ଖୋର୍ଦ୍ଧାରେ ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ : କୁଆଡ଼େ ଯାଉଛି ଜବତ ଖଣିଜ ପଦାର୍ଥ ଓ ଗାଡ଼ି

ଖୋର୍ଦ୍ଧା : ଖୋର୍ଦ୍ଧାରେ ବେଧଡ଼କ ଭାବେ ଚାଲିଛି ବାଲି, ମୋରମ୍, ମାଙ୍କଡ଼ା ପଥର, ନିର୍ମାଣ ପଥର ଆଦି ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ଓ ଚୋରା ଚାଲାଣ । ବେଆଇନ ଖନନ ଓ ଚୋରା ଚାଲାଣ ରୋକିବାକୁ ୨୦୧୮ର ରାଜସ୍ବ ବିଭାଗର ଟାସ୍କଫୋର୍ସ ନିଷ୍ପତ୍ତି ଏଯାଏ କାର୍ଯ୍ୟକାରୀ ହୋଇନାହିଁ। ଯେଉଁ ଧରପଗଡ଼ ବି କରାଯାଉଛି ତା’ର ସ୍ବଚ୍ଛତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୮ ମାର୍ଚ୍ଚ ରେ ରାଜସ୍ବ ବିଭାଗର ଟାସ୍କଫୋର୍ସ ବୈଠକରେ ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ପାଉଥିବା ଲଘୁ ଖଣିଜ ପଦାର୍ଥର ବେଆଇନ କାରବାର ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ଟାଙ୍ଗୀ ବ୍ଲକ୍‌ରେ ସର୍ବାଧିକ ବେଆଇନ ଖନନ ଓ ଉତ୍ତୋଳନ ହେଉଥିବା ନେଇ ବୈଠକର ରିପୋର୍ଟରେ ଦର୍ଶାଯାଇଥିଲା। ଏଣୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଲଘୁ ଖଣିଜ ପଦାର୍ଥର ଚୋରା କାରବାର ରୋକିବା ପାଇଁ ଏକ ସ୍ବତନ୍ତ୍ର ସଶସ୍ତ୍ର ପୁଲିସ ଦଳ ରଖିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଟାସ୍କ ଫୋର୍ସର ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ।

ଅନ୍ୟପକ୍ଷରେ, ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ କରୁଥିବା ବ୍ୟକ୍ତି ଗିରଫ ହେଲେ ସର୍ବାଧିକ ୨୫ହଜାର ଟଙ୍କା ଜରିମାନା ଓ ୩ ବର୍ଷ ଜେଲ୍ ଦଣ୍ତର ବ୍ୟବସ୍ଥା ରହିଛି। ବେଆଇନ ଖଣିର ସମସ୍ତ ଗାଡ଼ି, ଯନ୍ତ୍ରପାତି ଜବତ କରିବା ସହ ତହସିଲଦାର ଜରିମାନାର ପରିମାଣ ସ୍ଥିର କରି ତୁରନ୍ତ ଜରିମାନା ଆଦାୟ କରିବେ। ଏହା ସତ୍ତ୍ବେ ୨୦୧୧–୧୨ରେ ଖୋର୍ଦ୍ଧା ଜିଲ୍ଲାରେ ଓଏମ୍ଏମ୍‌ସି ରୁଲ୍ ଅନୁସାରେ ୧୬ଟି ଖଣି ଓ ୨୦୬ଟି ଜବତ ଗାଡ଼ିରୁ କେବଳ ୧୫.୦୬ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବା ସହ ୨ଟି ମାତ୍ର ମାମଲା ରୁଜୁ ହୋଇଥିଲା। ଅର୍ଥାତ୍ ପ୍ରତି ଗାଡ଼ି ପିଛା ୨୫ ହଜାର ଟଙ୍କା ଆଦାୟ କରିବା ସ୍ଥାନରେ ହାରାହାରି ୭,୦୨୫ ଟଙ୍କା ଆଦାୟ କରାଯାଇଥିଲା। ସେହିଭଳି ଓଏମ୍ଏଡିସି ରୁଲ୍ ଅନୁସାରେ ବେଆଇନ ଖଣିଜ ପଦାର୍ଥକୁ ମଧ୍ୟ ଜବତ କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହା ପାଳନ କରାଯାଇନଥିଲା। ଏହି ଅନିୟମିତତାକୁ ସୁଧାରିବାକୁ ତତ୍କାଳୀନ ରାଜସ୍ବ ବିଭାଗ ସଚିବ ଆର୍‌କେ ଶର୍ମା ଜିଲ୍ଲାପାଳଙ୍କୁ ତାଗିଦ୍‌ କରିଥିଲେ।

ଚଳିତ ବର୍ଷ ଅକ୍ଟୋବରରେ ଜାତୀୟ ଗ୍ରିନ୍ ଟ୍ରିବୁନାଲ୍ ଜିଲ୍ଲା ପ୍ରଶାସନର ଏଭଳି ଅନିୟମିତତାକୁ ତୀବ୍ର ସମାଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ପକ୍ଷରୁ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ବିଶେଷତଃ ମାଙ୍କଡ଼ା ପଥରର ଖନନ ଯୋଗୁଁ ୧କୋଟି ୮୦ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହୋଇଥିବା ଦର୍ଶାଇଥିଲେ। ବର୍ତ୍ତମାନ ଜିଲ୍ଲାରେ ନିୟମିତ ଭାବେ ତହସିଲଦାର, ଉପଜିଲ୍ଲାପାଳ, ଅତରିକ୍ତ ଜିଲ୍ଲାପାଳ (ରାଜସ୍ବ)ଙ୍କ ଉପସ୍ଥିତିରେ ଗାଡ଼ି ଜବତ କରାଯାଉଛି। ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। କିନ୍ତୁ କେତେ ସଂଖ୍ୟାରେ ଗାଡ଼ି ଜବତ ହୋଇଛି, ସେମାନଙ୍କ ଠାରୁ କେତେ ଜରିମାନା ଆଦାୟ କରାଯାଇଛି, ଜବତ ଖଣିଜ ଦ୍ରବ୍ୟ କେଉଁଠି ରଖାଯାଇଛି, ସେନେଇ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ତଥ୍ୟ ନାହିଁ।

ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅନୁଜ ଦାସପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଏନେଇ ତଥ୍ୟ ଲିପିବଦ୍ଧ କରିବାକୁ ଦୁଇ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉପଜିଲ୍ଲାପାଳ ଅଶୋକ ବେଉରିଆଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ସେ ଏଭଳି କିଛି ତଥ୍ୟ ରଖନ୍ତି ନାହିଁ। ତଥ୍ୟ ସମସ୍ତ ବିଭିନ୍ନ ତହସିଲଦାରଙ୍କ ନିକଟରେ ରହିଛି।

ସମ୍ବନ୍ଧିତ ଖବର