କୋଟିପତି କନଷ୍ଟେବଳ: କୋଠା, ବସ୍‌, କାର୍‌, ୨ଟି ସ୍କର୍ପିଓର ମାଲିକ

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ପୁଲିସ କନଷ୍ଟେବଲ। ଅନୁଗୁଳ ଜିଲ୍ଳା ଏସ୍‌ପିଙ୍କ କାର୍ଯ୍ୟାଳୟରେ କନଷ୍ଟେବଲ୍‌ ଭାବେ କାର୍ଯ୍ୟ କରୁଥିବା ପ୍ରମୋଦ ପଟ୍ଟନାୟକଙ୍କ ଆୟବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଭିଜିଲାନ୍ସ ପକ୍ଷରୁ ଆଜି ଏକ ସମୟରେ ୫ଟି ସ୍ଥାନରେ ଚଢଉ କରାଯାଇ ଶ୍ରୀ ପଟ୍ଟନାୟକଙ୍କ ନାମରେ ଥିବା ୧ କୋଟି ୮ ଲକ୍ଷ ୬୮୨ ଟଙ୍କାର ସଂପତ୍ତି ଠାବ କରାଯାଇଛି। ତାଙ୍କର ବ୍ୟାଙ୍କ ଓ ଏଲଆଇସିରେ ଥିବା ଟଙ୍କା ସଂପର୍କରେ ଅଧିକ ଖୋଳତାଡ ଜାରି ରହିଛି। ଆଜି ଭିଜିଲାନ୍ସସ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କ ନାଲକୋନଗରରେ ଥିବା କ୍ୱାର୍ଟର, ଅନୁଗୁଳରେ ଥିବା ଦୁଇ ମହଲା କୋଠା, ବଅଁରପାଳ ଗୋଡ଼ତାଳମୂଳରେ ଥିବା ଘର, କସ୍ତୁରିବାହଲରେ ଥିବା ସଂପର୍କୀୟଙ୍କ ଘର ଏବଂ ଏସ୍‌ପି ଅଫିସରେ ଚଢଉ କରି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଶ୍ରୀ ପଟ୍ଟନାୟକଙ୍କର ୪୪ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଦୁଇ ମହଲା କୋଠା, ଗୋଟିଏ ବସ୍‌ ଓ ଗୋଟିଏ ମିନି ବସ୍‌, ଗୋଟିଏ ଟୟୋଟା ଏଟିଓସ୍‌ କାର, ଦୁଇଟି ସ୍କର୍ପିଓ, ଗୋଟିଏ ବୁଲେଟ୍‌, ଗୋଟିଏ ଆକ୍ଟିଭା ଠାବ କରାଯାଇଥିଲା। ବିଭିନ୍ନ ବ୍ୟାଙ୍କରେ ତାଙ୍କର ୨ ଲକ୍ଷ ୪୦ ହଜାର ଟଙ୍କାର ଜମା ରହିଥିବା ବେଳେ ତାଙ୍କ ଘରକରଣା ସାମଗ୍ରୀର ମୂଲ୍ୟ ୨ ଲକ୍ଷ ୧୪ ହଜାର ଟଙ୍କା ଆକଳନ କରାଯାଇଛି। ତାଙ୍କର ସଂପତ୍ତି ସଂପର୍କରେ ଅଧିକ ଖୋଳତାଡ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର