ସୁବ୍ରତ ସ୍ବାଇଁ
କେନ୍ଦୁଝର: ଭୂଇଁ ତଳେ ଓ ଉପରେ ଥିବା ସଂପଦକୁ ଆକଳନ କଲେ କେନ୍ଦୁଝର ଏକ ଧନୀ ଜିଲ୍ଲା। ଏହି ଜିଲ୍ଲାରେ ୩୫ଟି ଖଣି କାର୍ଯ୍ୟକ୍ଷମ ଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଶିଳ୍ପ ରହିଛି। ମାଟି ତଳେ ଥିବା ସଂପତ୍ତିର ମନଇଚ୍ଛା ଖୋଳା ଚାଲିଛି। ଖଣିଜ ଖନନ ପରିମାଣ ଉପରେ ଅଙ୍କୁଶ ନଥିବାରୁ ଆଉ ୨୦ ବର୍ଷ ପରେ ଖଣିଜ ସଂପଦ ପ୍ରାୟ ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି। ଅନ୍ୟପକ୍ଷରେ ଖଣିଜ ଖନନକୁ ଦେଖିଲେ ଜିଲ୍ଲାର ବିକାଶ କିନ୍ତୁ ବହୁ ପଛରେ ପଡ଼ିଛି। ବିଶେଷ କରି ଖଣି ପ୍ରଭାବିତ ଅଞ୍ଚଳର ଲୋକେ ସ୍ବାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେବା ସହ ଦାରିଦ୍ର୍ୟ ଓ ଅପପୁଷ୍ଟିର ଶିକାର ହୋଇ ନରକ ଯନ୍ତ୍ରଣା ଭୋଗୁଛନ୍ତି। ଧନୀ ଜିଲ୍ଲାର ଏହି ଗରିବ ଲୋକଙ୍କ ଉନ୍ନତି ପ୍ରତି ଗୁରୁତ୍ବ ଦିଆଯାଉନି। କେନ୍ଦୁଝର ଜିଲ୍ଲାରେ ମୋଟ ଜନସଂଖ୍ୟା ହେଉଛି ୧୮ ଲକ୍ଷ ୧ହଜର ୭୩୩। ପ୍ରାୟ ୫୦ ପ୍ରତିଶତ ଅର୍ଥାତ୍ ୮ ଲକ୍ଷରୁ ଅଧିକ ହେଉଛନ୍ତି ଅନୁସୂଚିତ ଜନଜାତି ଶ୍ରେଣୀର। ଜିଲ୍ଲାର ଯୋଡ଼ା, ଚମ୍ପୁଆ, ହରିଚନ୍ଦନପୁର, ହାଟଡିହି, ଝୁମ୍ପୁରା, ସଦର ବ୍ଲକ ହେଉଛି ଖଣି ପ୍ରଭାବିତ। ସେଥରୁ ମୋଟ ୮୯ଟି ପଞ୍ଚାୟତ ସିଧା ସଳଖ ଖଣି ଦ୍ବାରା ପ୍ରଭାବିତ ହେଉଥିବା ବେଳେ ଖଣି ପାଇଁ ଅନେକ ଭିଟାମାଟି ଛାଡ଼ିବା ସହ ଜୀବନଜୀବିକା ବିପନ୍ନ କରିଛନ୍ତି। କେବଳ ଯୋଡ଼ା ଖଣି ମଣ୍ଡଳରୁ ୨୦୨୧-୨୨ରେ ୭୧ ନିୟୁତ ମେଟ୍ରିକ୍ ଟନ୍ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ୭୨ ନିୟୁତ ମେଟ୍ରିକ ଟନ୍ ଖଣିଜ ବିକ୍ରି ହୋଇଛି। ଜିଲ୍ଲାର ଖଣିଜ ପ୍ରତିଷ୍ଠାନ ପାଣ୍ଠିକୁ ଗତ କିଛିବର୍ଷ ମଧ୍ୟରେ ୯ ହଜାର କୋଟିରୁ ଅଧିକ ଟଙ୍କା ଆସିଛି। ଏହାସତ୍ତ୍ବେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ସ୍ଥିତିରେ ଉନ୍ନତି ଆସିନାହିଁ।

Advertisment

ସେହିପରି କେନ୍ଦୁଝର ଜିଲ୍ଲାର ମୋଟ୍‌ ୩ଲକ୍ଷ ୯୫ ହଜାର ୫୮୪ ରାସନ କାର୍ଡଧାରୀ ଅଛନ୍ତି। ପ୍ରାୟ ୧୪ ଲକ୍ଷ ୭୩ ହଜାର ୮୦୬ ଜଣ ରାସନ ସାମଗ୍ରୀ ପାଉଛନ୍ତି। ହିସାବ ଦେଖିଲେ ମୋଟ୍‌ ଜନସଂଖ୍ୟାର ୮୦ ପ୍ରତିଶତ ଲୋକ ସରକାରୀ ହାତଟେକାରେ ବଞ୍ଚିଛନ୍ତି। ଏହି ଗରିବ ପରିବାରଗୁଡ଼ିକ ପୁଷ୍ଟିକର ଖାଦ୍ୟ ପାଇବା କଷ୍ଟକର। ଯେଉଁଥିପାଇଁ ଜିଲ୍ଲାରେ ପ୍ରାୟ ୧୩ ପ୍ରତିଶତ କମ୍ ଓଜନର ଶିଶୁ ଜନ୍ମ ହେଉଛନ୍ତି। ୧ ବର୍ଷରୁ ୫ ବର୍ଷ ମଧ୍ୟରେ ପ୍ରାୟ ୨୨ ପ୍ରତିଶତ ଶିଶୁ କମ୍ ଓଜନର ଅଛନ୍ତି। ଗତ ନଭେମ୍ବର ମାସର ଉଦାହରଣ ନିଆଗଲେ କେନ୍ଦୁଝର ଜିଲ୍ଲାରେ ୨୦୨୩ ନଭେମ୍ବରରେ ମୋଟ ୮୨୬୦ ଶିଶୁ ଜନ୍ମ ହୋଇଛନ୍ତି। ସେମଧ୍ୟରୁ ବାଂଶପାଳରେ ୯୦ ଜଣ, ଚମ୍ପୁଆରେ ୪୧ ଜଣ, ଘସିପୁରାରେ ୪୯ ଜଣ, ଘଟଗାଁରେ ୫୪୮ ଜଣ, ହରିଚନ୍ଦନପୁରରେ ୧୭୦ ଜଣ, ହାଟଡିହିରେ ୫୭ ଜଣ, ଝୁ ମ୍ପୁରାରେ ୬୭ ଜଣ, ଯୋଡ଼ାରେ ୧୩୧ ଜଣ, କେନ୍ଦୁଝର ସଦରରେ ୧୧୭ ଜଣ, ପାଟଣାରେ ୬୬ ଜଣ, ସାହରପଡ଼ାରେ ୮୫ ଜଣ, ତେଲକୋଇ ୫୯ ଜଣ ଶିଶୁ କମ୍ ଓଜର ଜନ୍ମ ହୋଇଛନ୍ତି। ଅର୍ଥାତ ମୋଟ୍‌ ଜନ୍ମିତ ଶିଶୁମାନଙ୍କ ମଧ୍ୟରୁ ୧୦୫୧ ଜଣ ବା ୧୩ ପ୍ରତିଶତ ଶିଶୁ କମ୍ ଓଜନର ଜନ୍ମ ହୋଇଛନ୍ତି। ନଭେମ୍ବର ମାସରେ ଅଙ୍ଗନବାଡ଼ିରେ ନାମ ଲେଖାଇଥିବା ଶିଶୁମାନଙ୍କ ମଧ୍ୟରୁ (୫ ବର୍ଷ ପର୍ଯ୍ୟନ୍ତ) ପ୍ରାୟ ୨୨ ପ୍ରତିଶତ ଶିଶୁଙ୍କ ଓଜନ କମ୍ ରହିଛି। ସମୁଦାୟ ଶିଶୁଙ୍କ ମଧ୍ୟରୁ ୫.୦୪ ପ୍ରତିଶତ ଅତ୍ୟନ୍ତ ଦୁର୍ବଳ, ୧୭.୬୫ ପ୍ରତିଶତ ଶିଶୁ ମଧ୍ୟମ ଧରଣର ଦୁର୍ବଳ ଅଛନ୍ତି।