ଭୁବନେଶ୍ବର: ଓଡ଼ିଶାରେ ବର୍ଷକୁ ୪୦ ଦିନ ଶ୍ରମିକକୁ ୪୦ ଦିନ କାମ ମିଳୁଛି। କେବଳ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନୁହେଁ, ବରଂ ଶ୍ରମିକଙ୍କ ପାଇଁ ଯାହା ଯୋଜନା ସବୁ ଫେଲ୍ ମାରିଛି। ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ନାହିଁ, କେବଳ ପ୍ରସ୍ତାବରେ ଅଟକି ରହିଛି। ଯେଉଁଥିପାଇଁ ଦାଦନ ଦୁଃଖ କମିବା ନାଁ ଧରୁନି। ତେବେ ସରକାର ଏଥିପାଇଁ ଟାସ୍କ ଫୋର୍ସ ଗଠନ କରିବା ସହ ଦାଦନ ପଛରେ ଥିବା କାରକଗୁଡ଼ିକୁ ସମୂଳେ ନାଶ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ନିର୍ମାଣ କନ୍କ୍ଲେଭ୍ରେ ‘ଆଉ କେତେ ଦିନ ଦାଦନ ଖଟିବ ଓଡ଼ିଶା’ ଶୀର୍ଷକ ପର୍ଯ୍ୟାୟରେ ଏଭଳି ମତ ପ୍ରକାଶ ପାଇଛି। ଆଇନ, ପୂର୍ତ୍ତ ତଥା ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, ଦାଦନର ସମାଧାନ ମନରେଗା ନୁହେଁ, କିମ୍ବା ବଡ଼ ବଡ଼ ଶିଳ୍ପ ନୁହେଁ। ବରଂ ଛୋଟ ଛୋଟ କଥାର ଯତ୍ନ ନେଲେ ଦାଦନ କମିବ। ଏଠାରୁ ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଶ୍ରମିକ ଦାଦନ ଖଟିବାକୁ ଯାଆନ୍ତି। ଆମ ରାଜ୍ୟରେ ବାହାର ଠିକାଦାର ବଡ଼ବଡ଼ କାମ କଲା ବେଳେ ଓଡ଼ିଶା ବାହାରୁ ଶ୍ରମିକ ଆଣନ୍ତି। କିନ୍ତୁ ଏବେ ରାଜ୍ୟ ଭିତରେ ଯେତେ କାମ ହେବ ସେଥିରେ ଓଡ଼ିଶାର ଅର୍ଦ୍ଧକୁଶଳୀ ଶ୍ରମିକମାନେ କାମ କରିବେ। ପିଏମ୍ ଗତି ଶକ୍ତି ଯୋଜନାରେ ୩ ବର୍ଷ ମଧ୍ୟରେ ୭୦ହଜାର କୋଟିର ରାସ୍ତା ନିର୍ମାଣ ହେବ।
ଏଥିରେ ଆମ ରାଜ୍ୟର ଶ୍ରମିକ ହିଁ କାମ କରିବେ। ଗୋଟିଏ ଦିନରେ ଦାଦନ ବନ୍ଦ କରିହେବ ନାହିଁ। ଏଭଳି ଯତ୍ନ ନେବାକୁ ହେବ। ଯେଉଁ ଦଲାଲ୍ ଶ୍ରମିକମାନଙ୍କୁ ଚାଲାଣ କରୁଛନ୍ତି ସେମାନଙ୍କର ଓ ଶ୍ରମିକଙ୍କର ପଞ୍ଜୀକରଣ ହେବ। ପ୍ରତି ମାସରେ ଠିକାଦାର ରିଟର୍ଣ୍ଣ ଫାଇଲ୍ କରିବ। ଶ୍ରମିକଙ୍କର ଟିକିନିଖି ତଥ୍ୟ ସରକାରଙ୍କୁ ପ୍ରଦାନ କରିବ। ସରକାରଙ୍କ ଏଭଳି ନଜର ରହିଲେ ଦଲାଲ, ଶ୍ରମିକଙ୍କ ଯତ୍ନ ନେବାକୁ ବାଧ୍ୟ ହେବ। ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ପୂର୍ବତନ ସଚିବ ଲକ୍ଷ୍ମୀଧର ମିଶ୍ର କହିଛନ୍ତି, ଅନ୍ତଃରାଜ୍ୟ ମାଇଗ୍ରେସନ ଦାୟିତ୍ବ କେବଳ କେନ୍ଦ୍ର ସରକାରଙ୍କର। ଯେଉଁ ରାଜ୍ୟରୁ ଯାଉଛନ୍ତି, ଯେଉଁ ରାଜ୍ୟକୁ ଯାଉଛନ୍ତି, ସେହି ଦୁଇ ରାଜ୍ୟ ସହ ଆଲୋଚନା କରି କେନ୍ଦ୍ର ସରକାର ଏହି ଦାଦନ ସମସ୍ୟାର ସମାଧାନ କରିବା କଥା। ହେଲେ ତାହା ଆଜି ଯାଏ ହୋଇ ନାହିଁ। ଶ୍ରମିକ ଚାଲାଣ ନେଇ କେନ୍ଦ୍ର ସରକାର ୧୯୮୦ ମସିହା ଗାନ୍ଧୀ ଜୟନ୍ତୀରେ ଆଇନ ପ୍ରଣୟନ କରିଥିଲେ। କିନ୍ତୁ ଏ ଯାଏଁ କଡ଼ାକଡ଼ି ହୋଇ ପାରିଲା ନାହିଁ। ଶ୍ରମିକଙ୍କୁ ରୋଜଗାର ଦେବାପାଇଁ ୨୦୦୫ରେ ଏମ୍ଜିଏନ୍ଆର୍ଇଜିଏ ଆରମ୍ଭ ହେଲା। ହେଲେ ସେଥିରେ ସବୁଠାରୁ ଅଧିକ ଠକେଇ ହେଲା। ଦଲାଲମାନଙ୍କ ଦମନ ପାଇଁ ମାଇଗ୍ରେଟ୍ ୱାର୍କର୍ସ ବୋର୍ଡ ଗଠନ ହୋଇଥିଲା। ତାହା ମଧ୍ୟ କାର୍ଯ୍ୟକାରୀ ହେଲାନି। ଏହି ବ୍ୟବସ୍ଥାରେ ଦଲାଲ ଥିବା ଯାଏଁ ସ୍ବଚ୍ଛତା ନୁହେଁ, ଶୋଷଣ ହେବ। ‘ଇଣ୍ଟିଗ୍ରେଟେଡ୍ ୱାଟରସେଡ୍ ମ୍ୟାନେଜ୍ମେଣ୍ଟ ଆଣ୍ଡ ଡେଭଲପ୍ମେଣ୍ଟ’ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ଶ୍ରମିକମାନେ ବାହାରକୁ ଯାଆନ୍ତେ ନାହିଁ। ତାହା ମଧ୍ୟ କାର୍ଯ୍ୟକାରୀ ହେଲାନି। ଗ୍ରେନ୍ ବ୍ୟାଙ୍କ୍ ବ୍ୟବସ୍ଥା ନାହିଁ। ତୃଣମୂଳସ୍ତରରେ ଗରିବ ଲୋକଙ୍କ ରୋଜଗାର ବଢ଼ାଇବା ପାଇଁ ଯିଏ କ୍ଷମତାସୀନ ତାହା(ପଞ୍ଚାୟତ) ଦୁର୍ନୀତିରେ ବୁଡ଼ି ରହିଛି। ଦାଦନଙ୍କ ସମସ୍ୟା ନେଇ ଯେତେ କମିସନ ବସିଛି, କୌଣସି ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ନାହିଁ। ଏଣୁ କେତେ ଦିନ ଦାଦନ ଖଟିବ ଓଡ଼ିଶା ତାହା କହିବା ମୁସ୍କିଲ।
‘ସମ୍ବାଦ ଗ୍ରୁପ୍’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ରାଜନେତାଙ୍କ ଭିତରେ ବିକାଶ ନୁହେଁ, ବରଂ ଆଗକୁ କେମିତି ଜିତିବା ଚିନ୍ତା ରହିଛି। ଲୋକଙ୍କୁ ଅଭାବରେ ରଖି, ତାଙ୍କର ସ୍ବଭାବ ନଷ୍ଟ କରି କିଭଳି ଭୋଟ ହାତେଇ ହେବ ସେଥିରେ ମନ ଦେଉଛନ୍ତି। ସେମାନେ ଭାବନ୍ତି ଅଥର୍ନୀତି କିଛି କରୁନି, ବରଂ ଦଳ କରୁଛି ବୋଲି ସେମାନଙ୍କ ଧାରଣା। ଏଣୁ ବିକାଶ କେମିତି ହେବ? ପାର୍ଟିକୁ ବଡ଼ କରି ମାଟିକୁ ଛୋଟ କରୁଥିବା ନେତା ବିକାଶ କରି ପାରିବେନି। ଏଣୁ ଆମକୁ ମାଟି ମନସ୍କ ହେବାକୁ ହେବ। ଓଡ଼ିଶାର ସମ୍ପଦ ବ୍ୟବହାର କରି ବିକାଶ କରିବାକୁ ହେବ। ଏହି ପର୍ଯ୍ୟାୟକୁ ପରିଚାଳନା କରିଥିଲେ କନକ ନ୍ୟୁଜ୍ର ଅବିନାଶ ଷଡ଼ଙ୍ଗୀ।