ପୁରୀ : ଶନିବାର ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। କରୋନା କଟକଣା ପରେ ଆଜି ସର୍ବାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଧାଡ଼ିରେ ଯାଇ ସିଂହଦ୍ବାରରେ ପ୍ରବେଶ ପରେ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି। ଭିଡ଼ ଏତେ ଥିଲା ଯେ ଆଜି ଶ୍ରୀକୃଷ୍ଣ ସିନେମା ହଲ୍ ଛକଠାରୁ ଲମ୍ବାଧାଡ଼ିରେ ରହି ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆଜି ମହାପ୍ରଭୁଙ୍କ ପଦ୍ମବେଶ ସହ ଶନିବାର ଛୁଟିଦିନ ରହିଥିଲା। ପ୍ରତି ସପ୍ତାହରେ ଶନିବାରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳେ। ଆଜି ବି ସକାଳୁ ଭିଡ଼ ଆରମ୍ଭ ହୋଇଯାଇଥିଲା। ସମୟ ଗଡ଼ିବା ସହ ଭକ୍ତଙ୍କ ଭିଡ଼ରେ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଯାଇଥିଲା। ମଧ୍ୟାହ୍ନ ବେଳକୁ ସତେ ଯେପରି ଭିଡ଼ ଅସମ୍ଭାଳ ହୋଇପଡ଼ିଥିଲା। ନୂଆ ସେଡ୍ ପାଖ ବାରିକେଡ୍ ଡେଇଁ ଭକ୍ତମାନେ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ। ଚାହୁଁ ଚାହୁଁ ଶ୍ରୀକୃଷ୍ଣ ସିନେମା ହଲ୍ ଛକ ପର୍ଯ୍ୟନ୍ତ ଧାଡ଼ି ଲମ୍ବି ଯାଇଥିଲା। ଏହା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ସପରିବାର ମହାପ୍ରସାଦ ସେବନ କରି ଫେରିଥିଲେ। ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ରାତିରେ ପଦ୍ମବେଶ ଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp