ଖଣିଜ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଟ୍ରେନ ପରିବହନ ବୃଦ୍ଧି କର: ମୁଖ୍ୟ ସଚିବ

ଭୁବନେଶ୍ବର : ଖଣିବହୁଳ ଯୋଡ଼ା, କୋଇଡ଼ା ଅଞ୍ଚଳରେ ଖଣି ଖନନ ଓ ପରିବହନ ଜନିତ ପ୍ରଦୂଷଣ ନିୟନ୍ତ୍ରିତ ରହିଛି। ତେବେ ଭଦ୍ରାସାହି ଅଞ୍ଚଳରେ ବାୟୁ ପ୍ରଦୂଷଣ ହାର ସାମାନ୍ୟ ଅଧିକ ରେକର୍ଡ କରାଯାଇଛି। ଖଣିଜ ପ୍ରଦୂଷଣ ମାତ୍ରା ନିୟନ୍ତ୍ରଣ ସ୍ତରରେ ରଖିବା ପାଇଁ ଟ୍ରେନ ଜରିଆରେ ପରିବହନ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି।

ଆଜି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାକ୍ସଫୋର୍ସ କମିଟି ବୈଠକରେ ଖଣିଜ ପ୍ରଦୂଷଣ ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକର ସୂଚନାନୁସାରେ ବର୍ତମାନ ଖଣିଜ ଦ୍ରବ୍ୟର ପ୍ରାୟ ୪୫ ପ୍ରତିଶତ ପରିବହନ ଟ୍ରେନ ଯୋଗେ କରାଯାଉଛି। ଏହାକୁ ୬୦ ପ୍ରତିଶତକୁ ବୃଦ୍ଧି କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ଏହା ସହିତ ଖଣି ଜଙ୍କସନ୍‌ ଅଞ୍ଚଳରେ ପ୍ରଶସ୍ତ ଓ ଉଚ୍ଚମାନର ରାସ୍ତା ନିର୍ମାଣ ସହିତ ପ୍ରତିଦିନ ଜଳ ସିଞ୍ଚନ ଓ ପରିବହନକାରୀ ଟ୍ରକଗୁଡ଼ିକ ଟାର୍ପୋଲିନ୍‌ ଘୋଡ଼ାଇ ରଖିବାକୁ ମଧ୍ୟ ସେ ନିର୍ଦେଶ ଦେଇଥିଲେ।

ସୂଚନାନୁସାରେ ବେଆଇନ ଖଣିଜ ଦ୍ରବ୍ୟ କାରବାର ରୋକିବା ପାଇଁ ଏପ୍ରିଲ୍‌ରୁ ଅକ୍ଟୋବର ଗତ ୬ ମାସ ଭିତରେ ରାଜ୍ୟସ୍ତରୀୟ ଟାକ୍ସଫୋର୍ସ ସ୍କ୍ବାଡ୍‌ ୯୩ଟି ଚଢ଼ାଉ କରିଛି। ଫଳରେ ୭୨ ମେଟ୍ରିକ ଟନ୍‌ କୋଇଲା ଜବତ୍‌ କରାଯିବା ସହ ୧ ଲକ୍ଷ ୮୫ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସାଟେଲାଇଟ୍‌ ଇମେଜିଂ ମାଧ୍ୟମରେ ଖଣି ଖନନର ଯାଞ୍ଚ କରାଯାଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର