ଜିରୋ ବାଲାନ୍‌ସ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା କାରବାର, ୭୭ ଲକ୍ଷ ଟଙ୍କା କାହାର? ଉଚ୍ଚସ୍ତରୀୟ ତଦନ୍ତ ଦାବି

ଜଳେଶ୍ବର: ବ୍ୟାଙ୍କ ଗ୍ରାହକଙ୍କ ଅଜାଣତରେ ସେମାନଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଛି। ଏହି ଖବର ଏବେ ଜଳେଶ୍ବର ସହ ଜିଲ୍ଲା ପୁଲିସ ଏବଂ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି।

ଜଳେଶ୍ବର ସହର ଉପକଣ୍ଠ ଝାଡ଼େଶ୍ବରପୁର ଗାଁ’ର ୫ ଜଣ ଜିରୋ ବାଲାନ୍‌ସ ବା ଜନଧନ ଆକାଉଣ୍ଟ ଖାତାଧାରୀଙ୍କ (କାନାରା ବ୍ୟାଙ୍କ ଖାତାଧାରୀ) ଆକାଉଣ୍ଟରେ ସେମାନଙ୍କ ଅଜାଣତରେ ମାସ ମାସ ଧରି କିପରି ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇ ପାରିଲା, ତାହା ଏବେ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଘଟଣାରେ ଝାଡ଼େଶ୍ବପୁର ଗାଁ’ର ଜଣେ ରିଟେଲର ମାଷ୍ଟର ମାଇଣ୍ଡ ବୋଲି ଖାତାଧାରୀମାନେ ଜଳେଶ୍ବର ଥାନାରେ ଦେଇଥିବା ସେମାନଙ୍କ ଅଭିଯୋଗପତ୍ରରେ ଦର୍ଶାଇଥିଲେ ମଧ୍ୟ ଏହି ମାମଲାରେ ଆହୁରି କିଛି ଲୋକଙ୍କ ସମ୍ପର୍କ ରହିଛି ବୋଲି ଅନୁମାନ କରାଯାଉଛି। ଖାତାଧାରୀଙ୍କ ଖାତାରେ ଯେଉଁ ଟଙ୍କା କାରବାର ହୋଇଛି, ତାହା ଓଡ଼ିଶା ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ଜମା ହୋଇଥିବା ଅଭିଯୋଗକାରୀ ଗ୍ରାହକମାନେ କହୁଛନ୍ତି। ଟଙ୍କା ଜମା ପରେ ଏଟିଏମ୍‌ ସାହାଯ୍ୟରେ ଜଳେଶ୍ବର ସହ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସେହି ଟଙ୍କା ଉଠାଯାଇଛି। ଗରିବ ଦିନମଜୁରିଆଙ୍କ ଆକାଉଣ୍ଟରେ ଯେଉଁ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଛି; ସେହି ଟଙ୍କା କେଉଁଠୁ ଆସିଥିଲା, କାହିଁକି ଆସିଥିଲା ଏବଂ ସେହି ଟଙ୍କାକୁ ଏଟିଏମ୍‌ ସାହାଯ୍ୟରେ କିଏ ଉଠାଇଲା; ସେନେଇ ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

ଏହି ଲକ୍ଷ ଲକ୍ଷ ଟଙ୍କା କାରବାରର ଲିଙ୍କ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଏ ବ୍ୟାପିଥିବାରୁ ଏହା ପଛରେ କେହି ରାଷ୍ଟ୍ରବିରୋଧୀ, ନିଶା ମାଫିଆ କିମ୍ବା ଆତଙ୍କବାଦୀ ମାନସିକତାର ଲୋକ ସମ୍ପୃକ୍ତ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଯେଉଁ ୫ ଜଣଙ୍କ ଆକାଉଣ୍ଟରେ ଏପରି ବିନିୟମ କାରବାର ହୋଇଥିବା ଅଭିଯୋଗ ଆସିଛି, ସେମାନଙ୍କ ଆକାଉଣ୍ଟର ମୋଟ କାରବାରର ମୂଲ୍ୟ ୭୭ ଲକ୍ଷ ଟଙ୍କା ହେବା ଘଟଣାର ଗୁରୁତ୍ବକୁ ବଢ଼ାଇ ଦେଇଛି। କାନାରା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅକଳରେ ପକାଇଛି। ଜନଧନ ଜିରୋ ଆକାଉଣ୍ଟରେ ମାତ୍ର କିଛି ମାସ ମଧ୍ୟରେ ଗୋଟିଏ ଗୋଟିଏ ଆକାଉଣ୍ଟ ପିଛା ୩ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଟଙ୍କା ଯାଏ କାରବାର କିପରି ହୋଇପାରିଲା?

ବ୍ୟାଙ୍କ କର୍ତ୍ତୃପକ୍ଷ ଏ ସମ୍ପର୍କରେ କାହିଁକି ଜାଣି ପାରିଲେନି? କାରବାରରେ ବ୍ୟାଙ୍କର କେହି କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି? ଏପରି ନାନା ପ୍ରଶ୍ନ ଉଠିଛି। ସବୁଠାରୁ ବଡ଼କଥା ହେଲା; ଏହିପରି ଏକ ସମ୍ବେଦନଶୀଳ ମାମଲାରେ ବ୍ୟାଙ୍କ କର୍ତ୍ତୃପକ୍ଷ କେବଳ ଖାତାଧାରୀଙ୍କୁ ନୋଟିସ୍ କରି ଚୁପ୍ ହୋଇ ବସି ଯାଇଛନ୍ତି ନାଁ ବିଭାଗୀୟ ତଦନ୍ତ କରୁଛନ୍ତି, ସେନେଇ ଗଣମାଧ୍ୟମ ପ୍ରତିନିଧି ବାରମ୍ବାର ଜାଣିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନଙ୍କୁ ଅନ୍ଧାରରେ ରଖାଯାଉଛି। ଯାହା ବ୍ୟାଙ୍କର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସବୁ ଦୃଷ୍ଟିରୁ ଏହି ମାମଲାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ପୁଲିସ ଗୁରୁତର ସହ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର