ଆକାଉଣ୍ଟ୍‌ରେ କୋଟି କୋଟି କାରବାର

କେବଳ ଗୋଟିଏ ଆକାଉଣ୍ଟରେ ୨.୬୪ କୋଟି
ମଦ ବ୍ୟବସାୟୀ, ବାଲି ମାଫିଆ ଟଙ୍କା ଜମା କରିଥିଲେ!
ଆକାଶ ପାଠକଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛନ୍ତି ପ୍ରଦୀପ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଉଣ୍ଟରୁ ଆଉ ୧କୋଟି ୨୮ଲକ୍ଷ ଟଙ୍କା ମିଳିଛି। ଆଜି ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ୨୫ ତାରିଖରୁ ଏ ମଧ୍ୟରେ ପ୍ରାୟ ୧୬କୋଟି ୫ଲକ୍ଷ ଟଙ୍କା ବାପ-ପୁଅଙ୍କ ଠାରୁ ଠାବ ହେଲାଣି। ସେପଟେ ଅଭୟ ଓ ଆକାଶ କେଳେଙ୍କାରୀ ପ୍ରସଙ୍ଗ ଭିତରକୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଧସେଇ ପଶିଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ୪ମାସ ମଧ୍ୟରେ ପ୍ରଦୀପଙ୍କ ଆକାଉଣ୍ଟରେ ପ୍ରାୟ ୨ କୋଟି ୬୩ ଲକ୍ଷ ୯୪ ହଜାର ୭୮୬ ଟଙ୍କା କାରବାର ହୋଇଛି। ଶ୍ରୀ ପାଣିଗ୍ରାହୀଙ୍କର ବ୍ରହ୍ମପୁର କୋର୍ଟପେଟା ଆକାଉଣ୍ଟ ଜରିଆରେ ଏହି ଅର୍ଥ କାରବାର ହୋଇଛି। ସବୁଠାରୁ ବଡ଼ କଥା ହେଲା, ଗତ ନଭେମ୍ବର ୨ ତାରିଖରେ କମ୍ବୁ ପାଣିଗ୍ରାହୀଙ୍କ ଜରିଆରେ ଏହି ଆକାଉଣ୍ଟକୁ ଆସିଥିବା ୨୦ଲକ୍ଷ ଟଙ୍କା ପ୍ରଦୀପ ସେହି ଦିନ ଆକାଶ ପାଠକ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି। କେବଳ ସେତିକି ନୁହେଁ, ଗୁରୁମୂର୍ତି ଅଏଲ୍ କଂପାନି ଜରିଆରେ ଆସିଥିବା ୪୦ଲକ୍ଷ ଟଙ୍କା ମଧ୍ୟ ଆକାଶ ଆକାଉଣ୍ଟକୁ ସେହିଦିନ ଯାଇଛି।

ପ୍ରଦୀପଙ୍କର ଗୋଟିଏ ଆକାଉଣ୍ଟର ଏଭଳି ସ୍ଥିତି ତଦନ୍ତକାରୀ ଅଧିକାରୀଙ୍କୁ ବିଚଳିତ କରିଦେଲାଣି। ପୂର୍ବରୁ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜଡି ସଭାପତି ନବୀନ ପଟ୍ଟନାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିଥିଲେ ଓ ଆଜି ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଗଞ୍ଜାମ ଜିଲ୍ଲାର ବଡ଼ ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁଙ୍କ ସଂପର୍କୀୟ ରବୀନ୍ଦ୍ର ସାହୁଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ ପାଖାପାଖି ୭୫ଲକ୍ଷ ଟଙ୍କା ଟ୍ରାନ୍‌ସଫର୍ ହୋଇଛି। କାହିଁକି ରବୀନ୍ଦ୍ର ଏହି ଟଙ୍କା ଦେଇଛନ୍ତି? ସେହିଭଳି ଅଗଷ୍ଟ ୨୭ ତାରିଖରେ ସୂର୍ଯ୍ୟ ଫିଲିଙ୍ଗ୍ ଷ୍ଟେସନର ମାଲିକ ସୂର୍ଯ୍ୟ ସାହୁ କାହିଁକି ୪୦ଲକ୍ଷ ଟଙ୍କା ଜମା କରିଛନ୍ତି? ଏସ୍‌ କେ ମହାରଣା କିଏ? ସେ କାହିଁକି ୨୫ଲକ୍ଷ ଟଙ୍କା ଜମା କରିଛନ୍ତି? ସେହିଭଳି ଝୁନୁ ପାଣିଗ୍ରାହୀ କେଉଁ ପରିସ୍ଥିତିରେ ୧୫ଲକ୍ଷ ଟଙ୍କା ଜମା କଲେ?

କୌତୂହଳ କଥା ହେଉଛି, ଗତବର୍ଷ ଶ୍ରୀ ପାଣିଗ୍ରାହୀ ତାଙ୍କ ରୋଜଗାର ପାଖାପାଖି ୧୦ଲକ୍ଷ ଟଙ୍କା ବୋଲି ଆୟକର ବିଭାଗ ରିଟର୍ଣ୍ଣ ଦାଖଲ କରିଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ଏହି ୨କୋଟି ୪୮ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟ ଜରିଆରେ କାରବାର ହେଲା, ତାହା ଏବେ ତଦନ୍ତକାରୀ ଅଧିକାରୀଙ୍କୁ ଆଚମ୍ବିତ କରୁଛି। ଯଦି ଗୋଟିଏ ବ୍ୟାଙ୍କ ଆକାଉଣ୍ଟର ସ୍ଥିତି ଏୟା, ତେବେ ଅନ୍ୟ ଆକାଉଣ୍ଟ ସ୍ଥିତିରେ କଣ ହୋଇଥିବ, ତାହା ତଦନ୍ତ ସାପେକ୍ଷ।

ଉଲ୍ଲେଖଥାଉକି, ରବୀନ୍ଦ୍ର କୁମାର ସାହୁଙ୍କ ଠାରୁ ୭୫ଲକ୍ଷ, ଗୁରୁମୂର୍ତି ଅଏଲ୍ କଂପାନି ଜରିଆରେ ୪୦ଲକ୍ଷ, ସରୋଜ ମିଶ୍ର ୧୫ଲକ୍ଷ, ଏସ୍‌ କେ ମହାରଣା ୨୫ଲକ୍ଷ, କୋମଲେନ୍‌ପାଣି ସାହୁ ୨୦ଲକ୍ଷ, ଗୁରୁକୁଳ ଇଣ୍ଟରନ୍ୟାସନାଲ ୧୦ଲକ୍ଷ, ହେମନ୍ତ କୁମାର ରଥ ୪ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟରେ ଜମା କରିଛନ୍ତି।

ସମ୍ବନ୍ଧିତ ଖବର