ଚିନ୍ତା ବଢ଼ାଉଛି ଲଘୁ ଖଣିଜ ସଂପଦ ଲୁଟ୍‌

ଅତିରିକ୍ତ ସଚିବଙ୍କ ତନାଘନା ପରେ ଆରଡିସିଙ୍କ ସମୀକ୍ଷା
ଚୋରା ଚାଲାଣ ରୋକିବାକୁ ନିର୍ଦ୍ଦେଶ
ରୟାଲ୍‌ଟି ୪କୋଟିକୁ ଜରିମାନା ଦେଢ କୋଟି

ଯାଜପୁର/ଟାଉନ : ଲଘୁ ଖଣିଜ ସମ୍ପଦଭରା ଯାଜପୁର ଜିଲ୍ଲାରେ ମାଫିଆ ରାଜ୍‌ ଦିନକୁ ଦିନ ବୃଦ୍ଧି ପାଉଛି। ଲଘୁ ଖଣିଜ ସଂପଦ ଲୁଟ୍‌ ଏହାର ପ୍ରମୁଖ କାରଣ। ଯେତେ ଯୋଜନା କଲେ ବି ସଫଳତା ମିଳୁନି। ବରଂ ଅପରାଧ ବଢ଼ିବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସରକାର । ଚୋରା ଲଘୁ ଖଣିଜ ସମ୍ପଦ କାରବାର ରୋକିବା ପାଇଁ ତନାଘନା ଆରମ୍ଭ ହୋଇଛି।

ନିକଟରେ ରାଜସ୍ବ ବିଭାଗ ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାସ ଧର୍ମଶାଳା ଓ ଦର୍ପଣ ତହସିଲର ବିଭିନ୍ନ ବେଆଇନ ଖାଦାନ ପରିଦର୍ଶନ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ। ଆଜି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି) ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆର୍‌ଡିସିଙ୍କ କଟକସ୍ଥିତ ସମ୍ମିଳନୀ ଗୃହରେ ଯାଜପୁର ଜିଲ୍ଲାର ଲଘୁ ଖଣିଜ ସଂପଦ ଚୋରାଚାଲାଣ ରୋକିବା ଉପରେ ସମୀକ୍ଷା କରାଯାଇଥିଲା। ବିଭିନ୍ନ ଲଘୁ ଖଣିଜ ସମ୍ପଦ ଉତ୍ସଗୁଡ଼ିକର ତହସିଲୱାରି ନିୟନ୍ତ୍ରଣ କରିବା ପାଇଁ ଆରଡିସି ନିର୍ଦେଶ ଦେଇଥିଲେ। ପ୍ରତ୍ୟେକ ତହସିଲ ଅଧୀନରେ ଥିବା ସୈରାତଗୁଡ଼ିକୁ ଜିଲ୍ଲା କମିଟିରେ ଉପସ୍ଥାପନ କରି ରାଜ୍ୟ କମିଟିର ଅନୁମୋଦନ କରିବା ଓ ପରିବେଶ ମଞ୍ଜୁରି ପାଇଁ ବ୍ୟବସ୍ଥା କରି ନିଲାମ ପ୍ରକ୍ରିୟା କରିବାକୁ କହିଥିଲେ। ନିଲାମ ନହେବା ପର୍ଯ୍ୟନ୍ତ ଖଣିଖାଦାନ ଗୁଡ଼ିକରୁ ଯେପରି ‌ବେଆଇନ ଉତ୍ତୋଳନ କରାନଯାଏ ସେଥିପ୍ରତି ରାଜସ୍ବ, ପୁଲିସ ଓ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ଉ କରିବାକୁ ଶ୍ରୀ ସାମଲ ପରାମର୍ଶ ‌ଦେଇଥିଲେ। ଡଙ୍କାରୀ ଖଣି ସହ ସେହି ଅଞ୍ଚଳରେ ଚୋରାଚାଲାଣ ରୋକିବା ପାଇଁ ତିନିଟି ତନଖି ଫାଟକ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇ ୨୪ ଘଣ୍ଟିଆ ପ୍ରହରାର ବ୍ୟବସ୍ଥା କରାଯିବ। ବେଆଇନ ଖଣିଜ ଉତ୍ତୋଳନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଧରପଗଡ଼ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଖଣିଜ ସମ୍ପଦର ସୁରକ୍ଷା ପାଇଁ ସ୍ବତନ୍ତ୍ର ସୁରକ୍ଷା ଅଧିକାରୀ ବା ପୁଲିସ ଯୋଗାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା।

ଯାଜପୁରର ୧୦ଟି ତହସିଲର ୧୪୦ ଗୋଟି ଲଘୁ ଖଣିଜ ସମ୍ପଦ ଉତ୍ସ ରହିଛି। ସେଥିରୁ ୭୨ଟି କାର୍ଯ୍ୟକ୍ଷମ ‌ରହିଛି। ମୋଟ ୧୧୯୮.୪୭ ଏକର ପରିମିତ ଅଞ୍ଚଳରୁ ୨୦୧୯ ଏପ୍ରିଲ ୧ରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ୩କୋଟି ୯୨ଲକ୍ଷ ୨୯ହଜାର ୩୯୬ ଟଙ୍କାର ରୟାଲଟି ସଂଗ୍ରହ ହୋଇଛି। ଏହି ସମୟ ମଧ୍ୟରେ ୧କୋଟି ୫ଲକ୍ଷ ୯୭ହଜାର ୯୯୧ଟଙ୍କା ଜରିମାନା ବାବଦରେ ଆଦାୟ ହୋଇଛି। ଏଥିରେ ୨୭୪ଟି ମାମଲା ହୋଇ ୩୬୧ଟି ଗାଡ଼ି ଜବତ ହୋଇଛି। ସେହିପରି ନଭେମ୍ବର ୨୦ ତାରିଖଠାରୁ ଡିସେମ୍ବର ୬ ତାରିଖ ମଧ୍ୟରେ ଜିଲ୍ଲାରେ ୮୭ଟି ଚଢ଼ଉ କରାଯାଇ ୧୮୮ଟି ଗାଡ଼ି ଜବତ ହୋଇଛି। ୨୮ଲକ୍ଷ ୪୧ହଜାର ୭୫ଟଙ୍କା ଆଦାୟ ହୋଇଛି ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ସୂଚନା ଦେଇଥିଲେ। ଏହି ବୈଠକରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡିଏଫଓ ସୁଦର୍ଶନ ପାତ୍ର, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଦର୍ପଣ ତହସିଲଦାର ବରନେନ୍ଦୁ ମହାନ୍ତି, ସୁକିନ୍ଦା ତହସିଲଦାର ଡକ୍ଟର ବିଶ୍ବଜିତ ଦାସ, କଳିଙ୍ଗନଗର ଏସଡ଼ିପିଓ ଚିନ୍ମୟ ନାୟକ, ବିଭିନ୍ନ ଥାନାର ଥାନାଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର