ବାଲେଶ୍ବର: ଶେଷରେ ଗିରଫ ହେଲେ କୋଟିପତି ରେମୁଣା ତହସିଲଦାର ବିଦ୍ୟାଧର ପତି। କଟକ ଡିଭିଜନ୍ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତ ମଙ୍ଗଳବାର ଦିନ ଶ୍ରୀ ପତିଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏନେଇ ଆଜି ଭିଜିଲାନ୍ସର କଟକ ଡିଭିଜନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଏମ୍ ରାଧାକ୍ରିଷ୍ଣ ସୂଚନା ଦେଇଛନ୍ତି ଯେ, ଉକ୍ତ ଚଢ଼ଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି। ତହସିଲଦାର ଶ୍ରୀ ପତିଙ୍କ ନାଁରେ ୨.୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଫ୍ଲାଟ୍ ଠାବ କରାଯାଇଛି। ଭୁବନେଶ୍ୱର ଶୈଳଶ୍ରୀବିହାରରେ ୧୪୬୦ ବର୍ଗଫୁଟର ୩ ବିଏଚ୍କେ ଫ୍ଲାଟ୍, ରୁଦ୍ରପୁର ଅଞ୍ଚଳରେ ୧୪୨୨ ବର୍ଗଫୁଟର ୩ ବିଏଚ୍କେ ଫ୍ଲାଟ୍, ବାଲେଶ୍ବର ସହର କୁରୁଡ଼ାସ୍ଥିତ ସୁପ୍ରତୀକ ଆପାର୍ଟମେଣ୍ଟ୍ରେ ୧୫୫୪ ବର୍ଗଫୁଟର ଫ୍ଲାଟ୍ ଏବଂ ସୋର ଥାନା ଅଇଁରୀସ୍ଥିତ ତାଙ୍କ ପୈତୃକ ବାସଭବନରେ ଚଢ଼ଉ ହୋଇଥିଲା। ବାଲେଶ୍ବରରେ ତାଙ୍କ ନାଁରେ ବି ୨ଟି ପ୍ଲଟ୍ ରହିଛି। ଏଥିସହ ତହସିଲଦାର ବାବୁଙ୍କ ଘରୁ ୯୧୭ ଗ୍ରାମ ସୁନାଗହଣା ଜବତ ହୋଇଛି। ୧ କୋଟି ଟଙ୍କାର ପୋଷ୍ଟାଲ୍ ଜମା କାଗଜପତ୍ର ମିଳିଛି, ଯେଉଁଥିରେ ୨୦ ଲକ୍ଷ ଟଙ୍କାର ନଗଦ କାରବାର ବି ହୋଇଛି। ଏହାବାଦ୍ ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଅନ୍ୟାନ୍ୟ ଜମା ଓ ପୁଞ୍ଜିନିବେଶ ସମ୍ପର୍କରେ ମଧ୍ୟ ତଥ୍ୟ ମିଳିଛି।
ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ୟୁକୋ ବ୍ୟାଙ୍କରେ ତାଙ୍କ ପତ୍ନୀଙ୍କ ଏକ ବ୍ୟାଙ୍କ ଲକର୍ ରହିଛି। ତେବେ ଏଭଳି ଅଚଳାଚଳ ସମ୍ପତ୍ତି ସେ କିପରି ଠୁଳ କଲେ ଜେରା ବେଳେ ସେନେଇ ଉତ୍ତର ଦେଇପାରି ନଥିବା ଏସ୍ପି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ପତି ୧୯୮୬ ମସିହାରେ କନିଷ୍ଠ କିରାଣି ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ବେଳେ ୨୦୧୫ ମସିହାରେ ଓଆର୍ଏସ୍, ୨୦୨୦ ମସିହାରେ ଓଏଏସ୍ ଭାବେ ପଦୋନ୍ନତି ପାଇଥିଲେ। ଏହି ସମୟ ମଧ୍ୟରେ ସେ ବାଲେଶ୍ବର ସମେତ କଟକ, କେନ୍ଦୁଝର, ମୟୂରଭଞ୍ଜ ଭଳି ଜିଲ୍ଲାରେ ତହସିଲଦାର ଭାବେ କାର୍ଯ୍ୟ କରିଥିଲେ। ସପ୍ତାହେ ପୂର୍ବରୁ ସେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲକୁ ବଦଳି ହୋଇ ଆସିଥିଲେ। ଆଉ ଦୁଇବର୍ଷ ମଧ୍ୟରେ ସେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ। ଶ୍ରୀ ପତିଙ୍କର ପୈତୃକଘର ଏବେ ବି ଟିଣଛପର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/14/rHx66xRmKhCKHAsnNX8V.jpg)