ ଜମା ହୋଇଥିବା  ୪ କୋଟି ୫୨ ଲକ୍ଷ ୧୪ହଜାର ୯୬୦ ଟଙ୍କା ଜବତ ହୋଇଛି। ସେହିପରି ରଜନୀକାନ୍ତ ନାମରେ ବ୍ୟାଙ୍କରେ ୫ କୋଟି ୨୫  ଲକ୍ଷ ୮୭ ହଜାର ୯୬୭ ଟଙ୍କା ଡିପୋଜିଟ୍ କରାଯାଇଥିଲା। ଆପୁ ଓ ଗଞ୍ଜେଇ ସମେତ ବିଭିନ୍ନ ନିଶା ବ୍ୟବସାୟ ମାଧ୍ୟମରେ ରଜନୀକାନ୍ତ ଏହି ସମ୍ପତ୍ତି ଠୁଳ କରାଯାଇଥିଲା। ଏସମସ୍ତ ସମ୍ପତ୍ତିକୁ କେନ୍ଦ୍ରୀୟ ଅର୍ଥନୈତିକ ତଦନ୍ତକାର ସଂସ୍ଥା ବାଜ୍ୟାପ୍ତ କରିଛି। ରଜନୀକାନ୍ତ କନ୍ଧମାଳ ଜିଲ୍ଲାରୁ ମଧ୍ୟ ଟନ୍ ଟନ୍ ଗଞ୍ଜେଇ ଆଣି ବାହାରକୁ ଚାଲାଣ କରିବା ସହ ରାଜ୍ୟରେ ନିଜ ନିଶା ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲା।