ମିଳୁନି ଲିଜ୍‌ ଅନୁମୋଦନ, ବନ୍ଦ ପଡ଼ିଛି ଖଣି

ଦୋହଲିଯାଇଛି ଖଣି ଶ୍ରମିକଙ୍କ ଆର୍ଥିକ ସ୍ଥିତି

ଯୋଡ଼ା : କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଉଥିବା ବେଳେ ଅନ୍ୟାନ୍ୟ ବିଭାଗରେ ସରକାରୀ କାମ ଧିମେଇ ଯାଇଛି। ଏହାର ପ୍ରଭାବ ଖଣିଖାଦାନ ଉପରେ ପଡ଼ିଛି। ନିଲାମ ପାଇଥିବା ନୂଆ ଲିଜ୍‌ଧାରୀଙ୍କୁ ଖଣି ଲିଜ୍‌ ଅନୁମୋଦନ ମିଳି ନଥିବାରୁ ୧୧ଟି ଖଣିରେ ଖନନ କାମ ଆରମ୍ଭ ହୋଇପାରୁନି। ଫଳରେ ଯୋଡ଼ା ଖଣି ମଣ୍ତଳରେ ହଜାର ହଜାର ଶ୍ରମିକ ଏବଂ କର୍ମଚାରୀଙ୍କ ଆର୍ଥିକ ଅବସ୍ଥା ବିଗିଡ଼ିବାରେ ଲାଗିଛି।

ଯୋଡ଼ା ଖଣି ମଣ୍ତଳରେ ୧୦୪ଟି ଖଣି ରହିଛି। ସେଥିରୁ ୨୮ଟି ଖଣି କାର୍ଯ୍ୟକ୍ଷମ ଥିଲା। ମାର୍ଚ୍ଚ ୩୧ ତାରିଖରେ ଲିଜ‌୍ ଅବଧି ଶେଷ ହେଉଥିବା ୧୧ଟି ଖଣିର ନିଲାମ କରାଯାଇଥିଲା। ସରକାରଙ୍କ ଘୋଷଣା ଅନୁସାରେ ନୂଆକରି ନିଲାମ ହୋଇଥିବା ଖଣିଗୁଡ଼ିକୁ ଏପ୍ରିଲ ୧ରୁ କାର୍ଯ୍ୟକ୍ଷମ କରାଯିବ। ହେଲେ କରୋନା ପାଇଁ ଲକ୍‌ଡାଉନ୍‌ ଚାଲିଛି। ସରକାରୀ କାମ ଧିମେଇ ଯାଇଥିବାରୁ ନୂଆ ଲିଜ୍‌ଧାରୀଙ୍କୁ ଖଣି ଲିଜ୍‌ ଅନୁମୋଦନ ମିଳିନି। ଏହିସବୁ ଖଣିରେ ଖନନ କାମ ବନ୍ଦ ରହିଛି। ନୂଆକରି ନିଲାମ ହୋଇଥିବା ଖଣିରେ କାମ କରୁଥିବା ଯୋଡ଼ା ବ୍ଲକ୍‌ର ଜଜାଙ୍ଗ, ଲଙ୍ଗାଲଟା, ଜୁରୁଡ଼ିର ହାଇକ୍ୟାମ୍ପ, ନିଉ କଲୋନି, ବାମେବାରୀ ସି-ବ୍ଲକ୍‌, ଜରବାହାଲ, ସିଲଯୋଡ଼ା, କାଳିମାଟି, ଦବୁନା, କାଶିଆ, ଭଦ୍ରାସାହି, ଗୁଆଲି, ରୁଗୁଡ଼ି, ଠାକୁରାଣୀ, ବେଲକୁଣ୍ତି ଅଞ୍ଚଳର ଖଣି ଶ୍ରମିକଙ୍କ କାମଧନ୍ଦା ବନ୍ଦ ହୋଇଯାଇଛି। ସରକାର ଗରିବ ଲୋକଙ୍କୁ ରାସନ ସାମଗ୍ରୀ ସମେତ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ଖଣି ଶ୍ରମିକମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। ଫଳରେ ସେମାନଙ୍କ ପରିବାର ଦୁଃଖକଷ୍ଟରେ ଚଳୁଛନ୍ତି।

ଏ ସମ୍ପର୍କରେ ଯୋଡ଼ାର ବିଶିଷ୍ଟ ଶ୍ରମିକ ନେତା ମହେଶ୍ବର ରାଉତ କହିଛନ୍ତି, ଲକ୍‌ଡାଉନ୍‌ ଅବଧି ବଢ଼ିଥିବାରୁ ଆଗାମୀ ଦିନରେ ଘରେ ବସିଥିବା ଖଣି ଶ୍ରମିକଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବ। ଖଣି ଖନନ ଓ ଖଣିଜ ପରିବହନକୁ ଅତ୍ୟାବଶ୍ୟକ ସମାଗ୍ରୀଭାବେ ‌ବିବେଚନା କରାଯାଉଥିବାରୁ ସରକାର ବିଳମ୍ବ ନ କରି ନୂଆକରି ନିଲାମ ହୋଇଥିବା ଖଣିଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସେ ଦାବି କରିଛନ୍ତି। ଏନେଇ ଯୋଡ଼ା ଯୁଗ୍ମ ଖଣି ନିର୍ଦେଶକ ସଲିଲ କୁମାର ବେହେରାଙ୍କୁ ପଚାରିବାରୁ, କରୋନା ପାଇଁ ଲକ୍‌ଡାଉନ୍‌ ଚାଲିଥିବାରୁ ଖଣି ଲିଜ୍‌ ପ୍ରକ୍ରିୟା ଅଟକି ରହିଛି। ସରକାର ନୂଆ ଲିଜ୍‌ଧାରୀଙ୍କୁ ଅନୁମାଦନ ଦେଇନଥିବାରୁ ଖଣିଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର