ଜୟପୁର: ଅଗଷ୍ଟ ୯ରେ ଜୟପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଖୀ ପୂର୍ଣ୍ଣିମା ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ରାଜ୍ୟର ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ବାଣ୍ଟିବେ ‘ସୁଭଦ୍ରା’ କିସ୍ତି। କୋଟିଆ ପଞ୍ଚାୟତର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରି ଉକ୍ତ ଦିନ ସହାୟତା ରାଶି ପ୍ରଦାନ କରାଯିବ। 
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଗୁଆ କୋଟିଆ ଯାଇ ‘ସୁଭଦ୍ରା’ ଏନ୍‌ରୋଲ୍‌ମେଣ୍ଟ ଚେକ୍ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କୋଟିଆରେ ଘରେ ଘରେ ‘ସୁଭଦ୍ରା’ ଟଙ୍କା ପହଞ୍ଚାଇବାକୁ ଗୁରୁତ୍ବ ଦେଇଛନ୍ତି ସରକାର। ଏବେ ସୁଦ୍ଧା ଯୋଜନାରେ ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ଛାଡ଼ିଲେ ପର୍ଯ୍ୟାୟ କ୍ରମେ ବଞ୍ଚିତ ହୋଇଥିବା ୧ ଲକ୍ଷ ୮୮ ହଜାର ହିତାଧିକାରୀଙ୍କ ପାଇଁ ବ୍ୟବସ୍ଥା ହେବ। ଯୋଗ୍ୟ ହେଲେ ଅଗଷ୍ଟ ୯ ତାରିଖରେ ମିଳିବ ‘ସୁଭଦ୍ରା’ କିସ୍ତି। ଯେଉଁମାନେ ଜିରୋ ଇନ୍‌କମ୍ ଟ୍ୟାକ୍ସ ଦେଉଥିବେ, ୨.୫ ଲକ୍ଷରୁ ଊର୍ଦ୍ଧ୍ବ ରୋଜଗାର ଥିବ, ସେମାନଙ୍କୁ ‘ସୁଭଦ୍ରା’ କିସ୍ତି ମିଳିବ ନାହିଁ। ଜୟପୁରରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିବା ପରେ ସ୍ବତନ୍ତ୍ର ସମାବେଶ ଆୟୋଜିତ ହେବ। ‘ସୁଭଦ୍ରା’ ଟଙ୍କା ବଣ୍ଟନ ପରେ ମୁଖ୍ୟମନ୍ତ୍ରୀ ଯୋଜନାରେ ଉପକୃତ ହୋଇଥିବା ୫ ହିତାଧିକାରୀଙ୍କ ସହ ଆଲୋଚନା କରିବେ। ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ରାଖୀ ବାନ୍ଧିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।