‘ଭଉଣୀ ତମକୁ ପ୍ରଣାମ…’ : ମିନାକ୍ଷୀଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ଭଦ୍ରକ : କରୋନା ଭୂତାଣୁ ସମଗ୍ର ବିଶ୍ବକୁ କବଳିତ କରିଥିବା‌ବେଳେ ସବୁ ଲୋକ ଏବେ ଗୃହବନ୍ଦୀ। ସ୍ଥିତି ଏମିତି ଯେ, ମୁହଁରେ ମୁଖା ବା ମାସ୍କ ନ ପିନ୍ଧିଲେ ୨ ଶହଠୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡୁଛି। କିନ୍ତୁ ଏମିତି ବି ବହୁ ଲୋକ ଅଛନ୍ତି ଯେଉଁମାନେ କି ୨୦ ଟଙ୍କାରେ ମାସ୍କ କିଣି ପିନ୍ଧିବା ଅବସ୍ଥାରେ ନାହାନ୍ତି। ଅନେକ ନିଜ ଲୁଗାକାନି ଓ ଗାମୁଛାକୁ ମୁହଁରେ ଘୋଡ଼ାଇ ବାହାରକୁ ଯାଉଛନ୍ତି। ଏଭଳି ଗରିବ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଭଦ୍ରକ ଏରଡା ପଞ୍ଚାୟତର ମିନାକ୍ଷୀ ସାହୁ। କରୋନା ଭଳି ମହାବିପତ୍ତିରୁ ଲୋକଙ୍କୁ ସହାୟତା କରିବାକୁ ଯାଇ ମିନାକ୍ଷୀ ଓ ତାଙ୍କର କିଛି ସହଯୋଗୀ ମାସ୍କ ତିଆରିରେ ଲାଗି ପଡ଼ିଛନ୍ତି।

ନିଜେ ମିନାକ୍ଷୀ କହିଛନ୍ତି, ଏହା ପଛରେ ତାଙ୍କର କୌଣସି ବ୍ୟାବସାୟିକ ଉଦ୍ଦେଶ୍ୟ ନାହିଁ। କେବଳ ନିହାତି ଗରିବ ଶ୍ରେଣୀର ଲୋକଙ୍କୁ ଏହା ବାଣ୍ଟିବାକୁ ଆମେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ତିଆରି କରୁଛୁ। ଏହାମଧ୍ୟରେ ଅନେକ ଅଭାବୀ ଲୋକଙ୍କୁ ସେ ଓ ତାଙ୍କର ସହଯୋଗୀ ମାସ୍କ ବାଣ୍ଟି ସାରିଲେଣି। ଖାଲି ସେତିକି ନୁହେଁ, କରୋନା ବିଷୟରେ ସଚେତନ କରିବା ସହ ପ୍ରତିଦିନ ବ୍ୟବହାର କରୁଥିବ‌ା ମାସ୍କକୁ ଭଲ ଭାବେ ଧୋଇ ପୁଣି ପରଦିନ ପିନ୍ଧିବାକୁ ସେ ପରାମର୍ଶ ଦେଉଛନ୍ତି। କହିବାକୁ ଗଲେ କରୋନା ଯୁଦ୍ଧରେ ମିନାକ୍ଷୀ ଜଣେ ସାରଥୀ ପାଲଟିଛନ୍ତି।

ତାଙ୍କ ସଂପର୍କରେ ଜାଣିବା ପରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିନାକ୍ଷୀଙ୍କ ପ୍ରଶଂସାରେ ଶତମୁଖ। ଟୁଇଟ୍ କରି ତାଙ୍କୁ ପ୍ରଣାମ ଜଣାଇଛନ୍ତି। କହିଛନ୍ତି ଯେ, ‘ ଏଭଳି ମହତ୍‌ କାମ ପାଇଁ ଈଶ୍ବର ତାଙ୍କୁ ଆହୁରି ଶକ୍ତି ଓ ସାମର୍ଥ୍ୟ ଦିଅନ୍ତୁ। ମିନାକ୍ଷୀଙ୍କ ପରି ଅନ୍ୟ ଭଉଣୀ ଓ ମାଆମାନେ ଯେଉଁମାନେ ଗ୍ରାମାଞ୍ଚଳରେ ରହୁଛନ୍ତି ସେମାନେ ମଧ୍ୟ ବିଶ୍ବର ଏହି ଦୁର୍ଦ୍ଦିନରେ ଅସହାୟ ଲୋକଙ୍କ ପାଇଁ ସହାୟତାର ହାତ ବଢାନ୍ତୁ।’

ସମ୍ବନ୍ଧିତ ଖବର