ଯାଜପୁର/କବାଟବନ୍ଧ : ଢେଙ୍କାନାଳ ସୀମାନ୍ତ ତଥା ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନ କଳାପଥର(ଗ୍ରାନାଇଟ୍) ପାହାଡ଼ ଓ ତାର ପାଦଦେଶରୁ କୋଟି କୋଟି ଟଙ୍କାର ଲଘୁଖଣିଜ ସମ୍ପଦ ନିୟମିତ ଲୁଟ୍ ଚାଲିଛି। ପୁଲିସ, ରାଜସ୍ବ, ଜଙ୍ଗଲ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଖଣି ବିଭାଗ ଅଧିକାରୀମାନେ ଲଘୁ ଖଣିଜ ମହାଦୁର୍ନୀତି କାରବାରକୁ ଆଖିବୁଜି ‌ଦେଇଛନ୍ତି। ଗତକାଲି ରାତିରେ ଜିଲ୍ଲା ସ୍କ୍ବାଡ୍‌ ବରଡ଼ା ବେଆଇନ୍ ଖାଦାନ ଅଞ୍ଚଳରେ ଚଢ଼ଉ କରି ହିଟାଚି, ପୋକଲିନ୍ ଓ ଚୋରା କଳାପଥର ବୋଝେଇ ଗାଡ଼ି ଜବତ କରିଛି। ଏହି ଘଟଣାରେ କୋଟିପତି ପଥର ବ୍ୟବସାୟୀ ଆଲୋକ ଦାସ(ଗେଣ୍ଡା) ଓ ତାଙ୍କ ସହଯୋଗୀକୁ ପୁଲିସ ଅଟକ ରଖିଛି। ସଂଧ୍ୟା ସୁଦ୍ଧା ତହସିଲ ପକ୍ଷରୁ ଜେନାପୁର ଥାନାରେ ଏତଲା କରାଯାଇନାହିଁ। ବରଡା ମୌଜାରେ ପ୍ରଦୀପ୍ତ ବେହେରାଙ୍କ ନାମରେ ଥିବା ଏହି ଖାଦାନର ଲିଜ୍‌ ଅବଧି ଗତ ମାର୍ଚ୍ଚ ୩୧ତାରିଖରେ ଶେଷ ହୋଇଯାଇଛି। ଏବେ ଏହା କାହାରିକୁ ଲିଜ୍ ଦିଆଯାଇ ନ ଥିବାବେଳେ ଗେଣ୍ଡାଙ୍କ ସହଯୋଗୀମାନେ ଏକାଧିକ ମେସିନ ଲଗାଇ କଳାପଥର ଲୁଟ୍ କରୁଥିବା ବେଳେ ସ୍କ୍ବାଡ୍‌ ହାତରେ ଧରାପଡ଼ିଛନ୍ତି। ତେବେ ଏହି କେଳେଙ୍କାରୀକୁ ଭିନ୍ନ ‌ମୋଡ଼ ଦେବାପାଇଁ ଅସାଧୁ‌ମେଣ୍ଟ ଲାଗିପଡ଼ିଛନ୍ତି। ଉଚ୍ଚ ପଦାଧିକାରୀ ବରଡ଼ା ମୌଜାର ଲଘୁ ଖଣିଜ ମହାଦୁର୍ନୀତିର ତଦନ୍ତ କଲେ କୋଟି କୋଟି ଟଙ୍କାର ଚୋରା କଳାପଥର କାରବାର ଉପରୁ ପରଦା ହଟିବ ବୋଲି ଚର୍ଚ୍ଚା ହେଉଛି।

Advertisment

ଗତକାଲି ରାତିରେ ଧର୍ମଶାଳା ତହସିଲ ଓ ଜିଲ୍ଲା ସ୍କ୍ବାଡ୍ ଚଢ଼ଉ କରି ଗୋଟିଏ ପୋକଲିନ, ଗୋଟିଏ ହିଟାଚି ଓ ଗୋଟିଏ ପିକ୍ଅପ ଗାଡ଼ି ଜବତ କରିବା ସହ ୨ଜଣଙ୍କୁ ଜେନାପୁର ପୁଲିସକୁ ଜିମା ଦେଇଥିଲେ। ଏହାବ୍ୟତୀତ ରାସ୍ତାରେ ଯାଉଥିବା ରୋରା କଳାପଥର ବୋଝେଇ ହାଇୱା (ଓଡି୦୪ଜି ୫୩୦୫) , ଏକ ଟିପର (ଓଆର୦୯କେ ୦୨୬୭)କୁ ଏହି ଟିମ ଧରି ପୁଲିସ ଜିମା ଦେଇଛି। ତେବେ ଆଜି ସଂଧ୍ୟା ସୁଦ୍ଧା ରାଜସ୍ବ ବିଭାଗ ପକ୍ଷରୁ ଥାନାରେ ଏଫ୍ଆଇଆର କରାଯାଇ ନଥିବାରୁ ତଦନ୍ତ ପ୍ରକ୍ରିୟା ଓ କାର୍ଯ୍ୟାନଷ୍ଠାନ ଆଗେଇ ପାରୁନାହିଁ ବୋଲି ଜେନାପୁର ଥାନାଧିକାରୀ ଆଶିଷ ସାହୁ କହିଛନ୍ତି।