ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍ (ଏସ୍ଆଇଟି)। ଏସ୍ଆଇଟି ମୁଖ୍ୟ ସଞ୍ଜୟ କୁମାର କୌଶଳଙ୍କ ନେତୃତ୍ୱରେ ସୋମବାରଠାରୁ ଏହି ଟିମ୍ ପ୍ରଥମ ପର୍ଯ୍ୟାୟରେ ଖଣିଜ ଲୁଟ୍ର ଦସ୍ତାବିଜ ଅନୁଧ୍ୟାନ କରୁଛି। ସୁନ୍ଦରଗଡ଼ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ରିପୋର୍ଟ, ଖଣି ବିଭାଗର ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ ଟିମ୍ ଖଣି ଅଞ୍ଚଳରେ କରିଥିବା ସରଜମିନ ତଦନ୍ତର ରିପୋର୍ଟ, ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଗୋପନ ରିପୋର୍ଟ, ବନ ବିଭାଗର ରିପୋର୍ଟ ସହ ଲୁଟ୍ ଖଣିଗୁଡ଼ିକ କେଉଁକେଉଁ କମ୍ପାନିକୁ ଆବଣ୍ଟନ କରାଯାଇଥିଲା ସେସବୁ ଦସ୍ତାବିଜକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି ଏସ୍ଆଇଟିର ୮ ଜଣ ସଦସ୍ୟ। ଏହା ପରେ ଏସ୍ଆଇଟି ସୁନ୍ଦରଗଡ଼ରେ ତନାଘନା କରିବ। ୨୦ ବର୍ଷ ହେଲା ଚାଲି ଆସୁଥିବା ଖଣି ଲୁଟ୍ରେ ମାଫିଆଙ୍କ ସମେତ କେଉଁକେଉଁ ସରକାରୀ ଅଧିକାରୀ, ନେତା ସାମିଲ ଅଛନ୍ତି ତା’ର ଚିଠା ମଧ୍ୟ ଭିଜିଲାନ୍ସ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।
ଏପ୍ରିଲ ୪ରୁ ଏମ୍ସିଏଲ୍ କ୍ଷେତ୍ର ଅଧୀନ ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲରୁ ଜାମକାନି ସଂରକ୍ଷିତ ଜଙ୍ଗଲ ଯାଏଁ ଚାଲିଥିବା ଖଣିଜ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ଚିତ୍ର ଦେଖାଇଥିଲା ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’। ଏମ୍ସିଏଲ୍ ବସୁନ୍ଧରା ପଶ୍ଚିମ ଖଣି ପ୍ରକଳ୍ପକୁ ଆବଣ୍ଟିତ ଗୋପାଳପୁର ତେଲେନଡିହିସ୍ଥ ଏହି ଅଞ୍ଚଳରେ ୨୦ ବର୍ଷ ହେଲା କୋଇଲା ମାଫିଆ ଶହଶହ ଖଣି ଖୋଳି ହଜାର ହଜାର ଟନ୍ କୋଇଲା ଛତିଶଗଡ଼କୁ ଚାଲାଣ କରୁଥିଲେ। ପ୍ରଥମ କରି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ରେ ଏ ଖବର ପ୍ରକାଶ ପରେ ସାରା ରାଜ୍ୟରେ ହଇଚଇ ଖେଳି ଯାଇଥିଲା। ଏହାପରେ ତଦନ୍ତ ଆରମ୍ଭ ହେଲା। ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରର ସ୍ୱତନ୍ତ୍ର ଟିମ୍ ତଦନ୍ତ କଲେ, ମାଳମାଳ ଗାଡ଼ି ବୁଲିଲା, ଡ୍ରୋନ୍ ଉଡ଼ିଲା। ଶେଷରେ ମନ୍ତ୍ରୀ, ନିଦର୍ଦ୍ଦେଶକସ୍ତରୀୟ ଟିମ୍ ମଧ୍ୟ ଜଙ୍ଗଲ ଭିତରେ ଚାଲିଚାଲି ଖଣି ଲୁଟ୍ ଦେଖିଲେ। ଏପ୍ରିଲ ୧୮ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଖଣିଜ ଲୁଟ୍ର ନିରୀକ୍ଷଣ କରିଥିଲେ।