କୋରାପୁଟ/ପଟାଙ୍ଗି/ନନ୍ଦପୁର: ଫସର ଫାଟିଲା ପ୍ରଶାସନର କୋଟିଆ କସରତ। କାହା କଥା ଶୁଣିଲେନି ଭୋଟର। ସ୍ବଇଚ୍ଛାରେ ଆନ୍ଧ୍ରକୁ ଗଲେ ଏବଂ ବିନା ସଂକୋଚରେ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ଘରକୁ ଫେରିଲେ। ଗୋଟିଏ ଦିନରେ ଦୁଇଥର, ପୁଣି ଦୁଇଟି ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଭୋଟ୍‌ ଦେଇ ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି କୋଟିଆ ଭୋଟର। ଗୋଟିଏ ଦିନରେ ଆନ୍ଧ୍ର ଓ ଓଡ଼ିଶାର ବିଧାନସଭା ସହ ଲୋକସଭା ନିର୍ବାଚନ ହେଉଥିବାରୁ ଏଥର କୋଟିଆ ଭୋଟର କାହା ସପକ୍ଷରେ ଯିବେ ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା। ତେବେ ‘ସମ୍ବାଦ’ ପୂର୍ବରୁ ହିଁ କୋଟିଆବାସୀ ଉଭୟ ରାଜ୍ୟ ପାଇଁ ମତଦାନ କରିବେ ବୋଲି ସ୍ପଷ୍ଟ କରିସାରିଥିଲା। ତଥାପି ଚୁପ୍‌ ରହିଲା ପ୍ରଶାସନ। ଶେଷରେ ଆଜି ଭୋଟରଙ୍କୁ ମୁକୁଳା ଛାଡ଼ିଦେଲା। ନା ବାରଣ କଲା ନା ତାଗିଦ କଲା। ଏପରିକି ଭୋଟରଙ୍କୁ ଆନ୍ଧ୍ର ପାଇଁ ଭୋଟ ଦେବାକୁ ସଂପୂର୍ଣ୍ଣ ସହଯୋଗ କରିଥିଲା ଓଡ଼ିଶା ପ୍ରଶାସନ। ଯାହାଫଳରେ ସକାଳେ ଓଡ଼ିଶା ପାଇଁ ଭୋଟ ଦେବାପରେ ଭୋଟର ଆନ୍ଧ୍ରମୁହାଁ ହୋଇଥିଲେ। ତେବେ କେତେ ଭୋଟର ଆନ୍ଧ୍ର ପାଇଁ ଭୋଟ ଦେଲେ ତାହାର ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ।

Advertisment

ଭୋଟରଙ୍କୁ ମୁକୁଳା ଛାଡ଼ିଦେଲା ପ୍ରଶାସନ
ରାଇପାହାଡ଼ ଭୋଟର ବି ଆନ୍ଧ୍ର ଗଲେ
ଆନ୍ଧ୍ରକୁ ଗଲେନି ବାଙ୍ଗାରିଗୁଡ଼ି ଭୋଟର

କୋଟିଆ ପଞ୍ଚାୟତରେ ଓଡ଼ିଶାର ୬୬୬୪ଜଣ ଭୋଟର ରହିଛନ୍ତି। ଶେଷ ଖବର ସୁଦ୍ଧା ପଞ୍ଚାୟତର ୭୫.୬ ପ୍ରତିଶତ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। କୋଟିଆ, ତଳକାଣ୍ଟି, ଫଗୁଣସିନେରୀ, ମାଡ଼କାର, ଗଞ୍ଜେଇପଦର, ଗୁମେଲପଦର, ଥୁରିଆ, ଟାଉପଦର ଓ ରଣସିଂ ବୁଥ୍‌ରେ ଉତ୍ସାହର ସହ ଭୋଟର ପହଞ୍ଚିଥିଲେ। ଓଡ଼ିଶା ପାଇଁ ମତଦାନ କରିବା ପରେ ଭୋଟର ନେରେଡ଼ିବାଲାସାସ୍ଥିତ ଜିସିସି କୋଠା ସହ ଆନ୍ଧ୍ରର ଅନ୍ୟ ତିନିଟି ବୁଥରେ ମତଦାନ ପାଇଁ ପହଞ୍ଚିଥିଲେ। ଚିନ୍ତାର ବିଷୟ ହେଲା ଓଡ଼ିଶାର ପୋଲିଂ ଅଧିକାରୀଙ୍କ ଆଭିମୁଖ୍ୟ। କାରଣ ଓଡ଼ିଶା ପାଇଁ ମତଦାନ କରିବା ସମୟରେ ଭୋଟର ଅଙ୍ଗୁଳିରେ କାଳି ଲଗାଇବେ ନାହିଁ ବୋଲି ଜିଦ୍‌ କରିଥିଲେ। ଯାହାକୁ ବିନା ଦ୍ବିଧାରେ ପୋଲିଂ ଅଧିକାରୀ ସ୍ବୀକାର କରିବା ସହ ବିନା କାଳିରେ ଭୋଟ ଦେବାକୁ ସମସ୍ତଙ୍କୁ ସୁଯୋଗ ଦେଲେ। ଓଡ଼ିଶାର ସମସ୍ତ ବୁଥ୍‌ରେ ଭୋଟରଙ୍କ ଏମିତି ମର୍ଜି ହିଁ ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଓଡ଼ିଶାର ପୋଲିଂ ଅଧିକାରୀ ଏବଂ ପ୍ରଶାସନର ଅସହାୟତା ସଫାସଫା ବାରି ହୋଇଥିଲା। ଓଡ଼ିଶାରେ ଭୋଟ ଦେବାପରେ ଆନ୍ଧ୍ରରୁ ଆସିଥିବା ଗାଡ଼ିରେ ଭୋଟର ବୁହା ହୋଇଥିଲେ। କିନ୍ତୁ ବାରଣ କରିବାକୁ କାହାର ସାହସ ନଥିଲା। ଏପରିକି କିଛି ଭୋଟର ଆନ୍ଧ୍ର ପାଇଁ ଭୋଟ ଦେଇ ଓଡ଼ିଶାର ବୁଥ୍‌କୁ ଆସିଥିଲେ। ହାତରେ କାଳି ‌ଲାଗିଥିବା ଦେଖିଥିଲେ ସୁଦ୍ଧା ମତଦାନ ପାଇଁ ସେମାନଙ୍କୁ ସୁଯୋଗ ଦିଆଗଲା। ପରିସ୍ଥିତିରୁ ପ୍ରଶାସନ କେବଳ ମତଦାନ ହାର ବଢ଼ାଇବା ଲକ୍ଷ୍ୟରେ ବ୍ୟଗ୍ର ରହିଥିବା ସ୍ପଷ୍ଟ ହୋଇଛି। ଭୋଟରଙ୍କ ଏମିତି ଦ୍ବୈତ୍ୟ ଆଭିମୁଖ୍ୟକୁ ଆଜି ନିରବ ରହି ପ୍ରଶାସନ ପରୋକ୍ଷରେ ସମର୍ଥନ କରିଛି। କେବଳ କୋଟିଆ ନୁହେଁ ନନ୍ଦପୁର ବ୍ଲକର ରାଇପାହାଡ଼ରେ ଅନୁରୂପ ଚିତ୍ର ସାମ୍ନାକୁ ଆସିଛି। ପ୍ରଶାସନର କଥାକୁ ଭ୍ରୂକ୍ଷେପ ନକରି ଗାଁର ୩୫ଜଣ ଭୋଟର ସକାଳୁ ସକାଳୁ ଆନ୍ଧ୍ରର ଡୁମ୍ବୁରୁଗୁଡ଼ା ବୁଥ୍‌ରେ ମତଦାନ କରିଥିଲେ। ଅପରାହ୍ନରେ ସେଠାରୁ ଫେରି ଓଡ଼ିଶାରେ ମତଦାନ କରିଥିଲେ। ସେଠାରେ ଅଙ୍ଗୁଳିରେ କାଳି ନଲଗାଇ ଏଠାରେ ଆସି ଭୋଟ୍‌ ଦେଇଥିଲେ। ତେବେ ଅପରାହ୍ନରେ ରାଇପାହାଡ଼ର ଭୋଟର ମତଦାନ କରୁଥିବା ବିଏଲଓ ମୋହନ ଖୁଡା କହିଛନ୍ତି। ଅନ୍ୟପଟେ ପଟାଙ୍ଗି ବ୍ଲକ ଅନ୍ତର୍ଗତ ବାଙ୍ଗାରିଗୁଡ଼ି ଗାଁର ଭୋଟର ଦୁଇଟି ରାଜ୍ୟର ଭୋଟର ହୋଇଥିଲେ ବି ଆନ୍ଧ୍ରକୁ ମତଦାନ ପାଇଁ ଯାଇନାହାନ୍ତି।