ଜୀବନ ଯୁଦ୍ଧରେ ହାରିଗଲେ ମିନତି, ୧୦ ଦିନ ତଳେ ହୋଇଥିଲା କାଡାଭରିକ୍ କିଡ଼୍‌ନି ପ୍ରତିରୋପଣ

ପାତ୍ରପୁର : ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଭୀମପୁର ଗ୍ରାମର ମିନତି ସାମନ୍ତରାୟ। ୧୦ ଦିନ ତଳେ ତାଙ୍କ ଶରୀରରେ କାଡାଭରିକ୍ କିଡ଼୍‌ନି ପ୍ରତିରୋପଣ ପରେ ମିନତି ବଞ୍ଚିବା ନେଇ ଯେଉଁ ଆଶା ସଞ୍ଚାର ହୋଇଥିଲା ତାହା ମଉଳିଯାଇଛି। ଏହି ଘଟଣା ଭୀମପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତାଙ୍କ ସ୍ବାମୀ ତଥା ଶିକ୍ଷକ ଚିତ୍ତ ସାମନ୍ତରାୟ ପତ୍ନୀଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି।

୨୦୧୬ ମସିହାରୁ କିଡ଼୍‌ନିଜନିତ ସମସ୍ୟାରେ ମିନତି ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇସାରିଥିଲା। କେବଳ ଡାଏଲିସିସ୍ ବାବଦରେ ୨୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ହେଲେ ଏକ ଦୁର୍ଘଟଣାରେ ଆହତ ହୋଇ ପ୍ରାଣ ହରାଇଥିବା ସୁଚିତ୍ରା ଦାଶ ତାଙ୍କ ପାଇଁ ଯେମିତି ଦେବଦୂତ ସାଜିଥିଲେ। ସୁଚିତ୍ରାଙ୍କ ବ୍ରେନ୍‌ଡେଡ୍ ପରେ ତାଙ୍କ କିଡ୍‌ନି ଯେଉଁ ଦୁଇଜଣଙ୍କୁ ଦିଆ ଯାଇଥିଲା ସେଥିରୁ ଗୋଟିଏ ମିନତିଙ୍କ ଶରୀରରେ ଲାଗିଥିଲା। ଗତମାସ ୨୬ ତାରିଖରେ ଭୁବନେଶ୍ବରସ୍ଥିତ ଆମ୍ରି ଡାକ୍ତରଖାନାକୁ ମିନତିଙ୍କୁ ଡକାଯିବା ପରେ ଡାକ୍ତରମାନେ ୫ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରି ସୁଚିତ୍ରାଙ୍କ କିଡ଼୍‌ନିକୁ ମିନତିଙ୍କ ଶରୀରରେ ପ୍ରତିରୋପଣ କରିବାରେ ସଫଳ ହୋଇଥିଲେ। ଏହି ଘଟଣା ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା।

ତେବେ କିଡ଼୍‌ନି ପ୍ରତିରୋପଣ ପରେ ବି ମିନତିଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସି ପାରି ନଥିଲା। ତାଙ୍କୁ ନିୟମିତ ରକ୍ତ ଦିଆ ଯାଉଥିଲା। କିଡ଼୍‌ନି ପ୍ରତିରୋପଣରେ ବି ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇସାରିଥିଲା। ତେବେ ଗତକାଲି ରାତିରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ରକ୍ତଚାପ କମିଯିବାରୁ ଶରୀରର କୌଣସି ଅଙ୍ଗ ଠିକ୍ ଭାବେ କାମ କରି ନଥିଲା। ଡାକ୍ତରମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ବେ ଆଜି ଅପରାହ୍‌ଣ ୩ଟାରେ ମିନତି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସନ୍ଧ୍ୟା‌ରେ ଶବକୁ ଭୁବନେଶ୍ବରରୁ ପୁରୀ ନିଆଯାଇ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଥିବା ଜଣାପଡ଼ିଛି। ଭାଜପା ଯୁବ ନେତା ମନୋରଞ୍ଜନ ଦ୍ୟାନସାମନ୍ତରା ଓ ପାତ୍ରପୁର ଶିକ୍ଷକ ସଂଘ କର୍ମକର୍ତ୍ତା ମାନେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର