ଏନ୍‌ଜିଟିରେ ବେଆଇନ ମୋରମ ଖନନ ମାମଲା: ପରିବେଶ କ୍ଷତିପୂରଣ ଭରଣା ପାଇଁ ୫୩ ଲକ୍ଷ ଟଙ୍କା

କଟକ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ଅଞ୍ଚଳରୁ ବେଆଇନ ମୋରମ ଖନନ ଯୋଗୁଁ ଜଙ୍ଗଲ ଜମି ନଷ୍ଟ ହେବା ସହିତ ପରିବେଶର କ୍ଷତି ହୋଇଛି। ଜାତୀୟ ଗ୍ରିନ ଟ୍ରିବୁନାଲ (ଏନଜିଟି)ଙ୍କ ନିର୍ଦ୍ଦେଶରେ ଗଠିତ ଯୁଗ୍ମ କମିଟି ଦାଖଲ କରିଥିବା ‌ରିପୋର୍ଟରୁ ଏଭଳି ତଥ୍ୟ ସ୍ପଷ୍ଟ ‌େହାଇଛି। ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଯୁଗ୍ମ କମଟି ଦାଖଲ କରିଥିବା ରିପୋର୍ଟରେ ବେଆଇନ ମୋରମ ଖନନ ଯୋଗୁଁ ପରିବେଶର ହୋଇଥିବା କ୍ଷତି ଭରଣା ପାଇଁ ପରିବେଶ କ୍ଷତିପୂରଣ ରାଶି ୨୦ ଲକ୍ଷ ୩୦ ହଜାର ଟଙ୍କା ଆକଳନ କରାଯାଇଛି। ସେହିଭଳି ଜଙ୍ଗଲ ଜମି ଓ ରାଜସ୍ବ ଜଙ୍ଗଲ ଜମିର ହୋଇଥିବା ହାନି ପାଇଁ କ୍ଷତିପୂରଣ ରାଶି ୩୧ ଲକ୍ଷ ୪୩୦ ଟଙ୍କା ଧାର୍ଯ୍ୟ କରାଯାଇଛି। କ୍ଷତିଗ୍ରସ୍ତ ହୋଇଥିବା ରାଜସ୍ବ ଜଙ୍ଗଲ ଜମିରେ ଚାରା ରୋପଣ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଆକଳନ କରାଯାଇଛି। କ୍ଷତିପୂରଣ ବାବଦ ଏହି ଅର୍ଥ ଆଦାୟ ଉପରେ ଏନଜଟି ଗୁରୁତ୍ବାରୋପ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧କୁ ଧାର୍ଯ୍ୟ କରାଯାଇଛି। ଶାନ୍ତନୁ କୁମାର ଭୁକ୍ତାଙ୍କ ଆବେଦନର ଶୁଣାଣି କରି ଏନଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଥିଲା ବେଳେ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ପରଜଙ୍ଗ ଓ କାମାକ୍ଷାନଗର ତହସିଲ ଅନ୍ତର୍ଗତ ସରକାରୀ ଜମି, ସଂରକ୍ଷିତ ଓ ଅଣ ସଂରକ୍ଷିତ ଜଙ୍ଗଲ କିସମ ଜମିରୁ ବେଆଇନ ମୋରମ ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ବାରମ୍ବାର ତହସିଲଦାର ଓ ବନ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ବେଆଇନ ମୋରମ ଖନନ ପ୍ରସଂଗକୁ ନେଇ ୨୦୨୦ରେ ଶ୍ରୀ ଭୁକ୍ତା ଏନଜିଟିଙ୍କ ଦ୍ବାରସ୍ଥ ହୋଇଥିଲେ। ମୋରମ ଖନନ କରାଯାଉଥିବା ସ୍ଥାନ ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଏକ ଯୁଗ୍ମ କମିଟି ଗଠନ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଥିଲେ। ଢେଙ୍କାନାଳ ଜିଲ୍ଲାପାଳ, ବନପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ, କାମାକ୍ଷାନଗର ଓ ପରଜଙ୍ଗ ତହସିଲଦାର ବେଆଇନ ମୋରମ ଉତ୍ତୋଳନ ସ୍ଥଳ ଗୁଡିକ ପରିଦର୍ଶନ କରିବା ସହିତ ପରିବେଶ କ୍ଷତି ଭରଣା ପ୍ରସଂଗରେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଜଙ୍ଗଲ ଜମିର ହୋଇଥିବା ହାନି ଓ ପରିବେଶର ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ସହିତ ବୃକ୍ଷରୋପଣ ପାଇଁ ଅର୍ଥ ପରିମାଣ ଆକଳନ କରାଯାଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର