ଲଘୁଖଣିଜ ମହାଦୁର୍ନୀତି: ରାଜସ୍ବ ଓ ପରିବେଶ ବିଭାଗର ତନାଘନା, ଭିଜିଲାନ୍ସ ତଦନ୍ତ ଆରମ୍ଭ, ମାଗିଲେ କୈଫିୟତ

ଯାଜପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ ବଳରାମପୁର-୨ ସର୍କଲ ଅଧୀନ ବିଛାଖଣ୍ଡି ପାହାଡ଼ରେ ଚାଲିଥିବା କଳାପଥର ଚୋରା କାରବାରକୁ ନେଇ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ବଳରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ଭିଜିଲାନ୍ସ ଏସ୍‌ପି ଯାଜପୁର ଜିଲ୍ଲାପାଳ, ଧର୍ମଶାଳା ତହସିଲଦାର ଓ ପରିବେଶ ବିଭାଗର ଯାଜପୁରରୋଡ଼ସ୍ଥିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ(ଆରଓ)ଙ୍କୁ ୨୫ଟି ପଏଣ୍ଟର ବିଭିନ୍ନ ପ୍ରସଙ୍ଗ ଉପରେ ରିପୋର୍ଟ ତଲବ କରିଛନ୍ତି। ଭିଜିଲାନ୍ସ ତଦନ୍ତ ଏକ ପ୍ରକାର ଆରମ୍ଭ ହୋଇଯାଇଥିବାରୁ ଜିଲ୍ଲା ପ୍ରଶାସନ ‌ତତ୍ପର ହୋଇଛି। ସେହିପରି ପ୍ରଦୂଷଣ ବୋର୍ଡ଼ର ଆରଓ ଅଫିସ ହରଡ଼ଘଣାରେ ପଡ଼ିଛି। ବିଛାଖଣ୍ଡି ସମେତ ଡଙ୍କାରୀ, ରାହାଡ଼ପୁର, ଆରୁହା ପ୍ରଭୃତି ପାହାଡ଼ ତଳେ ମେଗା କ୍ରସର ସହିତ ଶତାଧିକ କ୍ରସର ବିନା ଏନଓସିରେ ବର୍ଷ ବର୍ଷ ଧରି ଚାଲିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆରଓ କାର୍ଯ୍ୟାଳୟର ଏଥିପ୍ରତି ଧ୍ୟାନ ନାହିଁ।

ପ୍ରକାଶଥାଉକି, ପ୍ରଶାସନ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ସ୍ଥାନୀୟ ଲୋକଙ୍କର ଛୋଟ ଛୋଟ କ୍ରସରକୁ ଉଚ୍ଛେଦ କରି ନିଜର କାର୍ଯ୍ୟ ସୀମିତ ରଖିଛନ୍ତି। ଅଥଚ ବିନା ଏନଓସିରେ ଜଙ୍ଗଲ ଓ ସରକାରୀ ଜମିରେ ମେଗାକ୍ରସର ଗୁଡ଼ିକ ବର୍ଷ ବର୍ଷ ଧରି ଚୋରାପଥର କାରବାର କରି କୋଟି କୋଟି ଟଙ୍କା ରୋଜଗାର କରିଚାଲିଛନ୍ତି। ଏଥି ପ୍ରତି କାହାରି ନଜର ନାହଁ। ଯାହାକି ଏବେ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହୋଇଛି। ସେହିପରି ତହସିଲ ପକ୍ଷରୁ ମଧ୍ୟ ବିଛାଖଣ୍ଡି ପାହାଡ଼ ଉପରେ ରିପୋର୍ଟ ଦେବାକୁ ଅଧିକାରୀ ନାକେଦମ୍ ହେଲେଣି। କାହାର ଏହି ପାହାଡ଼? ଜଙ୍ଗଲ ବିଭାଗ ନା ରାଜସ୍ବ ଅଧୀନରେ? ସେ ନେଇ ଆଜି ପର୍ଯ୍ୟନ୍ତ ଚୂଡାନ୍ତ ନକରି ନିୟମିତ ନିଲାମ ଦିଆଯାଉଥିଲା। ଏପରିକି ଜଙ୍ଗଲ ବିଭାଗର କଟକ ଡିଏଫଓ ଏଥିନେଇ ବାରମ୍ବାର ରାଜସ୍ବ ବିଭାଗକୁ ଚିଠି ଲେଖିଥିଲେ। ଲୋକାୟୁକ୍ତ‌ଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଧର୍ମଶାଳା ତହସିଲ ଅଞ୍ଚଳର ଲଘୁ ଖଣିଜ ମହାଦୁର୍ନୀତିର ଖୋଳତାଡ଼ କଲେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେ ବୋଲି ଚର୍ଚ୍ଚା ହେଉଛି।

ବର୍ଷ ବର୍ଷ ଧରି ଲଘୁ ଖଣିଜ ସମ୍ପଦ ଲିଜ ଦେବା ପ୍ରକ୍ରିୟାରେ ତହସିଲ, ପ୍ରଦୂଷଣ ନିୟନ୍ତ୍ରଣ‌ ବୋର୍ଡ଼ର ଆଞ୍ଚଳିକ କାର୍ଯ୍ୟାଳୟ, ଜଙ୍ଗଲ ବିଭାଗ, ପୁଲିସ, ଖଣି ବିଭାଗରେ ହୋଇଥିବା ମହାଦୁର୍ନୀତି ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଭିଜିଲାନ୍ସ ମାଗିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଉତ୍ତର ଦେବାକୁ ତହସିଲ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଆଞ୍ଚଳିକ କାର୍ଯ୍ୟଳୟ ଲାଗିପଡ଼ିଛନ୍ତି। ଏପରିକି ରାଜସ୍ବ ବିଭାଗ ପକ୍ଷରୁ ଲଘୁ ଖଣିଜ ଚୋରା ଓ ବେଆଇନ୍ କାରବାର ରୋକିବାକୁ ଏବେ ନିକଟରେ ଜିଲ୍ଲା ପ୍ରଶାସନ ଓ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ(ଆଇନଶୃଙ୍ଖଳା) ଏକାଧିକ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଅଥଚ ବର୍ଷ ବର୍ଷ ଧରି ଏହି ଚୋରା କାରବାର ଚାଲିଥିବା ନେଇ ଗଣମାଧ୍ୟମରେ ଫଟୋ ସହିତ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଉଥିବା ବେଳେ ପ୍ରଶାସନ ନିଦା ବିଷ୍ଣୁ ସାଜିଥିଲା। କୋଟିପତି ବେଆଇନ ପଥର ବ୍ୟବସାୟୀ ଓ ପଥର ମାଫିଆଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନ‌କରି ନାମକୁ ମାତ୍ର ଶ୍ରମିକ ଓ ଗାଡ଼ି ଡ୍ରାଇଭରକୁ ଗିରଫ କରିଥିଲେ। ତଦନ୍ତ ଠିକ୍‌ ବାଟରେ ଗଲେ ସବୁ ବିଭାଗର କାରନାମା ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର