ଜାଲ୍‌ ଆର୍‌ ଫର୍ମରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌

କୋଟି କୋଟି ଟଙ୍କା ଟିକସ ଫାଙ୍କି
ଧରିବା ପରେ ଜିଲ୍ଲା ଚେତିଲେ
ବାଲିଘାଟ ମାଲିକଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ହେବ

ଯାଜପୁର/ଦଶରଥପୁର : ବହୁ ଚର୍ଚ୍ଚିତ ଖଣି ମହାଦୁର୍ନୀତି ନେଇ ଚର୍ଚ୍ଚା ଶେଷ ହୋଇନାହିଁ। ଲଘୁ ଖଣିଜ କାରବାରରେ ଆଉ ଏକ ବଡ଼ ଦୁର୍ନୀତି ହୋଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଲଘୁ ଖଣିଜ ସଂପଦର ଚୋରା କାରବାର ସହିତ ବେଆଇନ୍‌ ଖନନ ନେଇ ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ ଯେଉଁ ତଥ୍ୟ ଲାଗିଛି, ଏହାକୁ ଆଉ ଏକ ମହାଦୁର୍ନୀତିର ଆଖ୍ୟା ଦିଆଯାଇପାରେ। ଜାଲ ଆର ଫର୍ମ ଜରିଆରେ କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ଚାଲିଛି। ଗତ ୬ ତାରିଖରେ ଖୋଦ୍‌ ଜିଲ୍ଲାପାଳ ରଂଜନ କୁମାର ଦାସ ମଧ୍ୟ ଏଭଳି କିଛି ତଥ୍ୟ ପାଇଛନ୍ତି। ହେଲେ ଦୁର୍ନୀତିଟି ଯେତେ ଗମ୍ଭୀର, ସରକାରୀ କାର୍ଯ୍ୟାନୁଷ୍ଠାନରେ ସେତିକି ତତ୍ପରତା ଦେଖାଯାଇନାହିଁ।

ଗତ ୬ ତାରିଖ ଦିନ ଜିଲ୍ଲାପାଳ ରଂଜନ କୁମାର ଦାସ ଏବଂ ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର ସଠିପୁର ରାଜସ୍ୱ ସର୍କଲ ଅଂଚଳରୁ ହାଇୱା (ଓଡି-୨୨-କେ-୦୯୯୭)କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ବାଲି ବୋଝେଇ ହାଇୱାରୁ ଆର୍‌-ଫର୍ମ ଜବତ କରାଯାଇଥିଲା। ଏହି ଆର୍‌-ଫର୍ମଟି ନକଲି ବୋଲି ଯାଞ୍ଚ ବେଳେ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଜବତ ଆର-ଫର୍ମ ଦଶରଥପୁର ତହସିଲ ଅଞ୍ଚଳର। ଏଥିନେଇ ଜିଲ୍ଲାପାଳ ଦଶରଥପୁର ତହସିଲଦାରଙ୍କୁ ଯୋଗାଯୋଗ କରିଥିଲେ । ଏଥିରେ ଦଶରଥପୁର ତହସିଲର କୌଣସି ସମ୍ପୃକ୍ତି ନଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ଉକ୍ତ ଘାଟମାଲିକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିଯିବକୁ ପ୍ରକିୟା ଆରମ୍ଭ କରିଛି। ଅନ୍ୟପଟେ ଆର-ଫର୍ମରେ ଦଶରଥପୁର ତହସିଲ ସମ୍ପୃକ୍ତ ଏବଂ ନକଲି ଷ୍ଟାମ୍ପକୁ ବ୍ୟବହାର କରାଯାଇଥିବାରୁ ଦଶରଥପୁର ତହସିଲଦାର ମଧ୍ୟ ସଂପୃକ୍ତ ଘାଟମାଲିକଙ୍କ ନାମରେ ମାମଲା ରୁଜୁ କରିବେ ବୋଲି ସୂଚନା ଦେଇଛନ୍ତି।

ଧରାପଡିଥିବା ନକଲି ଆର-ଫର୍ମଟି ଦଶରଥପୁର ତହସିଲ ଅଂଚଳ ବାମଦେବପୁର ଘାଟର। ଏହି ଘାଟଟି ଅମିତ୍‌ କୁମାର ଦାସ ନାମକ ଜଣେ ଯୁବକ ୫ ବର୍ଷ ପାଇଁ ଠିକା ନେଇଛନ୍ତି । ଚୋରା କାରବାର ଉପରେ ୨ମାସ ହେବ ରୋକ ଲାଗିଛି। ଏଣୁ ନକଲି ଆର-ଫର୍ମ ନିଜେ କରି ବାଲି ନେଉଥିବା ଗାଡିକୁ ସଂସ୍ଥା ପ୍ରଦାନ କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଆର୍‌ ଫର୍ମରେ ଦଶରଥପୁର ତହସିଲଦାରଙ୍କ ଦସ୍ତଖତ, ଲୋଗୋ, ଷ୍ଟାମ୍ପ, ସିରିଅଲ ନମ୍ବର, ତାରିଖ, ଘାଟ ନାମ, ଘାଟକୁ ଠିକା ନେଇଥିବା ଠିକାଦାରଙ୍କ ନାମ, ଠିକାଦାରଙ୍କ ଦସ୍ତଖତ, ବାଲି ନେଉଥିବା ଗାଡି ନମ୍ବର, ବାଲିର ଓଜନ, କେଉଁ ଠାରୁ କେଉଁଠି କୁ ଯାଉଛି, ତହସିଲ କାଯ୍ୟଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଦସ୍ତଖତ ରହିବା ବିଧେୟ । ହେଲେ ଜବତ ହୋଇଥିବା ନକଲି ଆର-ଫର୍ମ ରେ ନକଲି ଷ୍ଟାମ୍ପ, ତାରିଖ, ଘାଟ ନାମ, ଠିକାଦାର ନାମ, ମିଥ୍ୟା ଅଧିକାରୀଙ୍କ ଦସ୍ତଖତ କରାଯାଇ ଗାଡିମାଲିକଙ୍କୁ ଦିଆଯାଇଛି। ସରକାରଙ୍କ ଟିକସ ଫାଙ୍କିବା ପାଇଁ ଏହିଭଳି ଜାଲ ଆର୍‌ ଫର୍ମରେ ଚୋରା ବାଲି ଚାଲାଣ ଚାଲିଛି, ଏହା ଗୋଟିଏ ନମୁନା ମାତ୍ର।

ଜିଲ୍ଲାରେ ବିନା ଆର୍‌ ଫର୍ମରେ ପ୍ରତିଦିନ ଶହ ଶହ ଟ୍ରିପ୍‌ ବାଲି, ମୋରମ,ଚିପ୍ସ୍‌,ବୋଲଡ଼ର୍‌ ଇତ୍ୟାଦି ଚୋରାଚାଲାଣ ହେଉଛି। ବେଆଇନ୍‌ ଭାବେ ନଦୀରୁ ବାଲି ଚାଲାଣ କରିବା ସହିତ ଜଙ୍ଗଲ ଜମିରୁ ବିନା ଲିଜ୍‌ରେ ଖନନ ଚାଲିଥିବା କ୍ୱାରିଗୁଡ଼ିକରୁ କୋଟି କୋଟି ଟଙ୍କାର ଲଘୁ ଖଣିଜ ସଂପଦ ଯାଜପୁର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଜିଲ୍ଲା ପ୍ରଭୃତିକୁ ଚାଲାଣ ହେଉଛି। ଏହି କାରବାରରେ ଥାନା ଫାଣ୍ଡି, ଆର୍‌ଟିଓ ଅଫିସ,ଜଙ୍ଗଲ ବିଭାଗ ଓ ତହସଲ ଗୁଡ଼ିକର କେତେକ ଅଧିକାରୀ ସିଧାସଳଖ ସଂପୃକ୍ତ ରହୁଥିବାରୁ ସରକାର ବର୍ଷକୁ ଶହ ଶହ କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ଜିଲ୍ଲାରେ ରେଲେଓ୍ଵ ଲାଇନ୍‌ ନିର୍ମାଣ ସହିତ ଜାତୀୟ ରାଜପଥ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ଭିତ୍ତିଭୂମି ସହିତ ସର୍ବସାଧାରଣରେ ବ୍ୟବହୃତ ହେଉଥିବା ଲଘୁ ଖଣିଜ ସଂପଦ ବାବଦରୁ କୋଟି କୋଟି ଟଙ୍କା ମୁନାଫା କମାଇବାରେ ଲାଗିଛନ୍ତି।

ପ୍ରକାଶଥାଉକି, ଗତ ଦଶନ୍ଧିରେ ଖଣି ଚୋରି କାରବାର ଭଳି ଏବେ ଲଘୁ ଖଣିଜ ପଥର ଚୋରି କାରବାର ବୃଦ୍ଧି ପାଇଛି। କେତେକ ଠିକାଦାର ଖଣି ଲିଜ୍‌ ନେଇ ଅନ୍ୟତ୍ର ଖାଦାନ ଖୋଳୁଛନ୍ତି। ଏପରିକି ଖୁବ୍‌ କମ୍‌ ଖଣି ପା୍ଲନ୍‌ ଓ ପ୍ରଦୂଷଣ ଅନୁମତି ଆଣିଥିଲେ ହେଁ ଫି ଦିନ ଖଣି ମାଲିକମାନେ ଶହ ଶହ ଗୁଣ ଲଘୁ ଖଣିଜ ପଥର ଉତ୍ତୋଳନ କରି ଚାଲାଣ କରୁଛନ୍ତି। ଖଣି ଦୁର୍ନୀତିର ଶାହା କମିସନ୍‌ ତଦନ୍ତ କଲା ଭଳି ଯଦି ସ୍ୱତନ୍ତ୍ର ତଦନ୍ତ କରାଯିବ ବହୁ ଅଧିକାରୀ ଫସିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର