କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପଲମ ଫାଣ୍ଡି ଅଞ୍ଚଳରେ ଅଭିନବ ଉପାୟରେ ଠକେଇ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଇନ୍ଷ୍ଟାଣ୍ଟ ଆପ୍ ବ୍ୟବହାର କରି ୟୁଜିବି ଗ୍ରାହକଙ୍କୁ ଷ୍ଟେଟମେଣ୍ଟ ଦେଲେ ବୋନୋସ୍ ମିଳିବ ବୋଲି କହି ୨ ଲକ୍ଷରୁ ଅଧିକ ଟଙ୍କା ଠିକିଥିବା ଘଟଣାର ପର୍ଦ୍ଦାଫାସ କରିଛି କେସିଙ୍ଗା ପୁଲିସ୍। ଏହି ଘଟଣାରେ ସଂପୃକ୍ତ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଗହୀରପଦର ଗ୍ରାମର ମାଷ୍ଟରମାଇଣ୍ଡ ଶିବ ପ୍ରସାଦ ସାହୁ ଓ ପଲମରେ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ସାହୁଙ୍କୁ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାରେ ବ୍ୟବହୃତ ୪ଟି ମୋବାଇଲ ଓ ଗୋଟିଏ ଥମ୍ବ ମେସିନ୍କୁ ପୁଲିସ୍ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
ସୂଚନାମତେ, ଗତ କିଛି ମାସ ହେଲା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଇନ୍ଷ୍ଟାଣ୍ଟ ଆପ୍ ନାମକ ଏକ ସଂସ୍ଥା ମିନି ଷ୍ଟେଟମେଣ୍ଟ ବାହାର କରିବାର ଫ୍ରାଞ୍ଚାଇଜ୍ ନେଇଛି। ବଲାଙ୍ଗୀର ଲୋଇସିଂହା ଥାନାର ଶିବ ପ୍ରସାଦ ଏହାର ଏଜେଣ୍ଟ ହୋଇଥିବା ବେଳେ ପଲମର ଜିତେନ୍ଦ୍ର ସାହୁଙ୍କ ସମେତ କିଛି ସବ୍ ଏଜେଣ୍ଟ ରହିଛନ୍ତି। ଗ୍ରାହକମାନେ ମିନି ଷ୍ଟେଟମେଣ୍ଟ ବାହାର କଲେ ଖାତାରୁ ଟଙ୍କା କଟିବାର ନିୟମ ରହିଛି। ମାତ୍ର ଏହି ଏଜେଣ୍ଟକୁ ଷ୍ଟେଟମେଣ୍ଟ ବାହାର କଲେ କମିସନ ମିଲୁଥିଲା। ଏଣୁ ଏମାନେ ଯେଉଁ କମିସନ ପାଉଥିଲେ ସେଥିରୁ କିଛି ଗ୍ରାହକଙ୍କୁ ଯେତେ ଅଧିକ ଷ୍ଟେଟମେଣ୍ଟ ବାହାର କରିପାରିବ ସେତେ ଅଧିକ ବୋନୋସ ମିଳିବ ଆଉ ଟଙ୍କା ବି କଟିବନି ବୋଲି କହୁଥିଲେ। ଗ୍ରାହକମାନେ ଥମ୍ବ ଦେଇ ଖାଲି ଷ୍ଟେଟମେଣ୍ଟ ବାହାର କଲେ ପ୍ରତିଦିନ ଟଙ୍କା ମିଳୁଥିବାରୁ ଗୋଟିଏ ଗୋଟିଏ ଗ୍ରାହକ ୫୦ରୁ ୭୦ ଥର ଷ୍ଟେଟମେଣ୍ଟ ବାହାର କରିଥିଲେ।
କିନ୍ତୁ ମାର୍ଚ୍ଚ ମାସରେ ଯିଏ ଯେତେଥର ଷ୍ଟେଟମେଣ୍ଟ ବାହାର କରିଛି, ସେତିକି ଟଙ୍କା ଖାତାରୁ କଟି ଯାଇଥିବା ଅଭିଯୋଗ ହୋଇଛି। ଏହା ଜାଣିବା ପରେ ଗ୍ରାହକମାନେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରିଥିଲେ। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ହାତ ଟେକି ଦେବା ପରେ ଚିନ୍ତାରେ ପଡ଼ିଥିଲେ। ସଂପୃକ୍ତ ଏଜେଣ୍ଟ ଜଣକ ଏହା ଜାଣିବା ପରେ ସେ ଫେରାର୍ ମାରିଥିଲା। ଶେଷରେ ଅନ୍ୟ କୌଣସି ଉପାୟ ନପାଇ ଗ୍ରାହକମାନେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ତଦନ୍ତ ଆରମ୍ଭ କରିଥିଲେ। ଶେଷରେ ବୁଧବାର ମାଷ୍ଟରମାଇଣ୍ଡ ଶିବ ପ୍ରସାଦ ଓ ଏଜେଣ୍ଟ ଜିତେନ୍ଦ୍ର ସାହୁକୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ବ୍ୟାଙ୍କ ଯଦିଓ ନୂଆ ଆପ୍ ଆରମ୍ଭ କରୁଛି ତେବେ କର୍ତ୍ତୃପକ୍ଷ କାହିଁକି ଲୋକଙ୍କୁ ଠିକ ସୂଚନା ଦେଉ ନାହାନ୍ତି ବୋଲି ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।