ନୀଳାଦ୍ରୌ ଦଶ ବର୍ଷାଣୀ, ଗୁଣ୍ଡିଚା ମଣ୍ଡପେ ଦିନେ…: ଜନ୍ମବେଦିରେ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ : ‘ନୀଳାଦ୍ରୌ ଦଶବର୍ଷାଣୀ, ଗୁଣ୍ଡିଚା ମଣ୍ଡପେ ଦିନେ। ତିବାତି ଦର୍ଶନଂ ପୁଣ୍ୟଂ, ରାତୌ ଦଶଗୁଣ ଭବେତ୍‌’। ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରେ ଦଶ ବର୍ଷ ଦର୍ଶନ କରିବା, ଗୁଣ୍ଡିଚା ମଣ୍ଡପରେ ଦିନଟିଏ ଦର୍ଶନ କରିବା ସହ ସମାନ। ସେହିଭଳି ଦିନରେ ଦର୍ଶନ ଅପେକ୍ଷା ରାତ୍ରି ଦର୍ଶନର ଫଳ ଦଶଗୁଣ ଅଧିକ ବୋଲି ପୁରାଣରେ ବିଦିତ ଅଛି। ତେଣୁ ଜନ୍ମବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ବିପୁଳ ସମାଗମ ହୋଇଛି। ‌ସ୍ଥାନୀୟ ବାସିନ୍ଦାମାନେ ଆଡ଼ପ ମଣ୍ଡପରେ ଦର୍ଶନ ଲାଗି ଚାତକ ଭଳି ଚାହିଁ ବସିଥିବା‌ ବେଳେ ରବିବାର ଭୋରୁ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ସମୟ ଯେତେ ବଢ଼ୁଥିଲା, ଭକ୍ତଙ୍କ ପାଦ ସେତେ ବଢ଼ିଥିଲା। ଲକ୍ଷାଧିକ ଭକ୍ତ ରବିବାର ଦିନ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ପୂର୍ବାହ୍‌ଣ ବେଳକୁ ଭିଡ଼ ବ୍ୟାପକ ହୋଇଥିଲା। ଗୁଣ୍ଡିଚା ମନ୍ଦିରରୁ ତିନି ଥାକିଆ ଧାଡ଼ି କରାଯାଇଥିଲା। ଗୁଣ୍ଡିଚା ମନ୍ଦିରରୁ ବଡ଼ଶଙ୍ଖ ଯାଏ ଧାଡ଼ି ଲମ୍ବିଥିଲା। ଭକ୍ତମାନେ ଦର୍ଶନ କରିବା ପାଇଁ ବହୁ ସମୟ ପର୍ଯ୍ୟନ୍ତ ଖରାରେ ଛିଡ଼ା ହୋଇଥିଲେ। ଲୋକଙ୍କ ଭିଡ଼ ଦେଖିବା ପରେ ଅସ୍ଥାୟୀ ବ୍ୟାରିକେଡ୍‌କୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ତେବେ ଆଡ଼ପ ମଣ୍ଡପରେ ଦର୍ଶନ ଲାଗି ଏତେ ସଂଖ୍ୟକ ଭକ୍ତ ହେବା ନେଇ ପ୍ରଶାସନ ଆକଳନ କରିନଥିବାରୁ ଭକ୍ତଙ୍କ ପାଇଁ ଦର୍ଶନ ନେଇ କୌଣସି ବ୍ୟବସ୍ଥା ହୋଇନଥିଲା। ଖରା ଓ ଗୁଳୁଗୁଳି ଯୋଗୁ ଲୋକେ ଛଟପଟ ହୋଇଥିଲେ। ଯନ୍ତ୍ରଣା କେବଳ ଏତିକିରେ ସରିନଥିଲା। ଲୋକେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବା ପରେ ମଧ୍ୟ ୧ ଘଣ୍ଟା ପହୁଡ଼ ପଡ଼ିଥିବାରୁ ଦର୍ଶନ ପାଇଁ ପ୍ରବେଶ କରିଥିବା ଭକ୍ତମାନେ ଯନ୍ତ୍ରଣା ଭୋଗିଥିଲେ। ମନ୍ଦିର ମଧ୍ୟରେ ଛାଇ କମ୍‌ ଥିବା ବେଳେ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପହୁଡ଼ ପଡ଼ିଥିବାରୁ ଭକ୍ତମାନେ ମନ୍ଦିରରେ ଅପେକ୍ଷା କରି ରହିଥିଲେ ହେଁ ଖରାରେ ବସି ରହିଥିଲେ।

 

ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରୀଜିଉଙ୍କ ଜନ୍ମସ୍ଥଳୀ। ତେଣୁ ଏହାକୁ ଜନ୍ମ ମହାବେଦି, ଅନ୍ତର୍ବେଦି, ଜନକପୁରୀ, ନୃସିଂହକ୍ଷେତ୍ର, ଆଡ଼ପମଣ୍ଡପ, ରାସମଣ୍ଡପ, ଜନ୍ମ ମଣ୍ଡପ, ଯଜ୍ଞ ମଣ୍ଡପ ରୂପେ ଅଭିହିତ କରାଯାଇଛି। ସ୍ବୟଂ ବିଷ୍ଣୁ ରଥରେ ବିହାର କରୁଥିବାରୁ ଏହି ମହାବେଦି ମହୋତ୍ସବ ଅତ୍ୟନ୍ତ ଶ୍ରେୟସ୍କର ବୋଲି ବିଚାର କରାଯାଏ। ତେଣୁ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲୋକେ ପ୍ରତୀକ୍ଷା କରିଥାଆନ୍ତି। ଫଳସ୍ବରୂପ ଶ୍ରୀମନ୍ଦିରର ଅପେକ୍ଷା ଆଡ଼ପମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ।

ରବିବାର ଦିନ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମୁଖ୍ୟ ମନ୍ଦିର ଏବଂ ଯଜ୍ଞ ନୃସିଂହ ମନ୍ଦିର ନିକଟ ଦ୍ବାର ଦେଇ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରବେଶ କରିଥିଲେ। ଅଧିକାଂଶ ଭକ୍ତ ମୁଖ୍ୟ ମନ୍ଦିର ବାଟ ଦେଇ ଦର୍ଶନ ପାଇଁ ଯାଇଥିଲେ ହେଁ ସ୍ଥାନୀୟ ଭକ୍ତମାନେ ଯଜ୍ଞ ନୃସିଂହ ମନ୍ଦିର ନିକଟ ଦ୍ବାର ଦେଇ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଆଜି ଆଡ଼ପ ମଣ୍ଡପ ଅବଢ଼ା ଉପଲବ୍ଧ ହେଉଥିବାରୁ ମହାପ୍ରସାଦ ସେବନ ଆଶାରେ ଲକ୍ଷଲକ୍ଷ ଭକ୍ତ ମନ୍ଦିରକୁ ପ୍ରବେଶ କରିବା ପରେ ଅପରାହ୍‌ଣ ପର୍ଯ୍ୟନ୍ତ ଫେରିନଥିଲେ। ପୁଲିସ୍‌ ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଲମ୍ବା ଧାଡ଼ିରେ ନଯାଇ କିଛି ଭକ୍ତ ଧାଡ଼ି ମଝିରେ ପଶିବାକୁ ଉଦ୍ୟମ କରିବାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଧାଡ଼ିର ଦୁଇ ପାର୍ଶ୍ବରେ ପୁଲିସ୍‌ମାନେ ଜଗି ରହି ଦର୍ଶନ ବ୍ୟବସ୍ଥିତ କରିଥିଲେ।

ଦିବ୍ୟାଙ୍ଗଙ୍କ ପାଇଁ ଆଡ଼ପମଣ୍ଡପ ଦର୍ଶନ ବ୍ୟବସ୍ଥା
ପୁରୀ : ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଆଡ଼ପମଣ୍ଡପଦର୍ଶନ ଅଭିଳାଷ ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଥିଲା। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବାକୁ ନେବା ପାଇଁ ନାକଚଣା ଦ୍ବାର ବାଟରେ ଯିବାର ବ୍ୟବସ୍ଥା କରାଯାଇଥିଲା। ସ୍ବେଚ୍ଛାସେବୀମାନେ ହ୍ବିଲ୍‌ ଚେୟାରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ନେଇ ଦର୍ଶନ ବ୍ୟବସ୍ଥା କରାଇଥିଲେ। ଖୁସି ଯୋଜନାରେ ଯୋଡ଼ି ହୋଇଥିବା ୧୪ ଜଣ ସ୍ବେଚ୍ଛାସେବୀ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ଦର୍ଶନରେ ସହାୟତା କରିଥିଲେ।

ଭିଡ଼ ନିୟନ୍ତ୍ରଣ କଲେ ଏସ୍‌ପି

ପୁରୀ : ରବିବାର ଛୁଟି ଦିନ ରହିଥିବାରୁ ମହାପ୍ରୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାକୁ ଲକ୍ଷାଧିକ‌ ଶ୍ରଦ୍ଧାଳୁ ପୁରୀକୁ ଛୁଟି ଆସିଛନ୍ତି। ଏଥିପାଇଁ ପୁଲିସ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା। ଟ୍ରାଫିକ୍‌ ଜାମ୍‌ ହୋଇଯିବାରୁ ଗୃହରକ୍ଷୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଏହି ଭିଡ଼ ନିୟନ୍ତ୍ରଣ କରିବାରେ ବ୍ୟସ୍ତ ରହିଥିଲେ। ପୁରୀ ଏସ୍‌ପି ଡା. କେ ବିଶାଳ ସିଂହ ମଧ୍ୟ ଭିଡ଼ ନିୟନ୍ତ୍ରଣ କରିବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଥିଲା। ଭକ୍ତମାନେ କିପରି ଶୃଙ୍ଖଳିତ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ, ସେଥିପାଇଁ ବ୍ୟବସ୍ଥା କରିବା ସହ ନିଜେ ପ୍ରତ୍ୟେକ୍ଷ ଭାବେ ଭିଡ଼ ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର