କଟକ : ଓଡ଼ିଶାରୁ ଆଇରନ୍ ଓର୍ ଭାଇଜାଗ୍ ଚାଲାଣ ନାଁରେ ବଡ଼ଧରଣର ଠକେଇ ହୋଇଛି। ମୋଟ ୧୬ ଲକ୍ଷ ୯୪ ହଜାର ଟଙ୍କାର ଠକେଇ ଘଟଣାରେ ଖଣି ବ୍ୟବସାୟୀ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ସମ୍ବଲପୁରର ମନୋରଞ୍ଜନ ପଟ୍ଟନାୟକ ଓରଫ ରିକନ ମହାନ୍ତି। ଓଡ଼ିଶାରୁ ଭାଇଜାଗ୍ ଖଣିରେ ପହଞ୍ଚାଇ ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକେଇ ହୋଇଥିବା ଲାଲବାଗ ଥାନାରେ ଅଭିଯୋଗ ହୋଇଥିଲା।
ସୂଚନା ଅନୁଯାୟୀ, ଲାଲବାଗ ରୋଭର୍ ଷ୍ଟ୍ରିଟ୍ ଅଞ୍ଚଳର ବିରଜା ଦାସ ଏସ୍ଏସ୍ ଗ୍ରୁପ ନାଁରେ ଥିବା ଏକ କମ୍ପାନି ମାଧ୍ୟମରେ ପରିବହନ ବ୍ୟବସାୟ କରନ୍ତି। ଆଇରନ୍ ଓର୍ ସମ୍ବଲପୁର, ଝରସୁଗୁଡ଼ାରୁ ଭାଇଜାଗ୍ ଯାଏ ଚାଲାଣ ବ୍ୟବସାୟ କରନ୍ତି। ଭୁବନେଶ୍ୱର ଭରତପୁରରେ ରହୁଥିବା ସମ୍ବଲପୁର ଧନୁପାଲିର ମନୋରଞ୍ଜନ ପଟ୍ଟନାୟକ ଓରଫ ରିକନ ମହାନ୍ତି ଆଇରନ୍ ଓର୍ ଚାଲାଣ କରିବାରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। । ଏଥିପାଇଁ ୧୬ ଲକ୍ଷ ୯୪ ହଜାର ଟଙ୍କା ବିରଜା ତାକୁ ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ଅନୁଯାୟୀ ଭାଇଜାଗ୍ରେ ମାଲ ପହଞ୍ଚି ନଥିଲା। ବାରମ୍ବାର ଟଙ୍କା ଫେରସ୍ତ କରିବାକୁ କହି ନିରାଶ ହୋଇଥିଲେ ବିରଜା। ଶେଷରେ ଲଲବାଗ ଥାନାର ଦ୍ୱାରସ୍ଥ ହୋଇଥିଲେ। ୬ ମାସ ଭିତରେ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମନୋରଞ୍ଜନ। ଗଲା ୧୩ ତାରିଖରେ ମନୋରଞ୍ଜନ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ବିରଜାଙ୍କୁ ଭେଟିଥିଲେ। ବିରଜା ଟଙ୍କା ମାଗିବାରୁ ତାଙ୍କୁ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିଲେ। ମେ ୧୩ ତାରିଖରେ ଲାଲବାଗ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ରିକନଙ୍କୁ ୨୮ ତାରିଖରେ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ନିକଟରୁ ଏକ ହୁଣ୍ଡାଇ କାର(ଓଡ଼ି ୦୨ ବିପି ୭୭୭୪), ଦୁଇଟି ଦାମୀ ମୋବାଇଲ ଫୋନ୍ ଓ ଗାଡ଼ିର କାଗଜପତ୍ର ଜବତ ହୋଇଛି।