ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଆର୍‌ପିଏଫ୍‌ ପକ୍ଷରୁ ବିଶାଖାପାଟନମ୍‌-ଅମ୍ରିତସର୍‌ ହୀରାକୁଦ ଏକ୍ସପ୍ରେସ୍‌ରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଶନିବାର ଦିନ ଆର୍‌ପିଏଫ୍‌ ପକ୍ଷରୁ ସିଏଚ୍‌. ନିହାରିକା ଓ ଏସ.ପି. ଦୁବେଙ୍କ ନେତୃତ୍ବରେ ସମ୍ବଲପୁର ରେଳ ଷ୍ଟେସନ୍‌ରେ ଚଢ଼ଉ କରାଯାଇଥିଲା। ହୀରାକୁଦ ଏକ୍ସପ୍ରେସର ଜେନେରାଲ୍‌ କମ୍ପାର୍ଟମେଣ୍ଟରେ ୨ ଜଣ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ନେଇ ଏସ୍‌ଆଇ କେ.ସି. ଉଦୟଭାନୁ ସୂଚନା ଦେଇଥିଲେ।

ଟ୍ରେନ୍‌ଟି ୧୨ଟା ୪୬ ସମୟରେ ସମ୍ବଲପୁର ରେଳ ଷ୍ଟେସନର ପ୍ଲାଟ୍‌ପର୍ମ ନଂ-୧ରେ ପହଞ୍ଚିବା ପରେ ସ୍ବତନ୍ତ୍ର ଟିମ୍‌ ଉକ୍ତ ବଗିକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ୨ ଅଭିଯୁକ୍ତ ବଲାଙ୍ଗୀର ଟାଉନ୍‌ ଥାନା ଅଞ୍ଚଳର ରାଜେଶ୍ ଦାସ(୧୯) ଓ ବୌଦ୍ଧ ଥାନା ଅଞ୍ଚଳର ସୁଶାନ୍ତ ଭୁକ୍ତାଙ୍କ ପାଖରୁ ଗଞ୍ଜେଇ ଭର୍ତ୍ତି ଥିବା ୨ଟି ବ୍ୟାଗ୍‌ ମିଳିଥିଲା। ଉକ୍ତ ୨ ବ୍ୟାଗ୍‌ରୁ ମୋଟ ୧୧ କେଜି ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଆର୍‌ପିଏଫ୍‌ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର