ଲଘୁ ଖଣିଜସମ୍ପଦ ପରିଚାଳନା ଯୋଜନା ବିଫଳ

୮ମାସ ହେଲା ଟେଣ୍ଡର ପ୍ରକ୍ରିୟା ଚାଲିଛି, ମାଫିଆଙ୍କ କବ୍‌ଜାରେ ବେଆଇନ୍ ଖାଦାନ ଓ କ୍ରସର୍

ଯାଜପୁର/କବାଟବନ୍ଧ : ଲଘୁ ଖଣିଜସମ୍ପଦର ସୁପରିଚାଳନା ପାଇଁ ରାଜ୍ୟ ସରକାର ନିୟମିତ ଆଇନ୍‌ରେ ସଂଶୋଧନ କରିଚାଲିଛନ୍ତି। ମାତ୍ର ତୃଣମୂଳ ସ୍ତରରେ ଆଇନ୍ କାର୍ଯ୍ୟକାରୀ ହୋଇପାରୁନାହିଁ। ଯାହାର ଫାଇଦା ଅସାଧୁମେଣ୍ଟ ନେଉଛନ୍ତି। ସରକାର ଶହ ଶହ କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ ମାଫିଆମାନଙ୍କ ସହିତ ଅସାଧୁ ଅଧିକାରୀ ମାଲାମାଲ ହେଉଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ୍‌ ଅନ୍ତର୍ଗତ ୨୯ଟି ଲଘୁ ଖଣିଜ ସମ୍ପଦ ସୈରାତ ନିଲାମ ପ୍ରକ୍ରିୟା ୮ ମାସ ଧରି ଚାଲୁରହିବା ଏହାର ଜ୍ବଳନ୍ତ ଉଦାହରଣ। ଗୋଟିଏ ପଟେ ନିଲାମ ପ୍ରକ୍ରିୟା ଚାଲିଥିବାବେଳେ ଅନ୍ୟପଟେ ବେଆଇନ୍‌ ଖାଦାନ ଓ କ୍ରସର୍‌ ମାଫିଆଙ୍କ କବ୍‌ଜାରେ ରହିଛି। ମାଫିଆମାନେ ଏହି ଖାଦାନରୁ ନିୟମିତ ଚୋରାପଥର ଚାଲାଣ କରି କୋଟି କୋଟି ଟଙ୍କା ଲାଭବାନ ହେଉଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ନିରବ ରହୁଥିବାବେଳେ ସରକାର ରାଜସ୍ବ ହରାଉଛନ୍ତି।

ଗତ ଆର୍ଥିକବର୍ଷ ଫେବ୍ରୁଆରି ଶେଷ ସପ୍ତାହରେ ଧର୍ମଶାଳା ତହସିଲର ୨୭ଟି ସୈରାତର ନିଲାମ ପାଇଁ ଟେଣ୍ଡର ପ୍ରକାଶ ପାଇଥିଲା। ଚାରି ମାସ ଧରି ଟଣାଓଟରା ମଧ୍ୟରେ ମାତ୍ର ୨ଟି ସୈରାତ ନିଲାମ ଚୂଡାନ୍ତ ହୋଇଥିଲା। ରଦ୍ଦ ହୋଇଥିବା ସୈରାତ ସହିତ ମୋଟ ୨୯ଟି ସୈରାତର ନିଲାମ ପାଇଁ ପୁଣି ବିଜ୍ଞାପନ ପ୍ରକାଶ ପାଇଲା। ସେଥିରେ ଅଞ୍ଜିରା(ବାଘୁଆ) ମୌଜାର ୫ଟି, ବିଛାଖଣ୍ଡି-୪ଟି, ବାଜବାଟି-୨ଟି, ବରଡ଼ା-୩ଟି, ରାହାଡ଼ପୁର-୯ଟି, ଆରୁହା-୩ଟି ଓ ଡଙ୍କାରୀର ଗୋଟିଏ କଳାପଥର ସୈରାତ ସହିତ ୨ଟି ବାଲିଘାଟ ରହିଛି। ଆଜି ପର୍ଯ୍ୟନ୍ତ ଏହି ଖାଦାନଗୁଡ଼ିକ ଖନନ ପାଇଁ ଲିଜଧାରୀଙ୍କୁ ହସ୍ତାନ୍ତର ହୋଇନାହିଁ। ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ବେଳକୁ ଖନନ ‌ଆରମ୍ଭ ହୋଇପାରେ ‌ବୋଲି ଲିଜ୍‌ଧାରୀମାନେ ଆଶା ରଖିଛନ୍ତି। ଏବେ ବି ମାଇନିଂ ପ୍ଲାନ ଓ ଅନୁମୋଦନ ପ୍ରକ୍ରିୟା ଚାଲିଛି। ମାତ୍ର ନୂତନ ଲଘୁ ଖଣିଜ ସମ୍ପଦ ଆଇନ୍ ବ୍ୟବସ୍ଥାରେ ଦେଢ଼ବର୍ଷ ପୂର୍ବରୁ କ୍ଲଷ୍ଟର୍ କରି ସମସ୍ତ ସରକାରୀ ପ୍ରକ୍ରିୟା ଶେଷ କରି ନିଲାମ କରାଯିବ ବୋଲି କୁହାଯାଇଥିଲା। ନିଲାମ ପରେପରେ ଲିଜଧାରୀ ସିଧାସଳଖ ଖନନ କରିବେ, କୌଣସି କାର୍ଯ୍ୟାଳୟକୁ ଦୈାଡ଼ିବାକୁ ପଡିବ ନାହିଁ। ଏବେ ବି ପୂର୍ବଭଳି ପରିବେଶ ବିଭାଗ, ଖଣି ବିଭାଗ, ତହସିଲ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଲିଜଧାରୀ ଦୈାଡ଼ି ଦୈାଡ଼ି ନୟାନ୍ତ।

ଅନ୍ୟପକ୍ଷ‌ରେ, ଲିଜ୍‌ ପ୍ରକ୍ରିୟା ଶେଷ ହୋଇନଥିବା ସୁଯୋଗରେ ଖାଦାନରୁ ନିୟମିତ କୋଟି କୋଟି ଟଙ୍କାର କଳାପଥର ଚୋରା ଚାଲାଣ ଚାଲିଥିବା ଦେଖିବାକୁ ମିଳିଛି। ବେଆଇନ୍ କ୍ରସରଗୁଡ଼ିକରେ କୋଟି କୋଟି ଟଙ୍କାର ଚୋରା ପଥର ଭଙ୍ଗା ଚାଲିଛନ୍ତି। ଇତିମଧ୍ୟରେ ପ୍ରଶାସନ ରାହାଡ଼ପୁର, ବାଘୁଆରୁ ବେଆଇନ ଖାଦାନ ଚାଲିଥିବ ବେଳେ ଚଢ଼ଉ କରି ଗାଡ଼ି ଜବତ କରି ଶ୍ରମିକ ଓ ବେଆଇନ୍ କାରବାରକୁ ବିରୋଧ କରୁଥିବା ଯୁବକଙ୍କୁ ଗିରଫ କରିଛି। ଅଥଚ ବେଆଇନ ଖାଦାନ ଓ କ୍ରସର ମାଲିକଙ୍କୁ ଗିରଫ କରିବାକୁ ସାହସ ଜୁଟାଇ ପାରିନାହିଁ। ତେବେ, ଜଙ୍ଗଲ ଓ ପରିବେଶ ବିଭାଗର ନିରବତା ଯୋଗୁଁ ଏହି ଅଞ୍ଚଳରେ ପାହାଡ଼, ପର୍ବତ, ଝରଣା ଅସ୍ଥିତ୍ବ ହରାଇବାକୁ ବସିଲାଣି। କୋଟି କୋଟି ଟଙ୍କା ରାଜସ୍ବ ହରିଲୁଟ ଚାଲିଥିବା ବେଳେ ଜରିମାନା ଆଳରେ ମାଫିଆଙ୍କୁ ତହସିଲ ଓ ପୁଲିସ ପ୍ରୋତ୍ସାହନ ଯୋଗାଇ ଚାଲିଛି। ସରକାରଙ୍କର ଲଘୁ ଖଣିଜ ସମ୍ପଦ ଆଇନ୍ କଡାକଡ଼ି ପାଳନ କରିବ କିଏ? ପରିବେଶ ସୁରକ୍ଷା ରହିବ କିପରି? ସାଧାରଣରେ ଏହିଭଳି ପ୍ରଶ୍ନସବୁ ଉଙ୍କି ମାରିଛି।

ସମ୍ବନ୍ଧିତ ଖବର