ଯାଜପୁର : କରୋନା ପାଇଁ ସରକାର ସାଂଘାତିକ ଆର୍ଥିକ ସଙ୍କଟର ଶିକାର ହୋଇଛନ୍ତି। ରାଜସ୍ବ ଆଦାୟ ବୃଦ୍ଧି କରି ଖର୍ଚ୍ଚ ମେଣ୍ଟାଇବାକୁ ସରକାର ଲଘୁ ଖଣିଜ ଦ୍ରବ୍ୟରୁ ହଜାରେ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖିଥିବା ବେଳେ ୧୧୨୯ଟି ନୂଆ ସୈରାତ ଚିହ୍ନଟ କରାଯାଇଛି। ଏହା ସହିତ ୧୪୯୬ଟି ସୈରାତର ନିଲାମ ପାଇଁ ପ୍ରସ୍ତୁତ ଚାଲିଛି। ଚୋରା ଖଣିଜ ଖନନ ଓ ପରିବହନ ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ତାହା ଅନେକ ଜାଗାରେ କାର୍ଯ୍ୟକାରୀ ହେଉନାହିଁ। ୧୪୪ ସତ୍ତ୍ବେ ରାହାଡ଼ପୁର ପାହାଡ଼ରୁ ଆଜି ବ୍ୟାପକ କଳାପଥର ଚୋରା ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ଘେରିଥିଲେ। ମାତ୍ର ପୁଲିସ ଜାଣିଶୁଣି ଆଖିବୁଜି ଦେଇଛି।

Advertisment

ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଲୁଟ୍‌କୁ ରୋକିବା ପାଇଁ ରାଜ୍ୟସ୍ତରୀୟ ସଚିବ ବୈଠକରେ ଓଆଇଏସ୍‌ଏଫ୍‌ ଯବାନ ମୁତୟନ ପାଇଁ ଆଲୋଚନା କରିଛନ୍ତି। ଅଥଚ ଆଜି ଜେନାପୁର ଥାନା ଅଧୀନ ରାହାଡ଼ପୁର ପାହାଡ଼ର ୧୪୪ଧାରା ଜାରି ଅଞ୍ଚଳରେ ମେସିନ ଲଗାଇ ବ୍ୟାପକ କଳାପଥର(ଗ୍ରାନାଇଟ୍) କାଟିବା ସହିତ ଚୋରା ଚାଲାଣ କରାଯାଇଛି। କଟକଣା ଅଞ୍ଚଳରୁ ପଥନ ଖନନ ‌ହେଉଥିବା ଦେଖି ମହିସରା ପଞ୍ଚାୟତ ଅନ୍ତର୍ଗତ ରମ୍ପେଇ ଗ୍ରାମବାସୀ ଚଢ଼ଉ କରିଥିଲେ। ଗ୍ରାମବାସୀ ମେସିନ ଓ ଟ୍ରକ୍‌କୁ ଛାଡ଼ି ନଥିଲେ। ଅଟକାଇ ରଖି ଜେନ‌ାପୁର ଥାନା ଓ ତହସିଲକୁ ଖବର ଦେଇଥିଲେ। ଜେନାପୁର ଥାନା ପୁଲିସ ଘଟଣାସ୍ଥଳକୁ ନ ଆସି ବିଳମ୍ବରେ ୨ଜଣ କନେଷ୍ଟବଳଙ୍କୁ ପଠାଇ କାମ ସାରିଦେବାକୁ ବସିଥିଲେ। ଗ୍ରାମବାସୀଙ୍କୁ ଓଲଟା ଧମକାଇ ଗାଡ଼ି ଛାଡ଼ି ଦେବାକୁ ସେମାନେ କହିଥିଲେ। ମାତ୍ର ଗ୍ରାମବାସୀ ମିଳିତ ଭାବେ ପ୍ରତିବାଦ କରିବାରୁ ସେମାନେ ବାଧ୍ୟ ହୋଇ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଗ୍ରାମବାସୀ ଗାଡ଼ି ଓ ସେମିନ୍ ଅଟକାଇବା ସତ୍ତ୍ବେ ଥାନା ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନଥିଲା। ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ବାଧ୍ୟ ହୋଇ କଳାପଥର ଖନନରେ ବ୍ୟବହୃତ ମେସିନ ଓ ଚାଲାଣରେ ବ୍ୟବହୃତ ଗାଡ଼ିକୁ ଛାଡ଼ି ଚାଲି ଯାଇଥିଲେ। କରୋନା କଟକଣା ସୁଯୋଗରେ ପଥର ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ଜେନାପୁର ଥାନା ଅଧୀନ ବରଡ଼ା, ବିଛାଖଣ୍ଡି, ଡଙ୍କାରୀ, ଅଞ୍ଜିରା ଓ ମୌଳାଭଞ୍ଜ ପାହାଡ଼ ଅଞ୍ଚଳରୁ ବ୍ୟାପକ କଳାପଥର ଚୋରା ଚାଲାଣ ଚାଲିଛି। ନିୟମିତି ଏଭଳି ଚୋରା ଚାଲାଣ ଚାଲିଥିବା ବେଳେ ସରକାର ଏ ବାବଦରେ କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ସରକାରଙ୍କ କଡ଼ାକଡ଼ି ନିୟମ କେ‌ବେ କାର୍ଯ୍ୟକାରୀ ହେଉଛି, ତା’ ଉପରେ ସମସ୍ତଙ୍କର ନଜର ଅଟକିଛି।