ବିନା ଡିଜିପିଏସ୍ ସର୍ଭେରେ ଲିଜ୍: କୋଟିକୋଟି ଲୁଟ୍‌

ଲଘୁ ଖଣିଜ ସମ୍ପଦ ମହାଦୁର୍ନୀତି

ଯାଜପୁର : ଯାଜପୁର ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଗତ ଦଶନ୍ଧିରେ ଲୁହାପଥର, ମାଙ୍ଗାନିଜ୍‌, କ୍ରୋମାଇଟ୍ ପ୍ରଭୃତି ଖଣିଜ ସଂପଦର ବ୍ୟାପକ ହରିଲୁଟ୍ ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏବେ ବାଲି, ଗୋଡ଼ି, ପଥର ଓ ମାଟି ଆଦି ଲଘୁଖଣିଜ ଚୋରାଚାଲାଣ ସୀମା ଟପିଗଲାଣି। ପ୍ରକୃତିର ଅବଦାନ ପାହାଡ଼, ପର୍ବତ, ଜଙ୍ଗଲ ଜମି ଓ ନଦୀପଠାକୁ ଅସାଧୁ ବ୍ୟବସାୟୀମାନେ ଖିନ୍‌ଭିନ୍‌ କରି ଲୁଟି ଚାଲିଛନ୍ତି। ଏହା ଉପରେ କାହାରି ନିୟନ୍ତ୍ରଣ ନାହିଁ। ବିନା ଡିଜିପିଏସ୍‌ (‌ଡିଫରେନ୍ସି‌ଆଲ ଗ୍ଲୋବାଲ୍ ପୋଜିସନି ସିଷ୍ଟମ୍) ସର୍ଭେରେ ଲିଜ୍‌ ଦିଆଯାଉଛି। ନିଲାମ ପରିମାଣର ଦଶଗୁଣ ଅଧିକ ଲଘୁ ଖଣିଜ ଉତ୍ତୋଳନ ହେଉଛି। ମାଇନିଂ ପ୍ଲାନ୍, ପରିବେଶ ମଞ୍ଜୁରି ନଥାଇ ଖାଦାନ ଖୋଳି ବିକ୍ରି କରାଯାଉଛି। ଏହି ଅସାଧୁ କାରବାରକୁ ତହସିଲ, ଖଣି, ଜଙ୍ଗଲ ଓ ପରିବେଶ ସୁରକ୍ଷା ଦାୟିତ୍ବରେ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧିକାରୀ ନିରବ ସମର୍ଥନ ଦେଇଚାଲିଛନ୍ତି। ଲଘୁଖଣିଜ ଆକଳନ ବିନା କିପରି ନିଲାମ ପ୍ରକ୍ରିୟା ଆରମ୍ଭ ହେଉଛି? ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାର ନମୁନା ଏବେ ଧର୍ମଶାଳା ତହସିଲର ବିଭିନ୍ନ ସୈରାତରେ‌ ଦେଖିବାକୁ ମିଳିଛି। ବିନା ଅନୁମୋଦନରେ ପାହାଡ଼ ଉପରେ ଶହେ ଦୁଇଶହ ଫୁଟ୍ ଗଭୀର ଗହ୍ବର ଖୋଳାଯାଇଛି। ଯାହାକି ସ୍ଥାନୀୟ ଲୋକ, ଗୃହପାଳିତ ପ୍ରାଣୀ ଓ ବନ୍ୟଜନ୍ତୁଙ୍କ ପାଇଁ ମୃତ୍ୟୁଯନ୍ତା ପାଲିଟିଛି।

ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀଙ୍କୁ ନେଇ ରାଜ୍ୟସାରା ଚର୍ଚ୍ଚା ଚାଲିଛି। ୯୭ ସୈରାତରୁ ମାତ୍ର ୧୭ଟି ଖାଦାନ ଏବେ ଚାଲୁଛି ବୋଲି କୁହାଯାଉଛି । ଯେଉଁ ସୈରାତଗୁଡ଼ିକର ନିକଟରେ ନିଲାମ ସମୟ ସୀମା ଶେଷ ହୋଇଛି; ସେମାନେ କେତେ ପଥର ଖୋଳିଛନ୍ତି? ତାହାର କୌଣସି ତଦନ୍ତ କରାଯାଉ ନାହିଁ। ଏବେ ପୁଣି ନିଲାମ ପାଇଁ ତହସିଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଲାମ ପୂର୍ବରୁ ଓ ଶେଷ ସମୟରେ ଖାଦାନଗୁଡ଼ିକର ଡିଜିପିଏସ୍ ସର୍ଭେ କରାଯାଉନାହିଁ। ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ୩ ବର୍ଷ ପୂର୍ବରୁ ଖାଦାନ ଗୁଡ଼ିକର ଡିଜିପିଏସ୍‌ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଦାସଙ୍କ ନିର୍ଦ୍ଦେଶକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଗଲା ନାହିଁ। ଏହାକୁ କାର୍ଯ୍ୟକାରୀ କରିଥିଲେ ଏକ ଲକ୍ଷ ଘନମିଟର ପଥର ଖନନ ପାଇଁ ଅନୁମତି ପାଇଥିବା ଲିଜଧାରୀ ବେଆଇନ୍ ଭାବେ ୧୦ ଲକ୍ଷ ଘନ ମିଟର ‌ପଥର କିଭଳି ଉଠାଇଛନ୍ତି ତାହା ଧରାପଡ଼ି ଯାଇଥାନ୍ତା।

ସରକାର ମାତ୍ରାଧିକ ଖନନ ପାଇଁ ଜରିମାନା ଓ ରୟାଲଟି ବାବଦକୁ ଶହ ଶହ କୋଟି ଟଙ୍କା ପାଇଥାନ୍ତେ। କେବଳ ଯାଜପୁର ଜିଲ୍ଲା ନୁହେଁ ଡିଜିପିଏସ୍‌ ସର୍ଭେ ରାଜ୍ୟରେ କୌଣସି ତହସିଲରେ କରାନଯାଇ ଖାଦାନଗୁଡ଼ିକୁ ଲିଜ୍‌ଧାରୀଙ୍କ ହାତରେ ଟେକି ଦିଆଯାଉଛି। ସେମାନେ ତହସିଲ କର୍ମଚାରୀଙ୍କୁ ହାତ କରି ପ୍ରଥମେ ଆକଳନ କରାଯାଇ ଟେଣ୍ଡର ହୋଇଥିବା ପଥର ଉପରେ ୱାଇ ଫର୍ମ ନେଇ ରାଜସ୍ବ ଦେଉଛନ୍ତି। ଧର୍ମଶାଳା ତହସିଲର ରାହାଡ଼ପୁର, ଆରୁହା, ବାଜବାଟି, ଡଙ୍କାରୀ ଆଦି ପାହାଡ଼ରେ ଧ୍ବଂସଲୀଳା ଚାଲିଛି। ଲିଜ୍‌ ନେଇଥିବା ଅଞ୍ଚଳ ଉପରେ ଯଦି ସର୍ଭେ କରାଯାଏ ତାହାହେଲେ ଏଠାରେ କିଭଳି କେଳେଙ୍କାରୀ ଚାଲିଛି ସହଜରେ ପଦାକୁ ଆସିବ। ଅଧିକାଂଶ କ୍ଷେତ୍ରରେ ମାତ୍ରାଧିକ ଖନନ ପାଇଁ ଜରିମାନା ଧାର୍ଯ୍ୟ ହେଲେ ଲିଜ୍‌ଧାରୀ କୋର୍ଟର ଆଶ୍ରୟ ନେଉଛନ୍ତି। କେତେ ପରିମାଣର ଖଣିଜ ଉତ୍ତୋଳନ ହୋଇଛି ଆକଳନ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଆପଣାଯାଉ ନଥିବାରୁ ଜରିମାନା ଧାର୍ଯ୍ୟ ବି ଏକପାଖିଆ ହେଉଛି। ଏହି କାରଣରୁ ଲିଜ୍‌ ପୂର୍ବରୁ ଏବଂ ପରେ ଡିଜିପିଏସ୍‌ ସର୍ଭେ ଜରୁରୀ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର