ବରଗଡ଼: ଥମୁନି ଲଘୁ ଖଣି ଚୋରି, ହୁଗୁଳା ଖଦାନରୁ ଚୂନପଥର ଚାଲାଣ

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ ଛତିଶଗଡ଼ୀ ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି। ଖୋଲାଖୋଲି ବେଆଇନ ବାଲି, ଖଣି ପଥର ଚାଲାଣ ଚାଲିଛି। ଲୋକେ ଏହାର ପ୍ରତିବାଦ କଲେ ହତ୍ୟା ଧମକ ମିଳୁଛି। ଲୋକେ ପତ୍ର ଜରିଆରେ ମୁଖ୍ୟ ଶାସନ ସଚିବ, ଖଣି ଉପନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍‌ପି ଏବ˚ ସ୍ଥାନୀୟ ପୁଲିସ୍‌କୁ ଅଭିଯୋଗ କରିଥିଲେ ହେଁ ଏହି କାରବାର ଉପରେ ଅଂକୁଶ ଲାଗିନାହିଁ। ପ୍ରତିଦିନ ଅଂଗନଦୀରୁ ବାଲି ଚାଲାଣ ଜାରି ରହିଛି। ଏବେ ଲଘୁଖଣି ଲୁଟ୍‌ ବ୍ୟାପକ ଚାଲିଛି।

ବିଶେଷକରି ଓଡ଼ିଶାର ଚୂନ ପଥର ଉପରେ ଛତିଶଗଡ଼ୀ ଆଖି ପକାଇଛନ୍ତି। ଜଗଦଲପୁର ଏବ˚ କୁମିର ପଞ୍ଚାୟତରେ ନିୟମିତ ଲଘୁ ଖଣିଜ ଦ୍ରବ୍ୟ ଛତିଶଗଡ଼ ଚାଲାଣ ହେଉଛି। ସୂଚନା ଅନୁସାରେ, ସାନକୁଞ୍ଜାରି, ବଡ଼ କୁଞ୍ଜାରି, ପୁଟକା ଏବ˚ ମହୁଲପାଲି ଆଖପାଖ ଅ˚ଚଳରେ ଚୋରା ଖଣି ଖନନ ଚାଲିଛି। ଜ˚ଗଲ ଭିତରେ ଖଣି ଗୁଡ଼କରେ ବ୍ଲାଷ୍ଟି˚ କରି ଚୂନ ପଥର ଏବ˚ ଲୁହା ପଥର ଚୋରା ଚାଲାଣ ହେଉଛି। ଆଖପାଖ ଗାଁ ଲୋକେ ଖଣି ପାଖକୁ ଗଲେ ମାଫିଆମାନେ ହତ୍ୟା ଧମକ ଦେଉଛନ୍ତି। ଫଳରେ ଭୟରେ କେହି ସେଠାକୁ ଯାଉନାହାନ୍ତି। ପୁଲିସ୍‌ ମଧୢ କିଛି ଠୋସ୍‌ ପଦକ୍ଷେପ ନେଉନାହିଁ। ପୁଟକା ଗାଁ ସ˚ଲଗ୍ନ ଜ˚ଗଲରୁ ଦୀର୍ଘ ଗୋଟିଏ ଦଶନ୍ଧି ହେଲା ଚୂନ ପଥର ଖୋଳା ଚାଲିଛି। ବିନା ପରମିଟ୍‌ରେ ଛତିଶଗଡ଼ର ଡମ୍ପର ଏଠାରୁ ମାଲ୍‌ ନେଇ ଜ˚ଗଲିଆ ରାସ୍ତାରେ ଛତିଶଗଡ଼ ସୀମାକୁ ନେଉଛନ୍ତି। ବିଭିନ୍ନ ସ୍ଥାନରେ ଛତିଶଗଡ଼ୀ ମାଫିଆ କ୍ୟାମ୍ପ ପକାଇ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି। ଫଳରେ ସ୍ଥାନୀୟ ଲୋକେ ପାଖକୁ ଯିବାକୁ ଭୟ କରୁଛନ୍ତି। ଛତିଶଗଡ଼ର ମାଫିଆ ଏବ˚ ଓଡ଼ିଶାର ବେପାରୀଙ୍କ ମଧୁଚନ୍ଦ୍ରିକାରେ ଏହି କାରବାର ନିରନ୍ତର ଜାରି ରହିଛି।

ଅନ୍ୟପକ୍ଷରେ କେବଳ ପୁଟକା ପାଖରୁ ୨୦ କୋଟିରୁ ଅଧିକ ଟଙ୍କାର ଚୂନ ପଥର ଚାଲାଣ ହୋଇଥିବା ଜଣାପଡ଼ିଛି। ଝାରବନ୍ଧ ତହସିଲ୍‌ ଅଫିସ୍‌ରୁ ସୂଚନା ଅଧିକାର ଆଇନ୍‌ ବଳରେ ପ୍ରାପ୍ତ ତଥ୍ୟ ଅନୁସାରେ, ପୁଟୁକାରୁ ଚୋରା ଚାଲାଣ ହେଉଥିବା ଅଂଚଳରେ କୌଣସି ଖଣି ନାହିଁ। ଅର୍ଥାତ ସରକାରୀ ଖାତାରେ ଏସବୁ ଅଂଚଳରେ ଚୂନପଥର ଥିବା ଉଲ୍ଲେଖ ନାହିଁ। ଯାହାର ସୁଯୋଗ ନେଇ ଏହି କାରବାର ଅନାୟାସରେ ଚାଲିଛି। ଖଣି ଖଦାନ ଗୁଡ଼ିକ ଉପରେ ସ୍ଥାନୀୟ ପ୍ରଶାସନର ନିୟନ୍ତ୍ରଣ ନଥିବାରୁ ସେଗୁଡ଼ିକ ହୁଗୁଳା ହୋଇପଡ଼ିଛି। ତେଣୁ ହୁଗୁଳା ଖଦାନରୁ ବ୍ୟାପକ ଲଘୁଖଣି ଚୋରି ହୋଇ ଛତିଶଗଡ଼ ଯାଉଛି।

ସମ୍ବନ୍ଧିତ ଖବର