ଖଣି ବ୍ୟବସାୟୀ ସୁଧାଂଶୁ ଦତ୍ତ ହତ୍ୟା ଘଟଣା : ପ୍ରମାଣ ଅଭାବରୁ ୫ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ଭୁବନେଶ୍ବର : ବହୁଚର୍ଚିତ ଖଣି ବ୍ୟବସାୟୀ ସୁଧାଂଶୁ ଦତ୍ତ ଅପହରଣ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୫ ଅଭିଯୁକ୍ତ ଆଜି ନିର୍ଦୋଷରେ ଖଲାସ ହୋଇଛନ୍ତି। ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଅଦାଲତ (ଏଡିଜେ-୨) ଏଭଳି ରାୟ ଶୁଣାଇଛନ୍ତି। ଖଲାସ ଅଭିଯୁକ୍ତମାନେ ହେଲେ, ଖାରବେଳନଗର ଥାନା ଅଧୀନ ୫ ନମ୍ବରର ପ୍ରଦୀପ କୁମାର ପ୍ରଧାନ ଓରଫ ପିଣ୍ଟୁ, ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାରର ସୁବାସ କୁମାର ନାୟକ ଓରଫ ନବୀନା, ନୂଆପଲ୍ଲୀର ବାଇଧର ସ୍ବାଇଁ ଓରଫ ପପୁ ଓରଫ ନାଳୁଆ, କ୍ୟାପିଟାଲ ଥାନା ଅଧୀନ ନୟାଗଡ଼ ବସ୍ତିର ପି ସୁବ୍ରତ ରାଓ ଓରଫ ଚାନ୍ଦୁ, ପାୱାର ହାଉସ କଲୋନିର ଜଗନ୍ନାଥ ରାଉତ ଓରଫ କାଳୁ। ଏହି ଘଟଣାରେ ସଂପୃକ୍ତ ମୃତ ସୁଧାଂଶୁଙ୍କ ପତ୍ନୀ ସ୍ବପ୍ନସରିତା ଦତ୍ତ ଏଯାଏଁ ଫେରାର୍‌ ଅଛନ୍ତି। ପୁଲିସ ଏ ପର୍ଯ୍ୟନ୍ତ ତାଙ୍କ ପତ୍ତା ପାଇନାହିଁ। ତଦନ୍ତକାରୀ ଅଫିସରଙ୍କ ଖାମଖିଆଲି ଢଙ୍ଗରେ ତଦନ୍ତ, ପ୍ରମାଣର ଘୋର ଅଭାବ ଓ ସାକ୍ଷୀମାନଙ୍କ ବୟାନରେ ତାଳମେଳ ନ ରହିବା କାରଣରୁ ଏଭଳି ଏକ ମାମଲାରୁ ଅଭିଯୁକ୍ତମାନେ ଖଲାସ ହୋଇଗଲେ ବୋଲି ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାସ କହିଛନ୍ତି।

ଏଠାରେ ପ୍ରକାଶଥାଉକି, ୨୦୧୧ ମସିହା ସେପ୍ଟେମ୍ବର ମାସରେ ଖଣି ବ୍ୟବସାୟୀ ସୁଧାଂଶୁ ନିଖୋଜ ହେବା ନେଇ ତାଙ୍କ ବଡ଼ ଭାଇ ହିମାଂଶୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଥିଲା ସୁଧାଂଶୁଙ୍କ ପତ୍ନୀ ସ୍ବପ୍ନସରିତା ଓ ତାଙ୍କ ଅଫିସ କର୍ମଚାରୀମାନେ ତାଙ୍କୁ ଅପହରଣ କରି ନେଇ ହତ୍ୟା କରିଛନ୍ତି। ନୂଆପଲ୍ଲୀ ଥାନା ପୁଲିସ ପ୍ରଥମେ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ସୁଧାଂଶୁଙ୍କ ସ୍କର୍ପିଓ ପାଣିକୋଇଲି ଅଞ୍ଚଳରୁ ଉଦ୍ଧାର କରିଥିଲା ସ୍ଥାନୀୟ ପୁଲିସ। ଏହା ପରେ ପୁଲିସ ସ୍ପଷ୍ଟ ହୋଇଥିଲା ଯେ ସୁଧାଂଶୁଙ୍କୁ ହତ୍ୟା କରାଯାଇଛି। ପୁଲିସ ହତ୍ୟା ମାମଲା ରୁଜୁ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। କିନ୍ତୁ କୋର୍ଟରେ ଶୁଣାଣି ଆରମ୍ଭରୁ ପୁଲିସ ଅବହେଳା କରିଥିଲା। ତଦନ୍ତକାରୀ ଅଫିସର ସାକ୍ଷୀ ଦେବାକୁ କୋର୍ଟକୁ ଆସି ନ ଥିଲେ। ଫଳରେ କ‌ୋର୍ଟ ପକ୍ଷରୁ ତାଙ୍କୁ ଦୁଇଥର ନୋଟିସ ମଧ୍ୟ କରାଯାଇଥିଲା। ସେହିପରି ପୁଲିସ ଏଯାଏଁ ସୁଧାଂଶୁଙ୍କ ମୃତଦେହକୁ ମଧ୍ୟ ଠାବ କରିପାରିନାହିଁ। ପୁଲିସ ଦର୍ଶାଇଥିଲା ଯେ ଅଭିଯୁକ୍ତମାନେ ସୁଧାଂଶୁଙ୍କୁ ହତ୍ୟା କରି ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ନେଇ ଯାଇଥିଲେ। ତାହାକୁ ଜବତ କରିଥିଲେ ହେଁ ସେ ବନ୍ଧୁକ କାହାର, ପୁଲିସ ତାହା କୋର୍ଟରେ ସ୍ପଷ୍ଟ କରି ପାରିନଥିଲା। କେଉଁଥିରେ ସୁଧାଂଶୁଙ୍କୁ ହତ୍ୟା କରଯାଇଥିଲା ପୁଲିସ ତାହା ମଧ୍ୟ ସ୍ପଷ୍ଟ କରିପାରିନଥିଲା।

ସମ୍ବନ୍ଧିତ ଖବର