ସମ୍ବଲପୁର: ବହୁଚର୍ଚ୍ଚିତ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍’ ଖୁବ୍‌ଶୀଘ୍ର ପ୍ରେକ୍ଷାଳୟକୁ ଆସିବ। ଯଦିଓ ତାରିଖ ନିର୍ଦ୍ଧାରିତ ହୋଇପାରି ନାହିଁ, ତେବେ ଅକ୍ଟୋବର ମାସରେ ହିଁ ଏହା ମୁକ୍ତିଲାଭ କରିବ ବୋଲି ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥା ଓ ମୁଖ୍ୟ ଅଭିନେତା ମନୋଜ ମିଶ୍ର କହିଛନ୍ତି। ଶ୍ରୀଧର କହିଛନ୍ତି, ଫିଲ୍ମର ସବୁ କାମ ସରିଯାଇଛି। ଆସନ୍ତା ୬ କିମ୍ବା ୧୩ ତାରିଖ ଏହା ମୁକ୍ତିଲାଭ କରିବ।

Advertisment

ପାନ୍‌ ଇଣ୍ଡିଆ ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ଏକାସଙ୍ଗେ ଫିଲ୍ମର ମୁକ୍ତିଲାଭ ପାଇଁ ଯୋଜନା କରାଯାଇଛି। ଫିଲ୍ମଟି ସମ୍ବଲପୁରୀ, ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଫିଲ୍ମରେ ମୁଖ୍ୟ ଚରିତ୍ରରେ ସମ୍ବଲପୁରର ମନୋଜ ମିଶ୍ର ଅଭିନୟ କରିଥିବା ବେଳେ ବଲିଉଡ୍‌ ଓ ଟଲିଉଡ୍‌ର ବହୁ ବିଶିଷ୍ଟ କଳାକାଳ ଅଭିନୟ କରିଛନ୍ତି। ବଲିଉଡ୍‌ର ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା, ତନକିଲ୍ଲା ଭର୍ତ୍ତିଙ୍କ ସହିତ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର, ଅପ୍ସରା ରାଣୀ ପ୍ରମୁଖଙ୍କ ନିଖୁଣ ଅଭିନୟ ଫିଲ୍ମରେ ଦେଖିବାକୁ ମିଳିବ। ଅତୁଲ କୁଲକର୍ଣ୍ଣି ଓଡ଼ିଆ ଭାଷାରେ ନିଜେ ଡବିଂ କରିଛନ୍ତି। ତେଲୁଗୁ ସିନେମାର ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଆଗଧାଡ଼ିର ଜଣାଶୁଣା ନିର୍ଦ୍ଦେଶକ ରାଜେଶ ଟଚରିଭର୍‌ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲବୋମା ଘଟଣାରୁ ପ୍ରେରଣା ପାଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା କୁହାଯାଇଛି। ବିଭିନ୍ନ ମାମଲା ଓ ସମସ୍ୟା କାରଣରୁ ଫିଲ୍ମଟି ୫ ବର୍ଷ ପରେ ମୁକ୍ତିଲାଭ କରିବାକୁ ଯାଉଛି। କିଛି ମାସ ତଳେ ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇଥିବା ବେଳେ ଦର୍ଶକଙ୍କ ଭଲପାଇବା ଦେଖିବାକୁ ମିଳିଛି। ସମ୍ବଲପୁରୀ ଭାଷାରେ ଏହାକୁ ମୁକ୍ତିଲାଭ କରାଇବା ଦ୍ବାରା ଆଗାମୀ ଦିନରେ ସମ୍ବଲପୁରୀ ଭାଷାରେ ଏଭଳି ଉଚ୍ଚମାନର ଚଳଚ୍ଚିତ୍ର ତିଆରି କରିବାକୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଆଗଭର ହେବେ ବୋଲି ମନୋଜ ମିଶ୍ର କହିଛନ୍ତି। ଫିଲ୍ମଟି ୪ଟି ଭାଷାରେ ମୁକ୍ତିଲାଭ କରୁଥିବା ବେଳେ ଭଲ ସଫଳତା ହାସଲ କରିବ ବୋଲି ମନୋଜ ଆଶା ରଖିଥିବା କହିଛନ୍ତି।