କଳାହାଣ୍ଡି ଉପରେ ଆନ୍ତର୍ଜାତିକ ରତ୍ନପଥର ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି, ଭିଟାମାଟିରେ କୋଟି କୋଟି ଟଙ୍କାର ରତ୍ନପଥର

ତଥାପି ଦାଦନ ଯାଉଛନ୍ତି ଲୋକେ

ଜୁନାଗଡ଼: କଳାହାଣ୍ଡି ଉପରେ ଏବେ ଆନ୍ତର୍ଜାତିକ ରତ୍ନପଥର ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି। ବେଆଇନ୍‌ ଭାବରେ ଖଣି ଖନନ ଚାଲିଥିବାବେଳେ ପ୍ରଶାସନର ନାକ ତଳେ ହେଉଛି ଚୋରା ଚାଲାଣ। ଏପଟେ ଜିଲ୍ଲାରେ କୋଟି କୋଟି ଟଙ୍କାର ରତ୍ନପଥର ଥିବାବେଳେ ପ୍ରକ୍ରିୟାକରଣ ବ୍ୟବସ୍ଥା ନଥିବାରୁ ଏହା ଅଞ୍ଚଳର ବିକାଶ କିମ୍ବା ମାନବ ସମ୍ବଳର ବିନିଯୋଗ କ୍ଷେତ୍ରରେ କୌଣସି କାମକୁ ଆସୁନାହିଁ। ସମୃଦ୍ଧି ସ‌‌ତ୍ତ୍ବେ ଲୋକେ ପେଟ ଚାଖଣ୍ଡକ ପାଇଁ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି।

ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ କର୍ଲାପାଟ ଅଭୟାରଣ୍ୟ ଜୁନାଗଡ଼ ଓ ଭବାନୀପାଟଣା ରେଞ୍ଜ୍‌ ଅଧୀନରେ ରହିଛି। ଚାରି ଦଶନ୍ଧି ଧରି ହଜାର ହଜାର କୋଟିର ମୂଲ୍ୟବାନ ରତ୍ନପଥର ସମ୍ପୃକ୍ତ ଅଞ୍ଚଳରୁ ଆନ୍ତର୍ଜାତିକ ଖଣି ମାଫିଆଙ୍କ ଦ୍ୱାରା କଣ୍ଟାବାଞ୍ଜି ଦେଇ ସୁରଟ ଓ ରାଜସ୍ଥାନକୁ ଚୋରାଚାଲାଣ ହେଉଛି। ଏଥିରେ ରତ୍ନପଥର ମାଫିଆମାନେ, ସୁରଟ ଓ ରାଜସ୍ଥାନର ଲୋକେ ଲାଭବାନ ହେଉଛନ୍ତି। ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ ରତ୍ନପଥର ବାହାରୁଥିଲେ ମଧ୍ୟ ଅଞ୍ଚଳବାସୀ ଦାଦନ ଖଟିବାକୁ ଯାଉଛନ୍ତି। ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ଜିଲିଙ୍ଗଦର, ରବଣ ଡଙ୍ଗର, ଲାଇନ ଡଙ୍ଗର, ଭବାନୀପାଟଣା ବ୍ଲକ୍‌ ଅନ୍ତର୍ଗତ ଲାବଣ୍ୟସର, ଓଲବାହାଲି, କାଶୀପଦର, କେନ୍ଦୁକୁପଲା, କୁନକୁତା, ଭାଲୁଚୁଆଁ, ମାକର ଚୁଆଁ, ଉଡ଼ରୁଙ୍ଗ, ଓଲମା, ବାନ୍ଧନଡ଼ଙ୍ଗର ତଥା ଥୁଆମୂଳ ରାମପୁର ବ୍ଲକ୍‌ର କିଛି ଅଞ୍ଚଳରେ କ୍ବାର୍ଟସାଇଜ, ନୀଲମ, ମାଣିକ୍ୟ, ମୁନ୍‌ଷ୍ଟନ, ରୁବି, ପନ୍ନା ଆଦି ମୂଲ୍ୟବାନ ରତ୍ନପଥର ଅବାଧରେ ବ୍ୟାପକ ଭାବେ ଚୋରାରେ ଖଣି ଖନନ ହେଉଥିବା ଅଭିଯୋଗ ହେଉଛି। ଜୁନାଗଡ଼ ଅଞ୍ଚଳର ହିଂଜିଲିବାହାଳି ଓ ଜିଲିଙ୍ଗଦର ରତ୍ନପଥର ଖଣିକୁ ଗତ ୩୦ ବର୍ଷ ପୁବେ ଓଏମ୍‌ସି କମ୍ପାନି ଖଣି ଖନନ କରୁଥିଲା। ପରେ ଏହି ଖଣିକୁ ଜେମକୋ ନାମକ ଏକ କମ୍ପାନି ଖନନର ଦାୟିତ୍ୱ ନେଇଥିଲା। ବର୍ତ୍ତମାନ ସମସ୍ତ ଖଣି ଖନନ ବନ୍ଦ ଅଛି ଏବଂ ଏହାର ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ରହିଛି। କିନ୍ତୁ ସଂରକ୍ଷିତ ଜଙ୍ଗଲ, ପ୍ରସ୍ତାବିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ ଆଦି ଅଞ୍ଚଳରେ ଚୋରାରେ ଖଣି ଖନନ ଚାଲିଥିଲା ବେଳେ ବିଭାଗ ନିରବଦ୍ରଷ୍ଟା ସାଜିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ସମସ୍ତ ଖଣି ଖାଦାନର ସୁରକ୍ଷା ରାଜ୍ୟ ସରକାରଙ୍କ ହାତରେ ଥିବାବେଳେ କିଭଳି ରତ୍ନପଥର ଚୋରାରେ ଚାଲାଣ ହେଉଛି ସେନେଇ ଭିଜିଲାନ୍ସ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଦୁର୍ଗମ ଅଞ୍ଚଳର ଅନେକ ଲୋକେ ମନରେଗା ବୋଲି ଯୋଜନା କିଛି ଜାଣିନାହାନ୍ତି। ତେଣୁ ଏହି ଅଞ୍ଚଳରେ ମିଳୁଥିବା ରତ୍ନପଥରକୁ ଯୋଜନାବଦ୍ଧ ଭାବେ ପ୍ରକ୍ରିୟାକରଣ ହେଲେ ଏଠିକାର ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ହୋଇପାରନ୍ତା।

ସମ୍ବନ୍ଧିତ ଖବର