ସମ୍ବଲପୁର: ବହୁଚର୍ଚ୍ଚିତ ଓଡ଼ିଆ ଓ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍’ ଶୁକ୍ରବାର ମୁକ୍ତିଲାଭ କରିଛି। ଶୁକ୍ରବାର ଚଳଚ୍ଚିତ୍ରଟି ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ମୁକ୍ତିଲାଭ କରିଥିବା ବେଳେ ଖୁବ୍‌ଶୀଘ୍ର ଏହା ତେଲୁଗୁ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ଫିଲ୍ମଟି ନିର୍ମାଣ ହେବାକୁ ୫ ବର୍ଷ ଲାଗି ଯାଇଥିବା ବେଳେ ପ୍ରଥମ ଦିନ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସସ୍‌ପେନ୍ସ, ଡ୍ରାମା ଓ ଥ୍ରିଲର୍‌ ସାଙ୍ଗକୁ କଳାକରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

Advertisment

ଫିଲ୍ମର ମୁଖ୍ୟ ଚରିତ୍ରରେ ସମ୍ବଲପୁରର ମନୋଜ ମିଶ୍ର ଅଭିନୟ କରିଥିବା ବେଳେ ବଲିଉଡ୍‌ ଓ ଟଲିଉଡ୍‌ର ବହୁ ବିଶିଷ୍ଟ କଳାକାର ଏଥିରେ ଅଭିନୟ କରିଛନ୍ତି। ବଲିଉଡ୍‌ର ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା, ତନକିଲ୍ଲା ଭର୍ତ୍ତିଙ୍କ ସହିତ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର, ଅପ୍ସରା ରାଣୀ ପ୍ରମୁଖଙ୍କ ନିଖୁଣ ଅଭିନୟ ଫିଲ୍ମରେ ଦେଖିବାକୁ ମିଳିଛି। ଅତୁଲ କୁଲକର୍ଣ୍ଣି ଓଡ଼ିଆ ଭାଷାରେ ନିଜେ ଡବିଂ କରିଛନ୍ତି। ତେଲୁଗୁ ସିନେମାର ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଜଣାଶୁଣା ନିର୍ଦ୍ଦେଶକ ରାଜେଶ ଟଚରିଭର୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥା ପ୍ରଥମ ଦିନରେ ଦର୍ଶକଙ୍କ ଭଲପାଇବା ମିଳିଥିବାରୁ ଖୁସି ଜାହିର କରିଛନ୍ତି।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲବୋମା ଘଟଣାରୁ ପ୍ରେରଣା ପାଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା କୁହାଯାଇଛି।

ପାର୍ସଲ ବୋମାରେ ମୃତ୍ୟୁ ହୋଇଥିବା ସୌମ୍ୟଶେଖର ସାହୁଙ୍କ ବାପା ରବୀନ୍ଦ୍ର ସାହୁ ସମ୍ବଲପୁର ଆଇଲେକ୍ସରେ ଅନୁଷ୍ଠିତ ପ୍ରିମିୟର୍‌ ସୋରେ ସାମିଲ ହୋଇଥିଲେ। ସମ୍ବଲପୁର ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଅଭିନେତା ମନୋଜ ମିଶ୍ର, ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କ ସମେତ ବହୁ କଳାକାର ପ୍ରିମିୟର୍‌ ସୋ ଦେଖିବା ସହ କେକ୍‌ କାଟି ଉଦ୍‌ଘାଟନ କରିଥିଲେ। ପ୍ରିମିୟର୍‌ ପୂର୍ବରୁ ମା’ ସମଲେଶ୍ବରୀଙ୍କ ନିକଟରେ ପୂଜାର୍ଚ୍ଚନା ହୋଇ ଏକ ଶୋଭାଯାତ୍ରା ମନ୍ଦିର ଠାରୁ ଆଇଲେକ୍ସ ସିନେମା ହଲ୍‌ ପର୍ଯ୍ୟନ୍ତ ଯାଇଥିଲା।