ନୀଳଗିରି ଘୋଷଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରିରେ ଦ୍ବିତୀୟ ଦିନରେ ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଗତକାଲି ଶ୍ରୀକ୍ଷେତ୍ର ନିକଟରୁ ରଥ ଆସି ବଡ଼ଦାଣ୍ଡର ହେଡ୍ ପୋଷ୍ଟ ଅଫିସ ନିକଟରେ ଅଟକି ରହିଥିଲା। ରଥ ନିକଟରେ ରାଜା ଜୟନ୍ତ କୁମାର ମର୍ଦ୍ଦରାଜ ହରିଚନ୍ଦନ ନଡ଼ିଆ ଭାଙ୍ଗିବା ପରେ ରଥଟଣା ଆରମ୍ଭ ହୋଇଥିଲା। ମା’ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିବା ବେଳେ ଛୋଟ ରଥକୁ କୁନି କୁନି ପିଲାମାନେ ଟାଣିଥିବା ଦେଖିବାକୁ ମିଳିଛି। ପରମ୍ପରା ଅନୁଯାୟୀ ନୀଳଗିରିରେ ୨ ଦିନ ଧରି ରଥ ଟଣା ଯାଇଥାଏ। ଦ୍ବିତୀୟ ଦିନରେ ନିର୍ଦ୍ଧାରିତ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ (ଜନ୍ମବେଦି) ମାଉସୀ ମା’ ମନ୍ଦିରରେ ପହଞ୍ଚିଛି। ରଥ ଆଗେ ଆଗେ ଭଜନ କୀର୍ତ୍ତନ ସହ ଶଙ୍ଖ ଓ ମୃଦଙ୍ଗ ବାଦନ ତଥା ହୁଳହୁଳିରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ଧାରାବିବରଣୀ ଅବସରପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ମହାନ୍ତି, ଅଧ୍ୟାପକ ପ୍ରଦୀପ ମିଶ୍ର ଦେଇଥିଲେ। ମାଜିଷ୍ଟ୍ରେଟ୍‌ ଭାବେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଓ ପରିଚାଳକ ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ବାଳ ରହିଥିଲେ। ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ବିଭିନ୍ନ ବିଭାଗର ଅଧିକାରୀମାନେ ସହଯୋଗ କରିଥିଲେ।

ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ସୁକାନ୍ତ କୁମାର ନାୟକ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ନୀଳଗିରି ବ୍ଲକ୍ ଅଧକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନ୍‌ଏସି ଅଧକ୍ଷା ଅମ୍ବିକା ଦାସ, ୧୩ ନମ୍ୱର ଜୋନ ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ସମାଜସେବୀ ଶରତ ଦାସ, ଗଙ୍ଗାଧର ମିଶ୍ର, ସାଂସଦ ପିଏ ଚନ୍ଦ୍ରବିନ୍ଦୁ ଦାସଙ୍କ ସମେତ ବହୁ ରାଜନେତା, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ବ୍ୟାପକ ପୁଲିସ ମୁତୟନ କରା ଯାଇଥିଲା। ନୀଳଗିରିର ଭରପ୍ରାପ୍ତ ଆଇଆଇସି ବିରଞ୍ଚି ନାରାୟଣ ସାହୁଙ୍କ ନେତୃତ୍ବରେ ୩୦ ଜଣ ପୁଲିସ୍ ଅଫିସର, ୫ ପ୍ଳାଟୁନ ଫୋର୍ସ, କର୍ମଚାରୀ, ହୋମଗାର୍ଡ ନିୟୋଜିତ ହୋଇଥିଲେ। ଏନଏସି ପକ୍ଷରୁ ଦ ୟୁରେକା ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କର୍ମଚାରୀ ଓ ସଭାପତି ନିତ୍ୟାନନ୍ଦ ଦାସଙ୍କ ଉପସ୍ଥିତିରେ ସଫେଇ କାର୍ଯ୍ୟ କରାଯାଇଥିଲା। ଅପରପକ୍ଷରେ ବଡ଼ଦାଣ୍ଡ ପୋଷ୍ଟ ଅଫିସ ସମ୍ମୁଖରେ ଶିଶିର ମହାପାତ୍ର ଫାଉଣ୍ଡେସନମୁଖ୍ୟ ସବ୍ୟସାଚୀ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଦହି ସରବତ ବଣ୍ଟନ ସହ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର