କୃଷ୍ଣପ୍ରସାଦ ଦାସ
କଟକ: ଓଡ଼ିଶାରେ ବର୍ଷକୁ ଧଳା ଜହର (ବ୍ରାଉନସୁଗାର) କାରବାର ପରିମାଣ ୭ଶହ କୋଟି ଟଙ୍କାକୁ ଟପି ଗଲାଣି। ରାଜ୍ୟରେ ୧ ଲକ୍ଷରୁ ଅଧିକ ଯୁବକଯୁବତୀ ଏହି ନିଶା କବଳରେ କବଳିତ ହୋଇ ସାରିଲେଣି। ହୋସ୍ ଉଡ଼ାଇଲା ଭଳି ଏଭଳି ଉଦ୍‌ବେଗଜନକ ଚିତ୍ର ଏବେ ସାମନାକୁ ଆସୁଥିବା ବେଳେ କିଛି ବର୍ଷ ଭିତରେ ପଂଜାବ ଭଳି ଓଡ଼ିଶା ବ୍ରାଉନସୁଗାରରେ ବୁଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ମୋଟା ହିସାବରେ ଗୋଟିଏ କିଲୋ ବ୍ରାଉନସୁଗାରର ମୂଲ୍ୟ ହେଉଛି କୋଟିଏ ଟଙ୍କା। ନୂଆ ନୂଆ ଏହି ନିଶାକୁ ଅଭ୍ୟାସ କରୁଥିବା ଜଣେ ଯୁବକ ଦିନକୁ ୨୦ ମିଲିଗ୍ରାମ (ଗୋଟିଏ ପ୍ୟାକେଟ୍)ର ପୁଡ଼ିଆ ସେବନ କରୁଥିବା ବେଳେ ଏହି ନିଶାରେ କବଳିତ ହେବା ପରେ ବ୍ୟବହାର ପରିମାଣ ହାରାହାରି ଭାବେ ୬୦ ମିଲିଗ୍ରାମ (୩ ପ୍ୟାକେଟ୍)କୁ ବଢିଯାଏ। ନିଶା ସେବନକାରୀ ଏହି ୨୦ ମିଲିଗ୍ରାମ ପ୍ୟାକେଟ୍‌କୁ ୪ଶହରୁ ୫ଶହ ଟଙ୍କାରେ କିଣି ଥାଏ। ଯଦି ହାରାହାରି ଭାବେ ଜଣେ ନିଶା ସେବନକାରୀ ଦିନକୁ ୨୦ ମିଲିଗ୍ରାମ ସେବନ କରୁଛି ବୋଲି ଧରା ଯାଏ ତେବେ ଗୋଟିଏ କିଲୋ ବ୍ରାଉନ୍ ସୁଗାରକୁ ୫୦ ହଜାର ଜଣ ସେବନ କରିଥାନ୍ତି। କୌଣସି ରେକର୍ଡରେ ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ବି ରାଜ୍ୟରେ ଏବେ ବ୍ରାଉନସୁଗାର ସେବନକାରୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଅର୍ଥାତ ରାଜ୍ୟରେ ଦିନକୁ ୨ କିଲୋ ବ୍ରାଉନସୁଗାର ବ୍ୟବହାର ହେଉଥିବା ବେଳେ ବର୍ଷକୁ ଏହାର ବ୍ୟବହାର ପରିମାଣ ୭ କ୍ବିଣ୍ଟାଲ ହେବ ବୋଲି ଆକଳନ କରାଯାଉଛି।

Advertisment

ବର୍ଷକୁ ୭ଶହ କୋଟିରୁ ଅଧିକ ଟଙ୍କାର କାରବାର
ଜଗତସିଂହପୁର ସବୁଠୁ ଅଧିକ ପ୍ରଭାବିତ; ପରକୁ ପର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, କଟକ
ଆଫଗାନିସ୍ତାନରୁ ଜଳେଶ୍ବର ଯାଏ ‌ଲମ୍ବିଛି ଚେର

ଏଭଳି ହିସାବରେ ବ୍ରାଉନସୁଗାର ବ୍ୟବସାୟର ପରିମାଣ ଏବେ ୭ଶହ କୋଟିରୁ ଅଧିକ ହୋଇଥିବା ବେଳେ ଖୁବଶୀଘ୍ର ଏହା ହଜାରେ କୋଟି ଟଙ୍କା ଟପିବା ଆଶଙ୍କା କରାଗଲାଣି। ଯେଉଁ ଗୋଟିଏ କିଲୋ ବ୍ରାଉନସୁଗାରକୁ କୋଟିଏ ଟଙ୍କାରେ କିଣା ଯାଉଛି, ନିଶା ସେବନକାରୀ କିଣୁ ଥିବା ଟଙ୍କାକୁ ହିସାବ କଲେ ତାହା ବିକ୍ରି ହେଉଛି ପ୍ରାୟ ଅଢେଇ କୋଟି ଟଙ୍କାରେ। ବ୍ରାଉନସୁଗାର କବଳରେ ପଡ଼ିଥିବା ୧ ଲକ୍ଷରୁ ଅଧିକ ନିଶାଖୋରଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ୧୭ରୁ ୨୫ ବର୍ଷ ବୟସ୍କ ଯୁବକଯୁବତୀ। ଏବଂ ‌ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଛାତ୍ରଛାତ୍ରୀ ହୋଇଥିବା ବେଳେ ବାକି ହେଉଛନ୍ତି ଅପରାଧରେ ସଂପୃକ୍ତ ରହୁଥିବା ଯୁବକ ଏବଂ କିଛି ବେକାର ଯୁବକ। ଏହି ନିଶାରେ ଏବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଜଗତସିଂହପୁର ଜିଲ୍ଲା। ଜଗତସିଂହପୁର ପଛକୁ ଖୋର୍ଦ୍ଧା ଏବଂ ପରକୁ ପର ପୁରୀ, କେନ୍ଦ୍ରାପଡ଼ା ଓ କଟକରେ ରହିଛନ୍ତି ସର୍ବାଧିକ ବ୍ରାଉନସୁଗାର ସେବନକାରୀ। କିନ୍ତୁ ଏହି କାରବାର ଯେଉଁ ଗତିରେ ବଢିବାରେ ଲାଗିଛି, ଖୁବ୍ କମ ଦିନରେ ଏହା ସାରା ଓଡ଼ିଶାର ଯୁବ ବର୍ଗଙ୍କୁ ଗ୍ରାସ କରିବ ବୋଲି ଆଶଙ୍କା କରାଯାଉଛି।
ଏହି କାରବାର ଉପରେ ଅଙ୍କୁଶ ଲଗାଇବା ପୁଲିସ ଏବଂ ସ୍ବତନ୍ତ୍ର ଟାସ୍କ ଫୋର୍ସ ପାଇଁ ଏବେ ଚିନ୍ତାର କାରଣ ହୋଇଛି। ଯେହେତୁ ଖୁବ୍ ଛୋଟ ପ୍ୟାକେଟରେ ଏହା ଚାଲାଣ ହୁଏ, ଏହାକୁ ଧରିବା କଷ୍ଟକର ହୋଇ ପଡୁଛି। ବ୍ରାଉନସୁଗାର ଆଫଗାନିସ୍ତାନରୁ ପାକିସ୍ତାନ ଏବଂ ପାକିସ୍ତାନରୁ ବଙ୍ଗଳାଦେଶକୁ ଆସୁଥିବା ବେଳେ ସେଠାରୁ ଆସୁଛି ପଶ୍ଚିମବଙ୍ଗକୁ। ପଶ୍ଚିମବଙ୍ଗର ମୁର୍ସିଦାବାଦ୍ ଓ ମେଦିନାପୁର ଅଞ୍ଚଳ ଏହି କାରବାରର ପେଣ୍ଠସ୍ଥଳ ହୋଇଥିବା ବେଳେ ସେଠାରୁ ବ୍ରାଉନସୁଗାର ବାଲେଶ୍ବରର ଜଳେଶ୍ବର ଅଞ୍ଚଳକୁ ଆସୁଛି।

ଓଡ଼ିଶାରେ ବାଲେଶ୍ବରର ଜଳେଶ୍ବର କାରବାରର ପେଣ୍ଠ ହୋଇଥିବା ବେଳେ ସେଠାକାର ବେପାରୀ ନିଜ ଅଞ୍ଚଳରେ ବ୍ୟବସାୟ ନ ଲମ୍ବାଇ ଅନ୍ୟ ଜିଲ୍ଲାରେ ବ୍ୟବସାୟକୁ ଗୁରୁତ୍ବ ଦେଉଛନ୍ତି। ନିଜ ଅଞ୍ଚଳରେ ବେପାର କଲେ ଧରା ପଡ଼ିବା, ବିରୋଧର ସମ୍ମୁଖୀନ ହେବା ଭୟରେ ସେମାନେ ଏଭଳି କରୁଥିବା କୁହାଯାଉଛି। ବିଭିନ୍ନ ଏଜେଣ୍ଟ୍ ମାନଙ୍କ ଜରିଆରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବିଦେଶରୁ ଆସୁଥିବା ର ବ୍ରାଉନସୁଗାରକୁ ବାଲେଶ୍ବର-ଜଳେଶ୍ବରର ବ୍ୟବସାୟୀ ଚାଲାଣ କରୁଛନ୍ତି। ସେମାନେ ୧ କିଲୋ ପ୍ୟାକେଟ୍ କରି ବିଭିନ୍ନ ଅଞ୍ଚଳକୁ ପଠାଉଥିବା ବେଳେ ବିଭିନ୍ନ ଜିଲ୍ଲାର ବେପାରୀ ସେଥିରେ ଅନ୍ୟ ଏକ ପାଉଡର୍ ମିଶାଇ ତାହାକୁ ୨୦ ମିଲିଗ୍ରାମର ପୁଡିଆ କରି ସେବନକାରୀଙ୍କୁ ଯୋଗାଇ ଦେଇଥାନ୍ତି। ଏହି କାରବାରରେ ପ୍ରତ୍ୟେକ ସ୍ତରରେ ସଂପୃକ୍ତ ଥିବା ନିଶା ବେପାରୀ ଶହେରୁ ଦୁଇ ଶହ ପ୍ରତିଶତ ଲାଭ ପାଉଛି। ଏଇଥି ପାଇଁ ଏବେ ଏହା ବେକାର ଯୁବ ବର୍ଗଙ୍କ ପାଇଁ ରୋଜଗାରର ଆକର୍ଷଣୀୟ ମାଧ୍ୟମ ପାଲଟିଛି। ଏହି ବ୍ୟବସାୟରେ ନିଜେ ସାମିଲ ହେବା ସହିତ ନିଜେ ନିଶା ସେବନ କରିବା ଯୁବବର୍ଗଙ୍କ ପାଇଁ ଏକ ସହଜ ରୋଜଗାରର ବାଟ ଫିଟାଇ ଦେଇଛି। ଏହି ବ୍ୟବସାୟକୁ ବିଭିନ୍ନ ଅଞ୍ଚଳରେ ପୁଲିସ ଅଧିକାରୀ ପ୍ରୋତ୍ସାହିତ କରୁଥିବାର ପ୍ରମାଣ ବି ମିଳିବାରେ ଲାଗିଛି। ଜଣେ ପୁଲିସ ଅଧିକାରୀ ବ୍ରାଉନସୁଗାର ବେପାରୀକୁ ୭୦ ହଜାର ଟଙ୍କା ବଟି ମାଗିବାର ରେକର୍ଡିଂ ସାମନାକୁ ଆସିବା ପରେ ଏହି କାରବାରକୁ ପ୍ରୋତ୍ସାହିତ କରିବାରେ ନିର୍ଦ୍ଦିଷ୍ଟ ପୁଲିସ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ବଦଳୁଥିବା ଜୀବନଚର୍ଯ୍ୟା, ବେକାରୀ, ଅପରାଧୀକ ପ୍ରବୃତ୍ତି ଏବେ ଏହି କାରବାରକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ କବଳିତ କରିବାକୁ ବସିଥିବା ବେଳେ ଏହାକୁ ରୋକିବା ପାଇଁ ସ୍ବତନ୍ତ୍ର ଅଭିଯାନ, ବ୍ୟାପକ ସଚେତନତା ସୃଷ୍ଟି କରା ନଗଲେ ଓଡ଼ିଶା ଖୁବ୍ କମ ଦିଗରେ ବ୍ରାଉନସୁଗାରରେ ବୁଡ଼ିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।