ଆରୁହା ପାହାଡ଼ କଳାପଥର କେଳେଙ୍କାରୀ: ବିନା ଖାଦାନ ଖୋଳାରେ ରୟାଲ୍‌ଟି ଆଦାୟ

ହଜାର ହଜାର ୱାଇଫର୍ମ ତହସିଲ ବିକିଲା କିପରି? ଗୁମର ଖୋଲିବ ଲୋକାୟୁକ୍ତଙ୍କ ତଦନ୍ତ

ଯାଜପୁର : ଧର୍ମଶାଳା ତହସିଲ କଳାପଥର କେଳେଙ୍କାରୀର ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସିବାରେ ଲାଗିଛି। ଲୋକାୟୁକ୍ତଙ୍କ ତଦନ୍ତକାରୀ ଦଳ ଗତ ୨୨ ତାରିଖରେ ଆରୁହା ପାହାଡ଼ କଳାପଥର କେଳେଙ୍କାରୀର ଖୋଳତାଡ଼ କରିଥିଲେ। ତହସିଲ ପକ୍ଷରୁ ଲିଜ୍ ଦିଆଯାଇଥିବା ଖାଦାନ ଅଞ୍ଚଳ ଖୋଳା ନଯାଇ ତହସିଲ ଲକ୍ଷ ଲକ୍ଷ ଟଙ୍କା ରୟାଲ୍‌ଟି ଆଦାୟ କରିଛି। ଏପରିକି ହଜାର ହଜାର ୱାଇଫର୍ମ ଲିଜଧାରୀଙ୍କୁ ଦିଆଯାଇଛି। ଯାହାକୁ ନେଇ ତଦନ୍ତକାରୀ ଦଳ ବିସ୍ମୟ ପ୍ରକାଶ କରିଛନ୍ତି। ଆସନ୍ତା ୨୬ ତାରିଖରେ ପୁଣି ବିଶେଷଜ୍ଞଙ୍କ ସହିତ ଏହି ଟିମ୍‌ ତଦନ୍ତ କରିବାକୁ ଆସୁଛନ୍ତି। ଯାହାକୁ ନେଇ ପ୍ରଶାସନ ଏବେ ହରଡ଼ଘଟଣାରେ ପଡ଼ିଛି।

ପ୍ରକାଶ ଥାଉକି ଧର୍ମଶାଳା ତହସିଲ ପକ୍ଷରୁ ୨୦୧୭ ମସିହାରେ ୫ ବର୍ଷ ପାଇଁ ଆରୁହା ପାହାଡ଼ର ୩ ଏକର ଖାଦାନ ଖାତା ନମ୍ବର ୭୭୯, ପ୍ଲଟ୍ ୨୮୧୧କୁ ତ୍ରିନାଥ ଜେନାଙ୍କୁ ଲିଜ୍ ସୂତ୍ରରେ ଦିଆଯାଇଛି। ଏହି ବାବଦରେ ତହସିଲ ପ୍ରତିବର୍ଷ ଆରଫର୍ମ (ପୂର୍ବ) ଓ ୱାଇଫର୍ମ ଲିଜଧାରୀ ଶ୍ରୀ ଜେନାଙ୍କୁ ଯୋଗାଇ ଦେଇଛନ୍ତି। ଶ୍ରୀ ଜେନା ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୟାଲ୍‌ଟି ଜମା କରିଛନ୍ତି। ଅଥଚ ଏବେ ଲୋକାୟୁକ୍ତଙ୍କ ତଦନ୍ତ ବେଳେ ଜଣାପଡ଼ିଛି ଯେ ଶ୍ରୀ ଜେନା ଯେଉଁ ଖାଦାନ ଅଞ୍ଚଳରୁ କଳାପଥର ଖନନ କରିଥିବାର ଦର୍ଶାଇ ରୟାଲ୍‌ଟି ପ୍ରଦାନ କରିଛନ୍ତି ପ୍ରକୃତରେ ସେହି ଅଞ୍ଚଳ ଖୋଳାଯାଇ ନାହିଁ। ଯଦି ଲିଜ୍ ଅଞ୍ଚଳରୁ କଳାପଥର ଖନନ ହୋଇନାହିଁ, ତେବେ ତହସିଲ କେଉଁ କଳାପଥର ବାବଦରେ ରୟାଲଟି ଆଦାୟ କରିଛି ? ହଜାର ହଜାର ୱାଇଫର୍ମ କିପରି ପ୍ରଦାନ କରିଛି? ଯାହାକି କଳାପଥର କଳା କାରନାମାର ଓଲଟା ଚିତ୍ର ଆରୁହା ପାହାଡ଼ରେ ଦେଖିବାକୁ ମିଳିଛି।

ଅନେକ ଖାଦାନରୁ ଲିଜଧାରୀ ଅନୁମତି ଠାରୁ ଅଧିକ କଳାପଥର ଖନନ କରି ଚୋରାରେ ବିକ୍ରି କରୁଛନ୍ତି। ଯାହାର ତଦନ୍ତ ପାଇଁ ଦାବି ହେଉଛି। ମାତ୍ର ଆରୁହା ଖାଦାନ ଖୋଳା ନହୋଇ ତହସିଲ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ବାବଦରେ ରୟାଲଟି ଆଦାୟ କରିଛି। ତେଣୁ କଳାପଥର କେଳେଙ୍କାରୀର ଓଲଟା ଚିତ୍ର ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଆରୁହା ପାହାଡ଼ ଘଟଣାରେ ସ୍ଥାନୀୟ ଆର୍‌ଆଇ ବିଭିନ୍ନ ସମୟରେ ଥିବା ତହସିଲଦାରମାନଙ୍କୁ ୨୨ ଥର ରିପୋର୍ଟ କରିଛନ୍ତି। ଏପରିକି ଲୋକାୟୁକ୍ତରେ ମଧ୍ୟ ଜିଲ୍ଲାପାଳ ଜଣାଇଛନ୍ତି ଯେ ଏଠାରୁ ୧୯ ଲକ୍ଷ ୩୭ ହଜାର ୨୦ ଟଙ୍କା ରୟାଲଟି ଓ ଜରିମାନା ବାବଦରେ ଆଦାୟ ହୋଇଛି।

ଲୋକାୟୁକ୍ତରେ ଅଭିଯୋଗ କରିଥିବା ସର୍ବେଶ୍ବର ବେହୁରା କହିଛନ୍ତି ପ୍ରଶାସନର ଜାଣତରେ କୋଟି କୋଟି ଟଙ୍କାର ଲଘୁ ଖଣିଜ ସମଗ୍ରୀ ଏଠାରୁ ଲୁଟ୍ ହେଉଛି। ଯାହାକି ଆରୁହା ପାହାଡ଼ ତଦନ୍ତରୁ ସ୍ପଷ୍ଟ ହେବାରେ ଲାଗିଛି। ଏ ସମ୍ପର୍କରେ ଲିଜଧାରୀ ଶ୍ରୀ ଜେନା କହିଛନ୍ତି ତହସିଲରେ ନିୟମ ଅନୁଯାୟୀ ରୟାଲଟି ଜମା ଦେଇଛନ୍ତି। ତହସିଲ ପକ୍ଷରୁ ଚିହ୍ନଟ କରାଯାଇଥିବା ଜମି‌ରୁ ସେ ଖନନ କରିଛନ୍ତି। ଏପରିକି ଲୋକାୟୁକ୍ତରେ ମଧ୍ୟ ସେ ତଥ୍ୟ ପ୍ରଦାନ କରିଛନ୍ତି। ତେଣୁ ଲୋକାୟୁକ୍ତଙ୍କ ବିଶେଷଜ୍ଞ ଦଳର ତଦନ୍ତ କେଉଁ ବାଟରେ ଯାଉଛି ତା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର