ରାଉରକେଲା: ଶାହା କମିସନ୍ଙ୍କ ହସ୍ତକ୍ଷେପ ପରେ କିଛି ମାତ୍ରାରେ ଖଣି ଚୋରି କମିଥିଲା। ଏବେ ଖଣି ଚୋରଙ୍କ ଭୂସ୍ବର୍ଗ ପାଲଟିଛି ସୁନ୍ଦରଗଡ଼ର କୋଇଡ଼ା ଖଣି ଅଞ୍ଚଳ। ସକ୍ରିୟ ଅଛନ୍ତି ଅନ୍ତଃରାଜ୍ୟ ମାଙ୍ଗାନିଜ୍ ମାଫିଆ। ଏମାନେ ସଂରକ୍ଷିତ ଜଙ୍ଗଲକୁ ବି ଛାଡୁନାହାନ୍ତି। ମାସ ମାସ ଧରି ଏସବୁ ଅଞ୍ଚଳରୁ ବିପୁଳ ପରିମାଣର ମାଙ୍ଗାନିଜ୍ ଉତ୍ତୋଳନ ହେଉଛି। ରାଜ୍ୟ ଖଣି ବିଭାଗ ନିର୍ଦ୍ଦେଶକଙ୍କୁ କୋଇଡ଼ା ଖଣିବିଭାଗ ଉପନିର୍ଦ୍ଦେଶକଙ୍କ ଚିଠିରୁ ଏମିତି ମୂଲ୍ୟବାନ ମାଙ୍ଗାନିଜ୍ ଲୁଟ୍ ଘଟଣା ସାମନାକୁ ଆସିଛି। ଗତ ଜାନୁଆରି ୩୦ରେ ଖଣି ଅଧିକାରୀ ବି.କେ.ସାହୁଙ୍କ ସମେତ ଅନ୍ୟ ତିନି ଅଧିକାରୀ କୋଇଡ଼ା ଉପନିର୍ଦ୍ଦେଶକଙ୍କୁ ବେଆଇନ ଖଣିଖନନ ରୋକିବା ସଂକ୍ରାନ୍ତରେ ଚିଠି ଲେଖିଥିଲେ।
ଚିଠିରେ ଅଧିକାରୀମାନେ ଦର୍ଶାଇଥିଲେ, ମାଲଦା ବନାଞ୍ଚଳର ୫ଟି ସ୍ଥାନରେ ବେଆଇନ ଖଣି ଉତ୍ତୋଳନ କରାଯାଉଛି। ଏଠାରୁ ବିପୁଳ ପରିମାଣର ମାଙ୍ଗାନିଜ୍ ବାହାର କରି ଗଚ୍ଛିତ ରଖାଯାଉଛି। ମାଙ୍ଗାନିଜ୍ ଜବତ କରିବାକୁ ଖଣି ଅଧିକାରୀଙ୍କ ନେତୃତ୍ବରେ ଟିମ୍ ଡମ୍ପର ଓ ଲୋଡର୍ ନେଇ ସେଠାରେ ପହଞ୍ଚିଥିଲେ। ତେବେ ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ଫରେଷ୍ଟର ଓ ଫରେଷ୍ଟଗାର୍ଡ ମାଙ୍ଗନିଜ୍ ଜବତ କରିବାକୁ ଅନୁମତି ଦେଇ ନଥିଲେ। ଖଣି ଅଧିକାରୀଙ୍କଠୁ ଏମିତି ତଥ୍ୟ ମିଳିବାର ଦିନକ ପରେ କୋଇଡ଼ା ଖଣି ଉପନିର୍ଦ୍ଦେଶକ ରାଜ୍ୟ ଖଣି ନିର୍ଦ୍ଦେଶକଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ଉପନିର୍ଦ୍ଦେଶକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ପକ୍ଷରୁ କୋଇଡ଼ାର ମାଲଦା, ଗଣୁଆ, କେନାଭେଟା, ଦଳିତା, ପାନପୋଷିନ୍, ଗିଦେଇ, ପଟାବେଡା, କାକରପାଣି ଆଦି ଅଞ୍ଚଳରେ ମାଙ୍ଗାନିଜ୍ ଉତ୍ତୋଳନ ପାଇଁ ସଂରକ୍ଷିତ ଜଙ୍ଗଲରେ ବେଆଇନ ଖଣି ଖୋଳାଯାଉଛି। ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ବଣାଇ ବନଖଣ୍ଡର ଅଧିକାରୀ ଓ କର୍ମଚାରୀମାନେ ଏହି ଅଞ୍ଚଳରେ ପ୍ରବେଶ କରିବାକୁ ବାରଣ କରୁଛନ୍ତି। ଫଳସ୍ବରୂପ ଏନ୍ଫୋର୍ସମେଣ୍ଟ ଟିମ୍ ବେଆଇନ ଖଣି ଉତ୍ତୋଳନକୁ ରୋକି ପାରୁନି। ଚିଠି ପରେ ମଧ୍ୟ ବେଆଇନ ଉତ୍ତୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ୍। ଅନ୍ୟପଟେ ଉଭୟ ଖଣି ଓ ବନବିଭାଗ ସମନ୍ବୟ ଅଭାବରୁ ଭରଫୁର ଫାଇଦା ଉଠାଉଛନ୍ତି କିଛି ଖଣିମାଲିକ ଓ ମାଫିଆ। ମନଇଚ୍ଛା ବେଆଇନ ଖଣି ଉତ୍ତୋଳନ କରି ମାଙ୍ଗାନିଜ୍ ଲୁଟ୍ କରିଚାଲିଛନ୍ତି। ଟ୍ରକ୍ ଓ ଟିପ୍ପରରେ ଲୋଡିଂ ପରେ ଗଳାବାଟ ଦେଇ ତାହା କେନ୍ଦୁଝର ଖଣି ଅଞ୍ଚଳରେ ପହଞ୍ଚୁଛି। ସେଠାରୁ ସୀମାନ୍ତ ରାସ୍ତା ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମାଙ୍ଗାନିଜ୍ ଫେରୋ ପ୍ଲାଣ୍ଟକୁ ଚାଲିଯାଉଛି। ସବୁକିଛି ପରିଚାଳିତ ହେଉଛି ଅନ୍ତଃରାଜ୍ୟ ଖଣି ମାଫିଆଙ୍କ ଇଙ୍ଗିତରେ। ଚୋରା ବଜାରରେ ମାଙ୍ଗାନିଜର ଟନ୍ ପିଛା ମୂଲ୍ୟ ୧ ଲକ୍ଷରୁ ଅଧିକ ଟଙ୍କା। ମାସକୁ କୋଟି କୋଟି ଟଙ୍କାର ମୂଲ୍ୟବାନ ଖଣିଜ ଚୋରି ହେଉଥିବାବେଳେ ସଂପୃକ୍ତ ବିଭାଗଗୁଡ଼ିକ ନିରବ ରହିଛନ୍ତି କାହିଁକି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।