ଯାଜପୁର, (ପ୍ରଦୀପ କୁମାର ମହାପାତ୍ର): ଖଣି ଦୁର୍ନୀତି ପାଇଁ ଦିନେ ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା କେନ୍ଦୁଝର ଜିଲ୍ଲା ଏବେ ଖଣିଜ ଚୋରିର ଅପବାଦ ମୁଣ୍ଡାଇବାକୁ ଯାଉଛି। ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଲୁହାପଥର ଏବଂ ମାଙ୍ଗାନିଜ ବିଭିନ୍ନ ଗଳାବାଟରେ ଚୋରି ହେଉଛି। କାଁଭାଁ କେତେବେଳେ କେମିତି ପୁଲିସ କିମ୍ବା ବନ ବିଭାଗର ହାବୁଡ଼ରେ ପଡ଼ିଲେ ଏହି ଚୋରି ପଦାକୁ ଆସୁଛି। ଅପରପକ୍ଷରେ ଖଣି ବିଭାଗର ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଏକ ପ୍ରକାର ହାତବାନ୍ଧି ବସିଛି। ଖଣି ବିଭାଗର ଆଶ୍ଚର୍ଯ୍ୟଜନକ ନିରବତା ଏବେ ଅନେକ ପ୍ରଶ୍ନ ଠିଆ କରୁଛି।
ଗତ ୨ମାସ ମଧ୍ୟର ହିସାବକୁ ଦେଖିଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଲୁହାପଥର ଏବଂ ମାଙ୍ଗାନିଜ୍ ଚୋରାଚାଲାଣ ବେଳେ ଧରାପଡ଼ିଲାଣି। ଚୋରାଚାଲାଣ ପାଇଁ ଜଙ୍ଗଲରେ ଗଚ୍ଛିତ ରଖାଯାଉଥିବା ଲୁହାପଥର ଏବଂ ମାଙ୍ଗାନିଜ୍କୁ ବନ ବିଭାଗ ଠାବ କରି ଜଣାଇଲେ ଖଣି ବିଭାଗ କର୍ମଚାରୀ ପହଞ୍ଚି ଜବତ କରୁଛନ୍ତି। ସେହିପରି ଟ୍ରକ୍ରେ ଚୋରାଚାଲାଣ ବେଳେ ପୁଲିସ ହାବୁଡ଼ରେ ପଡ଼ିଲେ ଜବତ ହୋଇ ଖଣି ବିଭାଗକୁ ହସ୍ତାନ୍ତର ହେଉଛି। ହେଲେ ଖଣି ବିଭାଗ ନିଜ ତରଫରୁ କୌଣସି ସ୍ଥାନରେ ଚଢ଼ଉ କରି ଚୋରା ଚାଲାଣ ରୋକିବାରେ ସମର୍ଥ ହୋଇପାରି ନାହିଁ। ଗତ ସପ୍ତାହର ଘଟଣାକ୍ରମକୁ ଦେଖିଲେ ଯୋଡ଼ା, ବାମେବାରୀ ଏବଂ ବଡ଼ବିଲ ପୁଲିସ ପକ୍ଷରୁ ୫୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ଲୁହାପଥର ଚୋରାଚାଲାଣ ବେଳେ ଜବତ କରାଯାଇଛି। ସପ୍ତାହକ ମଧ୍ୟରେ ପ୍ରାୟ ୨୦ଜଣଙ୍କୁ ଗିରଫ କରାଗଲାଣି। ହେଲେ ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ କେବଳ ମାଫିଆଙ୍କ ରିମୋଟ୍ରେ ପରିଚାଳିତ ବ୍ୟକ୍ତିବିଶେଷ। କହିବାକୁ ଗଲେ ଗିରଫ ବ୍ୟକ୍ତିମାନେ ହେଲେ ଟ୍ରକ୍ ଡ୍ରାଇଭର କିମ୍ବା ହେଲପର୍। ସାମାନ୍ୟ କିଛି ଟଙ୍କା ପାଇଁ ଏମାନେ ଖଣି ମାଫିଆଙ୍କ କଥାରେ ପ୍ରଲୋଭିତ ହୋଇ ଏହି ଚୋରି ଧନ୍ଦାରେ ଛନ୍ଦି ହୋଇ ଯାଇଛନ୍ତି। ଏମାନଙ୍କୁ ରିମୋଟ୍ କଣ୍ଟ୍ରୋଲରେ ପରିଚାଳିତ କରୁଥିବା ମାଫିଆଙ୍କ ନିକଟରେ ଏଯାଏଁ ପୁଲିସ କିମ୍ବା ଖଣି ବିଭାଗ ପହଞ୍ଚି ନାହିଁ କି' ସାମାନ୍ୟତ ଉଦ୍ୟମ ବି କରିଥିବା ଭଳି ମନେ ହେଉନି।
/sambad/media/post_attachments/wp-content/uploads/2021/01/mines.jpg)
ସମସ୍ତଙ୍କ ମନରେ ପ୍ରଶ୍ନ ଏତେ ପରିମାଣର ଚୋରା ଖଣିଜ ଆସୁଛି କେଉଁଠୁ? ଏହାକୁ ଖନନ କରି ଟ୍ରକ୍ରେ ଲୋଡିଂ କରୁଛି କିଏ? ଅଳ୍ପ କିଛି ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ ଗାଡ଼ିଗୁଡ଼ିକ ପାର୍ ହୋଇଯାଉଛି କିପରି? ଏହି ଚୋରା ଖଣିଜକୁ କିଣୁଛି କିଏ ? ଏସବୁ ପ୍ରଶ୍ନର ଉତ୍ତର ଖୋଜିଲେ ଏହି କାରବାରରେ ଏକ ବଡ଼ଧରଣର ରାକେଟ୍ କାମ କରୁଥିବା ନିଶ୍ଚିତ। କେନ୍ଦୁଝର ଜିଲ୍ଲା ଖଣି ବିଭାଗ ହେଉକି ଯୋଡ଼ା ଅଞ୍ଚଳ ଦାୟିତ୍ବରେ ଥିବା ଖଣି ବିଭାଗର କିଛି ଅସାଧୁ ଅଧିକାରୀଙ୍କ ଏହା ପଛରେ ଯେ ବଡ଼ଧରଣର ହାତ ରହିଛି ତାହାକୁ କେହି ଅସ୍ବୀକାର କରିପାରିବେ ନାହିଁ।
ଗତମାସ ୩୦ ତାରିଖରେ ବାମେବାରୀ ଏବଂ ବଡ଼ବିଲ ପୁଲିସ ଚଢ଼ଉ କରି ୧୦ଟି ଟ୍ରକ୍ ଜବତ କରିବା ସହ ୪୦ଲକ୍ଷ ଟଙ୍କାର ଲୁହାପଥର ଜବତ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ବଡ଼ବିଲ୍ ପୁଲିସ ଯେଉଁ ୨ଟି ଗାଡ଼ି ଧରିଥିଲା ସେଥିରେ ୩୦ଲକ୍ଷ ଟଙ୍କାର ବିଲେଟ୍ ଥିଲା। ଗାଡ଼ିର ନମ୍ବର ପ୍ଲେଟ୍ ବଦଳାଇ ଏହାକୁ ଅନ୍ୟତ୍ର ଚୋରା ଚାଲାଣ କରାଯାଉଥିଲା। ଏଭଳି କରିବା ପଛରେ କୌଣସି ମାଫିଆଙ୍କ ହାତଥିବା ସ୍ପଷ୍ଟ ବାରି ହୋଇପଡୁଛି।
ଖଣି ଦୁର୍ନୀତି ପଦାକୁ ଆସିବା ପରେ ବନ୍ଦ ପଡ଼ିଥିବା ଖଣିଗୁଡ଼ିକ ମାଫିଆଙ୍କ ଟାର୍ଗେଟରେ ରହିଛି। ଏହି ଖଣିରୁ ରାତାରାତି ଖଣିଜ ଉତ୍ତୋଳନ କରି ବିଭିନ୍ନ ଜଙ୍ଗଲ ଅଞ୍ଚଳର ଲୁଚାଇ ରଖିବା ପରେ ସୁବିଧା ଦେଖି ବାହାର ରାଜ୍ୟକୁ ଚାଲାଣ ହେଉଛି। ବଡ଼ବିଲରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଝାଡ଼ଖଣ୍ଡର ଜାମଦା। ପୂର୍ବରୁ ଜାମଦା ପାଖରେ ଏକ ବିକ୍ରିକର ଅସୁଲ ପାଇଁ ଗେଟ୍ଥିଲା ଯାହାକି ଉଠାଇ ଦିଆଯାଇଛି। ସେହିପରି ନାଲ୍ଦାରେ ଏକ ଫାଣ୍ଡି ଥିଲା ତାହା ମଧ୍ୟ ତାଲା ପଡ଼ିଯାଇଛି। ତେଣୁ ଖଣିଜ ଚାଲାଣ ପାଇଁ ବଡ଼ବିଲ ପାର୍ ହୋଇ ଜାମ୍ଦା ଚାଲିଗଲେ ସବୁ ଚୋରା ଖଣିଜ ବିନାଦ୍ବିଧାରେ ବିକ୍ରି ହୋଇଯାଉଛି। ଏହାସହିତ ଜାମଦା ଯିବା ପାଇଁ ଅନେକ ଗଳାବାଟ ରହିଛି ଯାହାକି ମାଫିଆଙ୍କୁ ଚୋରା ଚାଲାଣ ପାଇଁ ସୁହାଉଛି। ସେହିପରି ଯୋଡ଼ା- ବାମେବାରୀ ରାସ୍ତା ଦେଇ ପଳାଶପଙ୍ଗାକୁ ବାହାରିଗଲେ ସେଠାରୁ ଅନ୍ୟ ଖଣିଜ ବୋଝେଇ ଟ୍ରକ୍ ଭଳି ଚୋରା ଗାଡ଼ି ମଧ୍ୟ ପାର୍ ହୋଇଯାଉଛି। ଏଭଳି ପ୍ରକାରେ କୋଟି କୋଟି ଟଙ୍କାର ଖଣିଜ ଚୋରା ଚାଲାଣ ହେଉଥିଲେ ମଧ୍ୟ ସରକାର ଏହାକୁ ରୋକିବା ପାଇଁ ଠୋସ୍ ପଦକ୍ଷେପ ନନେବା ଆଶ୍ଚର୍ଯ୍ୟଜନକ। ତୁରନ୍ତ ଏହି କାରବାରକୁ ରୋକା ନଗଲେ ଖଣି ଦୁର୍ନୀତି ଭଳି ଏହି ଖଣିଜ ଚୋରି ମଧ୍ୟ ଆଗକୁ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ।