ପ୍ରଦୂଷଣ ବିଷ ବଳୟରେ ଖଣି ଓ ଶିଳ୍ପାଞ୍ଚଳ

ଯାଜପୁର/ଦାନଗଦୀ: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦା କ୍ରୋମ ଖଣି ଅଞ୍ଚଳ ପ୍ରଦୂଷଣ ଦ୍ବାରା କବଳିତ। ଏହାର ତୁରନ୍ତ ପ୍ରତିକାର କରିବା ଆବଶ୍ୟକ ବୋଲି ପୂର୍ବତନ ମନ୍ତ୍ରୀ ତଥା କଳିଙ୍ଗନଗର ମଜଦୁର ୟୁନିୟନ ଏବଂ ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘର ବରିଷ୍ଠ ପରାମର୍ଶଦାତା ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ  ପରାମର୍ଶ ଦେଇଛନ୍ତି ।  କଳିଙ୍ଗନଗରରେ ଦ୍ରୁତ ଶିଳ୍ପାୟନ ଏବଂ ସୁକିନ୍ଦା କ୍ରୋମ ଖଣି ଉପତ୍ୟକାରେ ବହୁଳ ଖଣିଜ ଉତ୍ତୋଳନ ଯୋଗୁଁ ଧୂଳି, ଧୂଆଁ ଉଡ଼ିବା ସହିତ ହେକ୍ସାଭାଲେଣ୍ଟ କ୍ରୋମିୟମ୍ ଏବଂ ଶିଳ୍ପାଞ୍ଚଳରୁ ବାହାରୁଥିବା ପ୍ରଦୂଷିତ ଜଳ ନିକଟସ୍ଥ ନାଳ ଏବଂ ଜମିରେ ମାଡି  ଚାଲିଛି। ଫଳରେ  ସୁକିନ୍ଦା ନିର୍ବାଚନମଣ୍ତଳୀର ବ୍ୟାପକ ଅଞ୍ଚଳ ପ୍ରଦୂଷଣର ଶିକାର ହେଉଛି। ଗ୍ରିନ୍‌ ପିସ୍‌ ଇଣ୍ତିଆର ସର୍ଭେ ଅନୁଯାୟୀ କଳିଙ୍ଗନଗର ଶହେ ପ୍ରଦୂଷିତ ସହର ଭିତରେ ଆସୁଛି।।

ଆମେରିକାର ବ୍ଲାକ ସ୍ମିଥ୍ ଇନଷ୍ଟିଚ୍ୟୁଟ୍‌ର ରିପୋର୍ଟ ଅନୁସାରେ ସୁକିନ୍ଦା ବିଶ୍ବର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଅପରପକ୍ଷରେ ଆଇସିଏଆର ଇଣ୍ତିଆନ ଇନଷ୍ଟିଚ୍ୟୁଟ୍ ଅଫ ୱାଟର ମ୍ୟାନେଜମେଣ୍ଟ ତାଙ୍କର ୨୦୧୮ ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ ପ୍ରଦୂଷଣ ହେତୁ ସୁକିନ୍ଦାର ୭୦ ପ୍ରତିଶତ ଜଳ ଏବଂ ୨୮ ପ୍ରତିଶତ ଜମି କୃଷି କାର୍ଯ୍ୟ ପାଇଁ ଅନୁପଯୁକ୍ତ ହୋଇଗଲାଣି। ସୁକିନ୍ଦା ନିର୍ବାଚନମଣ୍ତଳୀର ଲୋକମାନେ ଅଲସର, ଗ୍ୟାଷ୍ଟ୍ରିକ, ଆଲର୍‌ଜି, ମସ୍ତିଷ୍କ, ଲିଭର, କିଡ୍‌ନି ଇତ୍ୟାଦି ରୋଗର ଶିକାର ହୋଇ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି।

ଚାଷ ଜମି ଉର୍ବରତା ହରାଉଛି। ବୃକ୍ଷ ମାନଙ୍କରେ ପ୍ରଦୂଷିତ ଧୂଳି ଲାଗିବା ଫଳରେ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି।  ତେଣୁ ଏ ପରିପ୍ରେକ୍ଷୀରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ସୁକିନ୍ଦା ଖଣି ଅଞ୍ଚଳରେ ପ୍ରଦୂଷଣ ସ୍ତର ହ୍ରାସ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ତୁରନ୍ତ ଗ୍ରହଣ କରିବା ସହିତ ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ବିଭାଗର ଅଧିକାରୀମାନେ କଳିଙ୍ଗନଗରରେ ଥିବା ସମସ୍ତ ଶିଳ୍ପ ସଂସ୍ଥା ଏବଂ ସୁକିନ୍ଦାର ଖଣି ମାଲିକ ମାନଙ୍କୁ ବୃକ୍ଷରୋପଣ ପାଇଁ  ପ୍ରସ୍ତୁତି ଆରମ୍ଭ କରିବା ଆବଶ୍ୟକ ବୋଲି ଡକ୍ଟର ଘଡାଇ ପରାମର୍ଶ ଦେଇଛନ୍ତି। ଜୁନ–ଜୁଲାଇ ମାସ ସୁଦ୍ଧା ସୁକିନ୍ଦା ନିର୍ବାଚନମଣ୍ତଳୀରେ ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରିବା ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର